ରାଜନଗର /ମହାକାଳପଡା : ଦେଶାନ୍ତର ନୋଟିସ ପାଇଥିବା ଜଣେ ବାଂଲାଦେଶୀ ନାଗରିକ ନିଜର ନାଁ ବଦଳାଇ ଭାରତରେ ଭୋଟ ଦେଇ ଆସୁଛନ୍ତି। ୧୫ବର୍ଷ ହେଲା ସେ ଭାରତୀୟ ଭାବେ ସମସ୍ତ ସରକାରୀ ସୁବିଧା, ସୁଯୋଗ ଉପଭୋଗ କରୁଛନ୍ତି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ଦେଶର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃ୍ଷ୍ଟି ହୋଇଛି।
୨୦୦୩ରେ ଓଡିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସର୍ଭେ କରାଯିବା ବେଳେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଖରନାସି ପଞ୍ଚାୟତ ହରିଆବାଙ୍କ ଗାଁର ଭବତୋଷ ରାୟ ବାଂଲାଦେଶୀ ବୋଲି ଜଣାପଡିଥିଲେ । ୨୦୦୪ ମସିହା ଡିସେମ୍ବର ୨୮ରେ ଭବତୋଷଙ୍କୁ ଗୃହ ବିଭାଗ ପକ୍ଷରୁ ଦେଶାନ୍ତର ନୋଟିସ ଦିଆଯାଇଥିଲା। ୩୦ ଦିନ ମଧ୍ୟରେ ଭବତୋଷ ଭାରତ ଛାଡ଼ି ଯିବାପାଇଁ ନିର୍ଦ୍ଦେଶ ଥିଲା। ହେଲେ, ୧୫ବର୍ଷ ହେଲା ସେ ଭାରତୀୟ ଭାବେ ସମସ୍ତ ସରକାରୀ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି। ନିଜ ନାଁ ବଦଳାଇ ଆଜିଯାଏଁ ସମସ୍ତ ନିର୍ବାଚନରେ ଭୋଟ ଦେଇ ଆସୁଛନ୍ତି ଭବତୋଷ। ଭୋଟର ତାଲିକାରେ ତାଙ୍କ ନାଁ ଶ୍ରବଣେଷ ରାୟ, ପିତା-ଶଶିଭୂଷଣ ରାୟ ରହିଛି । ଶ୍ରବଣେଷ ସାଜି ଭବତୋଷ ସମସ୍ତ ନିର୍ବାଚନରେ ଭୋଟ ଦେଇ ଆସୁଛନ୍ତି।
ଏ ସଂପର୍କରେ ଭବତୋଷଙ୍କ ଯୁକ୍ତି ହେଲା ସେ ବାଲାଂଦେଶୀ ନୁହନ୍ତି, ଭାରତୀୟ । ବିଏଲଓ ତାଙ୍କ ନାଁକୁ ଭୁଲ କ୍ରମେ ଶ୍ରବଣେଷ କରିଦେଇଛନ୍ତି। ସେ ଶ୍ରବଣେଷ ନାଁରେ ସମସ୍ତ ନିର୍ବାଚନରେ ଭୋଟ ଦେଇ ଆସୁଛନ୍ତି ବୋଲି କହିଛନ୍ତି।
୨୦୧୩ରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ୧୭ଶହ ବାଂଲାଦେଶୀ ନାଗରିକଙ୍କ ନାଁ ଭୋଟର ତାଲିକାରୁ କାଟିଥିଲା । ମହାକାଳପଡାର ୧୫୫୧, ପଟ୍ଟାମୁଣ୍ଡାଇର ୯୬ ଜଣ ଓ ରାଜନଗରର ୩୦ଜଣ ଯେଉଁମାନେ ବାଂଲାଦେଶୀ ଚିହ୍ନଟ ହୋଇ ଦେଶାନ୍ତର ନୋଟିସ ପାଇଛନ୍ତି। ସେମାନଙ୍କ ନାମ ଭୋଟର ତାଲିକାରୁ ସର୍ଭେ ସମୟରୁ ବାଦ୍ ଦିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ଜୋର୍ ଦେଇ ଆସୁଛି। ଏପରିସ୍ଥଳେ ଭବତୋଷ କିପରି ନିଜର ନାଁ ବଦଳାଇ ଶ୍ରବଣେଷ କଲେ ଓ ଦେଶାନ୍ତର ନୋଟିସ ପାଇବା ପରଠାରୁ ଭୋଟ ଦେଇ ଆସୁଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଛି। କେବଳ ଭବତୋଷ ନୁହନ୍ତି, ଅଧିକାଂଶ ବାଂଲାଦେଶୀ ନାଗରିକ ସରକାରୀ ସୁବିଧା ପାଉଥିବା ଅଭିଯୋଗ ହୋଇଛି। ଏଥିରେ ସରକାରୀ କର୍ମଚାରୀଙ୍କ ଭୂମିକା ପ୍ରତି ପ୍ରଶ୍ନବାଚୀ ସୃଷ୍ଟିେହାଇଛି।
‘ଆମେ ବାଂଲାଦେଶୀ ନୋହୁଁ, ଭାରତୀୟ’, ଏନ୍ଆର୍ସି ସର୍ଭେ ଦାବି ପରେ ବୈଠକ
ରାଜନଗର/ମହାକାଳପଡା : ଚିଲିକା ଓ ଭିତରକନିକାରେ ଏନ୍ଆରସି (ନ୍ୟାସନାଲ ରେଜିଷ୍ଟାର ଅଫ୍ ଇଣ୍ତିଆନ ସିଟିଜେନ) ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛି। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବାଂଲାଦେଶୀଙ୍କ ମଧ୍ୟରେ ଛନକା ପଶିଛି। ଆଜି ସେମାନେ ଏକାଠି ହୋଇ ଆମେ ବାଂଲାଦେଶୀ ନୋହୁଁ ,ଭାରତୀୟ ବୋଲି କହିଛନ୍ତି।
ଆଜି ମହାକାଳପଡା ବ୍ଲକ୍ର ରାମନଗର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ଏ ନେଇ ବୈଠକ ବସିଥିଲା। ନାରଣ ହାଲଦାର, ଲକ୍ଷ୍ମୀକାନ୍ତ ହାଲଦାର, ନିମାଇଁ ସର୍ଜନ, ପରିମଳ ମଣ୍ତଳ, ମିଲନ ଦେବନାଥ, ରତନ କାଞ୍ଜିଲାଲ, ମୃତ୍ୟୁଞ୍ଜୟ ମଣ୍ତଳ ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ବଂଗୀୟ ଭାଷାଭାଷୀ ଏକାଠି ହୋଇଥିଲେ।
୮୦ ଭାଗ ଲୋକ ପଶ୍ଚିମବଂଗର ମେଦିନାପୁରରୁ ଆସି ଏଠାରେ ଏକାଠି ହୋଇଛନ୍ତି। ୧୯୭୧ ପୂର୍ବରୁ କିଛି ବାଂଲାଦେଶୀଙ୍କୁ ସରକାର ଏଠାରେ ଥଇଥାନ କରିଥିଲେ। ବାଂଲାଦେଶୀମାନେ ଜଳପଥରେ ଏଠାକୁ ଆସୁନାହାନ୍ତି। ଯଦି ବାଂଲାଦେଶୀମାନେ ସମୁଦ୍ରପଥରେ ଏଠାକୁ ଆସୁଛନ୍ତି, ତାହାହେଲେ କୋଷ୍ଟଗାର୍ଡ କାହିଁକି ଧରୁନି ବୋଲି ଓଲଟା ପ୍ରଶ୍ନ କରିଥିଲେ। ଆହୁରି ମଧ୍ୟ କହିଥିଲେ ଯେ, ୭ଲକ୍ଷ ଅନୁପ୍ରବେଶକାରୀ ଥିବା ନେଇ ଯାହା କୁହାଯାଉଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା।