Fri. Mar 6th, 2026

ବାଇକ୍‌-ସ୍କୁଟର୍‌ ଧକ୍କାରେ ଛିଟିକି ପଡ଼ିଥିବା ଲୋକଙ୍କ ଉପରେ ଚଢ଼ିଗଲା ଭାରୀ ଯାନ; ୪ ମୃତ, ୧ ଆହତ

532 Views

ବେତନଟୀ: ସୋମବାର ରାତି ପ୍ରାୟ ୧ଟା ପରେ ବାଲେଶ୍ୱର-ବାରିପଦା ୧୮ ନମ୍ବର ଜାତୀୟ ରାଜପଥର ତାରାକୋଠି ଠାରେ ସଡ଼କ ଦୁର୍ଘଟନା ଘଟି ୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧ ମୃତପ୍ରାୟ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିମାନେ ହେଲେ ବୈଶିଙ୍ଗା ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗାଁ’ର ରାଜା ପଣ୍ଡା, ସେ ଅଞ୍ଚଳର ଅନ୍ୟ ଏକ ଗାଁ’ର ସୁଧୀର ପରିଡ଼ା ଓ ବାଙ୍କୁଆ ଦେହୁରି। ରାଜା ପଣ୍ଡାଙ୍କ ପଲ୍‌ସର୍‌ ମୋଟର୍‌ ସାଇକେଲ୍‌ରେ ଏମାନେ କୌଣସି ସ୍ଥାନରୁ ବିବାହ ଭୋଜି ପାଇଁ ଖାଦ୍ୟ ରନ୍ଧାରନ୍ଧି କରି ଫେରୁଥିଲେ।
ବେତନଟୀ ଥାନା ଅଞ୍ଚଳର ଉକ୍ତ ରାସ୍ତାରେ ବିପରୀତ ପଟୁ ଆସୁଥିବା ଗୋଟିଏ ସ୍କୁଟର୍‌ରେ ଦୁଇ ଜଣ ଆରୋହୀ ଆସୁଥିଲେ। ସେମାନେ ଥିଲେ ବାଲେଶ୍ୱର ଫୁଲାଡ଼ିର ପ୍ରଭାତ ସେଣ୍ଡ ଓ ଏ ପର୍ଯ୍ୟନ୍ତ ପରିଚୟ ମିଳି ନ ଥିବା ତାଙ୍କର ଜଣେ ସାଙ୍ଗ।

କୌଣସି କାରଣରୁ ଘଟନାସ୍ଥଳରେ ଦୁଇ ଗାଡ଼ି ପରସ୍ପର ସହ ସାମ୍ନାସାମ୍ନି ଧକ୍କା ଖାଇବାରୁ ଆରୋହୀମାନେ ବିଛାଡ଼ି ହୋଇ ରାସ୍ତାରେ ପଡ଼ିଯାଇଥିଲେ। ଠିକ୍‌ ସେତିକି ବେଳେ ବାରିପଦା ଆଡ଼କୁ ଯାଉଥିବା କୌଣସି ଦ୍ରୁତଗାମୀ ଭାରୀ ଯାନ ସେମାନଙ୍କୁ ଚାପି ଦେଇ ଚାଲିଯାଇଥିଲା।

ପ୍ରଭାତ ସାଙ୍ଘାତିକ ଆହତ ହୋଇଥିବା ବେଳେ ତାଙ୍କ ସାଙ୍ଗଙ୍କର ଘଟନାସ୍ଥଳରେ ମୃତ୍ୟୁ ଘଟିଛି। ଘଟନା ପରେ ପରେ ରାସ୍ତା ଦେଇ ଯାଇଥିବା କେତେକ ଲୋକ କହୁଛନ୍ତି ଯେ ଏକ ୧୦ ଚକିଆ ଟ୍ରକ୍‌ ସେମାନଙ୍କୁ ଚାପି ଦେଇ ବାଲେଶ୍ୱର ଆଡ଼କୁ ଚାଲି ଯାଇଛି।

ଅନ୍ୟ ଜଣେ ମୃତପ୍ରାୟ ଆହତ ପ୍ରଭାତଙ୍କୁ ବାରିପଦା ବଡ଼ ଡାକ୍ତରଖାନାକୁ ନିଆଯାଇଛି।

ସେହି ରାସ୍ତାରେ ଅନତୀ ଦୂର ତାରାକୋଠିର ବଡ଼ ପୋଲ ନିକଟରେ ଅନ୍ୟ ଏକ ଦୁର୍ଘଟନାରେ ଜଣେ ମଟରସାଇକେଲ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ସେ ହେଉଛନ୍ତି ବାରିପଦାର ବ୍ୟବସାୟୀ ତାପସ ବେହେରା। ବିବାହ ଭୋଜି ଖାଇ ଫେରୁଥିବା ବେଳେ କୌଣସି ଅଜଣା ଗାଡ଼ି ଧକ୍କା ଦେବାରୁ ପୋଲ ତଳକୁ ପଡ଼ିଯାଇଥିଲେ ଏବଂ ଘଟନାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ଘଟନାର ତଦନ୍ତ ଆରମ୍ଭ କରିଛି।

By amfnews

Related Post