Mon. Feb 3rd, 2025

ବନ୍ଦ ହେବ ଫେରୋକ୍ରୋମ କାରଖାନା, ଶ୍ରମିକଙ୍କ ମହଲରେ ଭାଳେଣି

By amfnews May 20, 2019 #Featured
230 Views

ବ୍ୟାସନଗର : ବନ୍ଦ ହେବ ଆଇଡିସି ପରିଚାଳିତ ଫେରୋକ୍ରୋମ୍‌ କାରଖାନା। ଆର୍ନ୍ତଜାତିକ ବଜାରରେ ହାଇ କାର୍ବନ ଫେରୋକ୍ରୋମର ଦର ଢେ଼ର ଖସିଯିବା ଏବଂ ଉତ୍ପାଦନ ଖର୍ଚ୍ଚ ବଢ଼ି ଚାଲିଥିବାରୁ କାରଖାନା ବନ୍ଦ ରଖିବାକୁ ସ୍ଥିର କରାଯାଇଥିବା ଜଣାପଡିଛି। ଏଥିସହ ତଳଙ୍ଗି ଖଣି ବନ୍ଦ ରହିଥିବାରୁ ବାହାରୁ ଓର କିଣି ଫର୍ଣ୍ଣେସ ଚଳାଇଲେ ଉତ୍ପାଦନ ଖର୍ଚ୍ଚ ଢେ଼ର ଅଧିକ ହେଉଛି। ଯେତିକି କ୍ରୋମ ଓର କାରଖାନା ପରିସରରେ ଗଚ୍ଛିତ ଅଛି ତାହା ଶେଷ ହେବା ପର୍ଯ୍ୟନ୍ତ ଫର୍ଣ୍ଣେସ ଚଳାଇବା ପାଇଁ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି। ଏହାକୁ ନେଇ ଶ୍ରମିକ ଏବଂ କମର୍ଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଇଡ଼କଲ ଫେରୋକ୍ରୋମ ଆଣ୍ତ ଆଲଏଜ୍ ଲିମିଟେଡ଼ କାରଖାନାରେ ଉତ୍ପାଦିତ ଦ୍ରବ୍ୟର ବଜାର ଦର କମିଯାଇଛି। ପ୍ରତି ଟନ୍ ଫେରୋକ୍ରୋମ ଉତ୍ପାଦନ ନିମନ୍ତେ ପାଖାପାଖି ୮୨ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବଜାରରେ ୬୬ ହଜାର ଟଙ୍କାରେ ବିକ୍ରି ହେଉଛି। କଞ୍ଚାମାଲ୍‌ ଅଭାବ ସାଙ୍ଗକୁ କାରଖାନାର ଅର୍ଥନୈତିକ ସ୍ଥିତି ମଧ୍ୟ ଭଲ ନାହିଁ। ଏପେଟ ୨୦୧୮ ଅକ୍ଟୋବର ମାସରୁ କାରଖାନାରେ ଅଧିକାଂଶ ସମୟ ଶ୍ରମିକ ଅଶାନ୍ତି ଲାଗି ରହିଛି। ଏଭଳି ପରିସ୍ଥିତିରେ କାରଖାନାରେ ଚାଲୁ ଥିବା ୨ଟି ଫର୍ଣ୍ଣେସକୁ ଆଉ ନ ଚଳାଇବା ପାଇଁ ଇଡକଲ ମୁଖ୍ୟାଳୟର ଅର୍ଥବିଭାଗ କାର୍ଯ୍ୟକାରୀ ନିର୍ଦ୍ଦେଶକ ବିଷ୍ଣୁପଦ ମହାପାତ୍ର ଗତ ୧୭ ତାରିଖ ଦିନ କାରଖାନାର ପରିଚାଳନା ନିର୍ଦେଶକଙ୍କୁ ଚିଠି କରିଛନ୍ତି। ଗଛିତ ଥିବା କ୍ରୋମାଇଟ ଆଉ ସପ୍ତାହ ମଧ୍ୟରେ ଶେଷ ହେବ ବୋଲି ଆକଳନ କରାଯାଉଛି।

ଏହା ଜଣାପଡ଼ିବା ପରେ କର୍ମଚାରୀ ଏବଂ ଶ୍ରମିକମାନେ ଆତଙ୍କିତ ହୋଇ ପଡିଛନ୍ତି। ଇଡ଼କଲ କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତି ଅଦୂରଦର୍ଶୀ ବୋଲି ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ କହିଛନ୍ତି। କାରଣ ଏହାଠାରୁ ଆହୁରି କଠିନ ସମୟରେ କାରଖାନା ବନ୍ଦ ନକରି କର୍ମଚାରୀ ଏବଂ ଶ୍ରମିକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇଥିଲା। ଅର୍ଥବିଭାଗ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭଳି ଜଣେ ଅଣ ବୈଷୟିକ ଅଧିକାରୀ ଏପରି ଗୁରୁତ୍ବପୂର୍ଣ୍ଣ ନିଷ୍ପତି କିପରି ନେଲେ ବୋଲି ଶ୍ରମିକ କର୍ମଚାରୀ ମହଲରେ ପ୍ରଶ୍ନ କରାଯାଉଛି।ସୂଚନାଯୋଗ୍ୟ ଯେ ୧୯୬୮ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଯାଜପୁରରୋଡରେ ଏହି କାରଖାନା ପ୍ରତିଷ୍ଠିତ ହୋଇଥିଲା ।

By amfnews

Related Post