Sat. Apr 19th, 2025

ବାଗଦାଦିର ମୃତ୍ୟୁକୁ ନେଇ ବାଲୁକା କଳାରେ ବାର୍ତ୍ତା ଦେଲେ ସୁଦର୍ଶନ

By amfnews Oct 29, 2019 #Featured
129 Views

ପୁରୀ : ବିଶ୍ୱର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅବୁ ବକର ଅଲ୍ ବାଗଦାଦିର ମୃତ୍ୟୁକୁ ନେଇ ପୁରୀ ବେଳାଭୂମିରେ ବାଲୁକା କଳା କରାଯାଇଛି।  ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଗଦାଦିର ମୃତ୍ୟୁକୁ ନିଜ କଳା ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି।  ଏଥିରେ ବାଗଦାଦିର ବାଲୁକା ଚିତ୍ର ସହ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି ସୁଦର୍ଶନ। ବିଶ୍ୱରେ ‌ଆତଙ୍କବାଦର କୌଣସି ସ୍ଥାନ ନାହିଁ ବୋଲି ସେ ତାଙ୍କ  ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।

ବିଶ୍ୱର ସବୁଠୁ ବଡ଼ ଆତଙ୍କବାଦୀ ସଂଗଠନ ଆଇଏସ୍‌ର ମୁଖ୍ୟ ଅବୁ ବକର ଅଲ ବାଗଦାଦି ନିହତ ହୋଇଥିବା ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି  ଘୋଷଣା କରିଥିଲେ। ଆମେରିକା ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ଭୟରେ ବାଗଦାଦି ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା।

ସୂଚନାଯୋଗ୍ୟ, ଆମେରିକା ସେନା ବାଗଦାଦିକୁ ଧରିବାକୁ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା ।  ଯବାନମାନେ ବାଗଦାଦି ରହୁଥିବା ଘରେ ପ୍ରଥମେ ବିସ୍ଫୋରଣ କରି ହୋଲ ସୃଷ୍ଟି କରିଥିଲେ। ଏହା ଦେଖି ବାଗଦାଦି ନିକଟରେ ଥିବା ଅନ୍ଧାରିଆ ଗୁମ୍ଫା ମଧ୍ୟକୁ ଚାଲି ଯାଇଥିଲା। ସେ   ନିଜର ୩ ପିଲାଙ୍କୁ ମଧ୍ୟ ସାଙ୍ଗରେ  ନେଇ ଯାଇଥିଲା। ବାଗଦାଦିର ପିଛା କରି ପ୍ରଥମେ  ଆମେରିକାର ସନ୍ଧାନୀ କୁକୁର ଗୁମ୍ଫା ମଧ୍ୟକୁ ପ୍ରବେଶ କରିଥିଲା।

ଏହା ଦେଖି ଦୁର୍ଦ୍ଦଷ ଆତଙ୍କବାଦୀ ବାଗଦାଦି ଡରି ଯାଇଥିଲା। ଏହାପରେ ସେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ଏଥିରେ ଆମେରିକାର ସନ୍ଧାନୀ କୁକୁର ଓ ଦୁଇ ଜଣ ଯବାନ ସାମାନ୍ୟ ଆହତ ହୋଇଥିଲେ।

ତେବେ ଏହାପୂର୍ବରୁ  ଗୁମ୍ଫା ମଧ୍ୟରୁ ବାହାରି ଆସିବାକୁ ଆମେରିକାର ଯବାନମାନେ ବାଗଦାଦିକୁ  ପରାମର୍ଶ ଦେଇଥିଲେ। ହେଲେ ଏଥିରେ ସେ ସହଯୋଗ କରି ନଥିଲା। ବାଗଦାଦି ନିଜକୁ ବିସ୍ଫୋରଣ କରି ଉଡ଼ାଇବା ପରେ ଆମେରିକା ସେନାମାନେ ଗୁମ୍ଫାଟିକୁ ମଧ୍ୟ ଉଡ଼ାଇ ଦେଇଥିଲେ। ଏହି ଅପରେସନରେ ବହୁ  ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଥିଲେ।

By amfnews

Related Post