ରାଉରକେଲା, ୯ା୮ : ଜିଲା କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲା ସଭାପତି ରବି ରାୟଙ୍କ ନେତୃତ୍ୱରେ ବନ୍ଧମୁଣ୍ଡା ଠାରେ ଥିବା ଏକ ଅଙ୍ଗନୱାଡି କେନ୍ଦ୍ର ଗସ୍ତ କରିଥିଲେ । ବନ୍ଧମୁଣ୍ଡା କଂଗ୍ରେସ କର୍ମୀଙ୍କ ଅନୁରୋଧକ୍ରମେ କେନ୍ଦ୍ରର ବିଭିନ୍ନ ଅସୁବିଧା, ସୁବିଧା ଅନୁଧ୍ୟାନ କରିବା ପାଇଁ ଏହି ଗସ୍ତ କରାଯାଇଥିଲା । ସରକାର ଅଙ୍ଗନୱାଡି କେନ୍ଦ୍ରଗୁଡିକର ରକ୍ଷଣାବେକ୍ଷଣ ସଠିକ୍ ଭାବେ କରୁନଥିବା ସେମାନେ ଅଭିଯୋଗ କରିଥିଲେ ।
ଅଙ୍ଗନୱାଡି କେନ୍ଦ୍ରରେ ବିଦ୍ୟୁତ୍ ସୁବିଧା ନାହିଁ । ସିମେଣ୍ଟ ଛଟା ହୋଇଥିବା କାନ୍ଥ ଓ ତଳ ସବୁ ଫାଟି ଆଁ କରିଛି । କେନ୍ଦ୍ର ନିକଟରେ ନାଳନର୍ଦ୍ଦମା ଥିବାରୁ ବିଭିନ୍ନ ଜୀବାଣୁ ଦ୍ୱାରା ଛୋଟ ଛୋଟ ପିଲାମାନେ ବହୁ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତଳେ ବସି ପାଠ ପଢିବା ପଡୁଛୁ । ବିପଦ ସଂକୁଳ ଅବସ୍ଥାରେ ଅଙ୍ଗନୱାଡି ଥିବାରୁ ସେଠାରେ ପିଲାମାନଙ୍କୁ ରଖିବା ଆଦୌ ନିରାପଦ ନୁହେଁ ।
ସରକାର ଯଦି ତୁରନ୍ତ ଏସବୁ ଅସୁବିଧାର ସମାଧାନ ନ କରନ୍ତି ତେବେ ଜିଲା କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀ ପକ୍ଷରୁ କୁହାଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ ବରିୟମ ସିଂ, ରମେଶ ଗୁପ୍ତା, ସର୍ବେଶ ସିଂ, ସୁନୀଲ ସିଂ, ସୁନୀଲ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ପ୍ରମୁଖ ସାମିଲ୍ ଥିଲେ ।