Sat. Mar 7th, 2026

ବାଂଲାଦେଶୀ ଭିଡିଓକୁ ମୁସଲମାନଙ୍କ ଉପରେ ଭାରତୀୟ ପୁଲିସର ଆକ୍ରୋଶ ବୋଲି ପୋଷ୍ଟ୍‍ କରି ଇମ୍ରାନ୍‌ ଖାଁ ସମାଲୋଚିତ

224 Views

ନୂଆଦିଲ୍ଲୀ: ‘ଉତ୍ତର ପ୍ରଦେଶରେ ମୁସଲମାନଙ୍କ ଉପରେ ଭାରତୀୟ ପୁଲିସର କାର୍ଯ୍ୟାନୁଷ୍ଠାନ’ ଭାବେ ଦର୍ଶାଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ବାଂଲାଦେଶର ଏକ ଭିଡିଓ କ୍ଲିପ୍‌ ଟୁଇଟ୍‌ କରି ସମାଲୋଚିତ ହୋଇଛନ୍ତି।

ଜାତିସଂଘସ୍ଥିତ ଭାରତର ସ୍ଥାୟୀ ପ୍ରତିନିଧି ସୟିଦ୍‌ ଆକବରୁଦ୍ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖାଁଙ୍କୁ ସମାଲୋଚନା କରି ଟୁଇଟ୍‌ କରିଛନ୍ତି: ବାର ବାର ଭୁଲ୍‌ କରୁଥିବା ବ୍ୟକ୍ତି। ପୁରଣା ଅଭ୍ୟାସ ସହଜେ ତୁଟେନି।

ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଧ୍ୟ ଇମ୍ରାନ୍‌ ଖାଁଙ୍କୁ ସମାଲୋଚନା କରିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ଟୁଇଟ୍‌ କରିଥିଲେ: ଅସତ୍ୟ ଖବର ଟୁଇଟ କରୁଛନ୍ତି। ଧରା ପଡ଼ିବେ। ଟୁଇଟ୍‌ ଡିଲିଟ୍‌ କରନ୍ତୁ। ପୁରୁଣା ଅଭ୍ୟାସ ସହଜେ ତୁଟେନି।

ପରେ ପରେ ସେ ଭିଡିଓଟିକୁ ଇମ୍ରାନ୍‌ ଖାଁ ଡିଲିଟ୍‌ କରି ଦେଇଥିଲେ। ବାସ୍ତବରେ ସେ ଭିଡିଓ କ୍ଲିପ୍‌ଟି ହେଉଛି ୨୦୧୩ ମସିହାରେ ବାଂଲାଦେଶରେ ଦଳେ ଲୋକଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ବେଳର ଦୃଶ୍ୟ। ଉତ୍ତର ପ୍ରଦେଶରେ ମୁସଲମାନଙ୍କ ପ୍ରତି ପୁଲିସର ନିର୍ମମତା ଭାବେ ତାହାକୁ ଦେଖାଇବାକୁ ଇମ୍ରାନ୍‌ ଖାଁ ଚେଷ୍ଟା କରିଥିଲେ।

ଭିଡିଓରେ ଥିବା ଦୃଶ୍ୟରେ ଜଣେ ପୁଲିସ ‘ରେପିଡ୍‌ ଆକ୍‌ସନ୍‌ ବାଟାଲିୟନ୍‌’ର (ଆର୍‌ଏବି) ଢାଲଟିଏ ଧରିଥିବା ଦେଖାଯାଉଛି। ‘ଆର୍‌ଏବି’ ହେଉଛି ବାଂଲାଦେଶୀ ପୁଲିସର ଗୋଟାଏ ୟୁନିଟ୍‌। ଢାଲରୁ ହିଁ ଜଣାପଡ଼ିଥିଲା ଯେ ଭାରତରେ ଏ ଭଳି କୌଣସି ଘଟଣା ଘଟିନାହିଁ। ସେ ଯାହାହେଉ, ଶୁକ୍ରବାର ଦିନ ହିଁ ଖାଁଙ୍କର ଟୁଇଟ୍‌ ଡିଲିଟ୍‌ କରାଯାଇଥିଲା।

ଉତ୍ତର ପ୍ରଦେଶ ପୁଲିସ ମଧ୍ୟ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ଦାବିକୁ ଅସ୍ୱୀକାର କରିଥିଲା। ସେମାନେ କହିଥିଲେ କି, ଏଇଟା ପୁରୁଣା ଭିଡିଓ। ୨୦୧୩ ମସିହାରେ ବାଂଲାଦେଶରେ ଉତ୍ତୋଳିତ ହୋଇଥିଲା।

By amfnews

Related Post