Fri. Mar 6th, 2026

ବଲିଉଡରେ ନେପୋଟିଜିମକୁ ନେଇ ମୁହଁ ଖୋଲିଲେ ଜନ୍ ଇବ୍ରାହିମ, କହିଲେ ନିଜପାଇଁ ଦୁନିଆ ନିଜେ ସୃଷ୍ଟି କର

271 Views

ମୁମ୍ବାଇ, ସେପ୍ଟେମ୍ବର ୧୪ : ବଲିଉଡରେ ନେପୋଟିଜିମକୁ ନେଇ ଜନ ଇବ୍ରାହିମ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ନିଜ କଳାର ପରିଚୟ ପାଇଁ ନିଜର ଏକ ଦୁନିଆ ପ୍ରସ୍ତୁତ କରିବା ନିହାତି ଦରକାର ।

ସାମ୍ପ୍ରତିକ ସମୟରେ ବଲିଉଡରେ ଇନସାଇଡର ଓ ଆଉଟସାଇଡର ଭଳି ଶବ୍ଦର ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଥାଉକି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏସବୁ ବିଷୟରେ ବିତର୍କ ବଢିବାରେ ଲାଗିଛି । କଙ୍ଗନା ରଣାୱତ ମଧ୍ୟ ଏହି ପ୍ରସଙ୍ଗରେ ବଲିଉଡ ଶିଳ୍ପରେ ଆତ୍ମୀୟତା ରହିଥିବା ଅଭିଯୋଗ କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ଜନ୍ ଇବ୍ରାହିମଙ୍କ ମତ ସମ୍ପୂର୍ଣ୍ଣ ଭିନ୍ନ ଅଟେ।

ଜନ୍ ଅଳ୍ପ କିଛି ତାରକାଙ୍କ ମଧ୍ୟରୁ ଜଣେ ଯିଏ ଇଣ୍ଡଷ୍ଟ୍ରିରେ ଆଉଟସାଇଡର ଭାବରେ ଆସି ବଲିଉଡରେ ନିଜର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଯଦିଓ ଜନ୍ ନିଜକୁ ଏହି ସମସ୍ତ ଟ୍ୟାଗଗୁଡିକରୁ ଦୂରରେ ରଖିବାକୁ ପସନ୍ଦ କରନ୍ତି । ସେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଏହିସବୁ ଟ୍ୟାଗଗୁଡିକରେ ବିଶ୍ବାସ କରେନାହିଁ । ଏସବୁ ଟ୍ୱିଟର ଟ୍ରେଣ୍ଡିଂର ଏକ ଅଂଶ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ସବୁ ପ୍ରକାର ପରିସ୍ଥିତି ସହ ଲଢିବାକୁ ପଡିବ । ତେବେ ଏହାର ଶାନ୍ତିପୂର୍ଣ୍ଣ ମୁକାବିଲା କରନ୍ତୁ କିମ୍ବା ହୃଦୟରେ ତିକ୍ତତା ରଖନ୍ତୁ, କିନ୍ତୁ ସମ୍ମୁଖୀନ ହେବାକୁ ପଡିବ ।

ଜନ୍ ମଧ୍ୟ ପରିବାରବାଦର ଶିକାର ହୋଇଛନ୍ତି ଏବଂ ଷ୍ଟାର୍ କିଡଙ୍କ କାରଣରୁ ଫିଲ୍ମ ହରାଇଥିବା ବିଷୟରେ ଜନ୍ କହିଛନ୍ତି, ଯଦି ସୁଯୋଗ ପାଇବ ନାହିଁ, ତେବେ ତାହାକୁ ନିଜେ ପ୍ରସ୍ତୁତ କର । ଇଣ୍ଡଷ୍ଟ୍ରିରେ ଜଣେ କଳାକାର ମୋ ଅପେକ୍ଷା ଅଧିକ ସୁଯୋଗ ପାଇଛନ୍ତି ବୋଲି ମୁଁ ନିରାଶ ଅନୁଭବ କରିବି ତାହାର ଆବଶ୍ୟକତା ହିଁ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ମୋ ନିଜ ପାଇଁ ସମ୍ଭାବନା ସୃଷ୍ଟି କରିଥିବାରୁ କୃତଜ୍ଞ। ମୁଁ ନିଜ ଉପରେ ବିଶ୍ୱାସ କରେ  । ତେବେ ମୁଁ ମଧ୍ୟ ଲୁହ ଢାଳି କାନ୍ଦିପାରେ, ଛାତି ପିଟିପାରେ ଏବଂ କହିପାରେ ଯେ ମୋ ପ୍ରତି ଅନ୍ୟାୟ କରାଯାଇଛି, କିନ୍ତୁ ଏହା ମୋର କାମ ନୁହେଁ। ଏପରି ମୁଁ ଗଢା ହୋଇନି । ମୁଁ ଏହାଠାରୁ ବହୁତ ଶକ୍ତିଶାଳୀ । ବିଶ୍ୱାସ କରେ ଯେ ଯଦି ସୁଯୋଗ ପାଇବ ନାହିଁ, ତେବେ ନିଜର ସୁଯୋଗ ସୃଷ୍ଟି କର ।  ଯଦି ତୁମେ ଏହି ଦୁନିଆର ନୁହଁ, ତେବେ ତୁମର ନିଜର ଜଗତ ତିଆରି କର ।

By amfnews

Related Post