Fri. Mar 6th, 2026

ବନ୍ଧା ହେଲେ ପୂର୍ବତନ ଲ୍ୟାମ୍ପସ ଏମ୍‌ଡି; ଦଲାଲଙ୍କୁ ସଜାଇଥିଲେ ଚାଷୀ

144 Views

ମାଲକାନଗିରି : ମାଲକାନଗିରି ଜିଲ୍ଲା ଶିଖପାଲ୍ଲୀ ଲ୍ୟାମ୍ପସର ପୂର୍ବତନ ଏମ୍‌ଡିଙ୍କୁ ମାଲକାନଗିରି ଥାନା ପୁଲିସ୍‌  ଗିରଫ କରିଛି।  ତାଙ୍କ ନାଁ ଶ୍ୟାମ ସୁନ୍ଦର ପଟ୍ଟନାୟକ।

୨୦୧୯ ମସିହା ଜୁଲାଇ ଓ ଅଗଷ୍ଟ ମାସରେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଆରମ୍ଭ କରାଯାଇଥିଲା। ଏହି ସମୟରେ ଶ୍ୟାମ ସୁନ୍ଦର ବିଭିନ୍ନ ଚାଷୀମାନଙ୍କ ନାଁରେ ଜାଲ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିଲେ।  ଆଉ ଏହି ଜାଲ୍ ଡକ୍ୟୁମେଣ୍ଟରେ ଦଲାଲମାନେ ମଣ୍ଡିରେ ଧାନ ବିକ୍ରି କରିଥିଲେ। ତେବେ ପ୍ରକୃତ ଚାଷୀ ଯେତେବେଳେ ନିଜର ଧାନ ବିକ୍ରି କରିବାକୁ ଲ୍ୟାମ୍ପସକୁ ଯାଇଥିଲେ ସେମାନଙ୍କ ନାଁରେ ପୂର୍ବରୁ ଧାନ ବିକ୍ରି ହୋଇସାରିଥିବା କୁହାଯାଇଥିଲା।

ଚାଷୀମାନେ ଏନେଇ ଦୁଇ ମାସ ତଳେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ସେମାନଙ୍କ ଏତଲା ଆଧାରରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ଆରମ୍ଭ ହେବା ପରେ ଅଭିଯୁକ୍ତ ଶ୍ୟାମ ସୁନ୍ଦର ନିଖୋଜ ହୋଇଯାଇଥିଲେ। ତେବେ ତଦନ୍ତ ବେଳେ ସେ ଓ କିଛି ଦଲାଲ ଚାଷୀଙ୍କ ନାଁରେ ଜାଲ୍ ଡକ୍ୟୁମେଣ୍ଟ କରିଥିବା ପୁଲିସ୍‌ ଜାଣିବାକୁ ପାଇଥିଲା।

ଶ୍ୟାମ ସୁନ୍ଦର ଗତକାଲି ଘରକୁ ଆସିଥିବା ନେଇ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇବା ପରେ ରାତିରେ ସେଠାରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ଏଥିସହ ତାଙ୍କର ଅନ୍ୟ ସହଯୋଗୀଙ୍କୁ ପୁଲିସ୍‌ ଖୋଜୁଥିବା ଜଣାପଡ଼ିଛି।

By amfnews

Related Post