131 Views
ଭୁବନେଶ୍ୱର, ଅଗଷ୍ଟ ୧୯ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ହାତୀ ଉପଦ୍ରବ ଦେଖାଯାଇଛି । ଭରସୁଆଁ ଓ କରଡ଼ା ଅଂଚଳରେ ୧୦ ବଖରା ହାତୀ ଉତ୍ପାତ କରିଛନ୍ତି । ହାତୀମାନଙ୍କର ଦଳ ଗତକାଲି ରାତିରେ ୩ ବଖରା ଘର ଭାଙ୍ଗି ଦେଇଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରି ଦେଇଛନ୍ତି । ଜିଲ୍ଲାର କୋଇଡା ଅଂଚଳରେ ମଧ୍ୟ ହାତୀ ଉପଦ୍ରବ ଦେଖାଯାଇଛି ।ଚଳିତ ବର୍ଷ ଜୁଲାଇ ମାସରେ ଅଳ୍ପ ବୃଷ୍ଟିପାତ ହୋଇଥିବାରୁ ଚାଷ ପ୍ରଭାବିତ ହୋଇଛି । ଚାଷୀମାନେ ବିଳମ୍ବରେ ଚାଷ କରିଛନ୍ତି । ଅଗଷ୍ଟ ମାସରେ ଭଲ ବର୍ଷା ହୋଇଥିବାରୁ ଚାଷୀଙ୍କ ମନରେ ନୂତନ ଆଶା ସଂଚାର ହୋଇଥିବା ବେଳେ ହାତୀ ଉପଦ୍ରବ ଚାଷୀଙ୍କ ମନରେ ଦୁଃଖ ଆଣିଛନ୍ତି । ଧାନଗଉ ମେରୁଦଣ୍ଡ ଟେକୁଥିବା ବେଳେ ହାତୀମାନେ ବିଲକୁ ପ୍ରବେଶ କରିବା ଦ୍ୱାରା ପ୍ରବଳ କ୍ଷତି ହୋଇଛି । ତେଣୁ ଫସଲ ଯେଭଳି ନଷ୍ଟ ନ ହେବ ବନ ବିଭାଗ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସ୍ଥାନୀୟ ଅଂଚଳର ଲୋକେ ଦାବି କରିଛନ୍ତି ।