Thu. Dec 26th, 2024

ଫେବୃଆରୀ ୯ରେ ସରୁଛି ରାମ ମନ୍ଦିର ଟ୍ରଷ୍ଟ ତିଆରି ଅବଧି

By amfnews Feb 4, 2020 #Featured
284 Views

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ୩ ମାସ ପୂରଣ ହେବାକୁ ଯାଉଛି। ହେଲେ କେନ୍ଦ୍ର ସରକାର ଏଯାଏ ରାମ ମନ୍ଦିର ତିଆରି ପାଇଁ ଟ୍ରଷ୍ଟ ଘୋଷଣା କରି ନାହାନ୍ତି। ରାମ ମନ୍ଦିର ତିଆରି ପାଇଁ ସୁପ୍ରିମକୋର୍ଟ ଏକ ଟ୍ରଷ୍ଟ ତିଆରି କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଫେବୃଆରୀ ୯ ପୂର୍ବରୁ ଏହି ଟ୍ରଷ୍ଟ ତିଆରି କରିବାକୁ ହେବ। ହାତରେ ଆଉ ୫ ଦିନ ରହିଥିବା ବେଳେ କେନ୍ଦ୍ର ସରକାର ଏହାରି ଭିତରେ ଟ୍ରଷ୍ଟ ବାବଦରେ ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି।

ତେବେ ଟ୍ରଷ୍ଟ ତିଆରି ପୂର୍ବରୁ କେନ୍ଦ୍ର ସରକାର ରାମ ମନ୍ଦିର ଟ୍ରଷ୍ଟ ପ୍ରସ୍ତାବକୁ କ୍ୟାବିନେଟରେ ପାସ କରିବେ। ଏହି ଟ୍ରଷ୍ଟ ମନ୍ଦିର ନିର୍ମାଣର ଶୈଳୀ, ଆର୍ଥିକ କ୍ଷମତା ଉପରେ ନଜର ରଖିବ। ଏହି ଟ୍ରଷ୍ଟରେ କେଉଁମାନେ ସଦସ୍ୟ ରହିବେ ସେ ବାବଦରେ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି ନେବ। ଏହି ଟ୍ରଷ୍ଟ ବାବଦରେ କେନ୍ଦ୍ର ସରକାର ସଂସଦରେ ମଧ୍ୟ ବିଧେୟକ ଆଣିପାରନ୍ତି।

ଏହାବାଦ ସୁପ୍ରିମକୋର୍ଟ ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଜାଗା ଦେବା ପାଇଁ ଉତ୍ତର ପ୍ରଦେଶ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ୟୁପି ସରକାର ତିନୋଟି ଜାଗା ବାବଦରେ କେନ୍ଦ୍ରକୁ ପ୍ରସ୍ତାବ ଦେଇ ସାରିଛନ୍ତି। କେନ୍ଦ୍ର କ୍ୟାବିନେଟ ମଧ୍ୟ ମସଜିଦ ନିର୍ମାଣ ନେଇ ଜମିକୁ ଅନୁମୋଦନ ଦେବ।

ରାମ ମନ୍ଦିର ଟ୍ରଷ୍ଟ ତିଆରି ପାଇଁ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଦେଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଟ୍ରଷ୍ଟ ତିଆରି ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସରକାର ବିଶ୍ୱ ହିନ୍ଦୁ ପରିଷଦ, ରାମ ଜନ୍ମଭୂମି ନ୍ୟାସ, ସୁନ୍ନୀ ଓ୍ୱାକଫ ବୋର୍ଡ ସମେତ ସମସ୍ତ ପକ୍ଷଙ୍କ ରାୟ ମଧ୍ୟ ନେଇ ସାରିଛି।

ତେବେ ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଲା କିଏ ରହିବେ ମନ୍ଦିର ଟ୍ରଷ୍ଟରେ। ଦୀର୍ଘ ୩ ଦଶନ୍ଧି ଧରି ହୋଇଥିବା ରାମ ମନ୍ଦିର ଆନ୍ଦୋଳନରେ ଅନେକ ସାଧୁ ସନ୍ଥ ସାମିଲ ରହିଛନ୍ତି। ଟ୍ରଷ୍ଟରେ ଏକ ସମୀତ ସଦସ୍ୟ ରହିବେ। ତେଣୁ କିଏ ରହିବେ କାହାକୁ ସାମିଲ କରାଯିବନି, କେଉଁ ଆଧାରରେ ନିଷ୍ପତ୍ତି ନେବେ? ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି।

ସୂଚନାଯୋଗ୍ୟ, ୯ ନଭେମ୍ୱର ୨୦୧୯ରେ ରାମ ମନ୍ଦିର ମାମଲାର ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ରାୟ ଶୁଣାଣି ବେଳେ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଏବଂ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାର ଯେକୌଣସି ସ୍ଥାନର ୫ ଏକର ଜମି ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏହାର ରାୟ ଶୁଣାଣି କରିଥିଲେ।

By amfnews

Related Post