Sat. Mar 7th, 2026

ବଜ୍ରକାପ୍ତା ଜବତ, ୨ ଗିରଫ ୫ ଲକ୍ଷ ବିକ୍ରି ହେଉଥିଲା

326 Views

ମଇଦଲପୁର/ନବରଙ୍ଗପୁର, ଡିସେମ୍ବର ୫: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ବନ ବିଭାଗ ପକ୍ଷରୁ ଚଢ଼ାଉ କରି ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ୫ ଲକ୍ଷ ଟଙ୍କାରେ ରାଜ୍ୟ ବାହାର ଜଣେ ବନ୍ୟଜନ୍ତୁ ମାଫିଆଙ୍କୁ ଏହି ବଜ୍ରକାପ୍ତାକୁ ବିକ୍ରି କରିବାକୁ ଉଦ୍ୟମ ଚାଲିଥିଲା। ତେବେ, ଦର ମୂଲ୍‌ଚାଲ୍‌ ହେବା ପୂର୍ବରୁ ବନ ବିଭାଗର ଚଢ଼ାଉ ଯୋଗୁଁ ମାଫିଆଙ୍କ ପ୍ରୟାସ ପଣ୍ଡ ହୋଇଥିବା ବେଳେ ୨ଜଣଙ୍କ ଗିରଫ ହୋଇଛନ୍ତି। ସେମାନେ ହେଲେ ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ କଣ୍ଟାସାରୁ ଗାଁର ରାଇସିଂ ଜାନି (୪୦) ଓ ଭୀମ ଜାନୀ(୩୫)।

୬ ଜଣ ନିକଟସ୍ଥ ଡଙ୍ଗରୀଗୁଡା ଜଙ୍ଗଲରେ ଶିକାର ପାଇଁ ପଶିଥିଲେ। ଏମାନଙ୍କ ହାବୁଡ଼ରେ ଗୋଟିଏ ୧୩କିଲୋ ଓଜନର ବଜ୍ରକାପ୍ତା ପଡ଼ିଥିଲା। ଚାରିପଟୁ ଘେରି ଯାଇ ବଜ୍ରକାପ୍ତାକୁ କାବୁ କରି ଗାଁକୁ ଆଣିଥିଲେ। ଏହାପରେ ସେମାନେ ଛତିଶଗଡ଼ର ଦୁଇ ବନଜନ୍ତୁ ମାଫିଆଙ୍କୁ ଯୋଗାଯୋଗ କରିଥିଲେ। ଦୁହେଁ ପହଞ୍ଚିବା ପରେ ମୂଲଚାଲ ଆରମ୍ଭ କରିଥିଲେ। ମାଫିଆ ଦୁଇ ଲକ୍ଷ ଟଙ୍କା ଦେବାକୁ ରାଜି ଥିବା ବେଳେ ୫ଲକ୍ଷ ଟଙ୍କା ସେମାନଙ୍କୁ ଦାବି କରାଯାଇଥିଲା। ଏମିତି ମୂଲଚାଲ ହେଉଥିବା ଖବର ପାଇ ବନ ବିଭାଗ କର୍ମଚାରୀ ଜଙ୍ଗଲରୁ ରାଇସିଂ ଏବଂ ଭୀମକୁ ଗିରଫ କରିବା ସହ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ। ଅନ୍ୟପଟେ ଛତିଶଗଡ଼ର ଦୁଇ ମାଫିଆ ଚକମା ଦେଇ ଖସି ପଳାଇ ଯାଇଥିଲେ।

By amfnews

Related Post