Sat. Mar 7th, 2026

ଫୁଲବାଣୀ: କୋର୍ଟକୁ ବି ଛାଡ଼ିଲେନାହିଁ ଚୋର, କୋର୍ଟ ମାଲଖାନାରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚୋରି

452 Views

ଫୁଲବାଣୀ,୨୯/୧୦ : ଗତକାଲି ରାତିରେ ଫୁଲବାଣୀ ସହରରେ ଘଟିଛି ଏକ ଅଭାବନୀୟ ଘଟଣା। ସହରରେ ଦୁର୍ବୃତ୍ତମାନଙ୍କ ଉତ୍ପାତ ଏମିତି ବଢ଼ି ଯାଇଛି ଯେ ସେମାନେ ପୁଲିସ ତ ଦୂରର କଥା, କୋର୍ଟକୁ ମଧ୍ୟ ଆଉ ଭୟ କରୁ ନାହାଁନ୍ତି।  ପରିସ୍ଥିତି ଏମିତି ହୋଇଛି ଯେ ଗତକାଲି ରାତିରେ କୋର୍ଟର ମାଲଖାନା ଭାଙ୍ଗି ଓ ରାତ୍ର ଜଗୁଆଳିଙ୍କୁ ଭୟଭିତ କରି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚୋରି କରି ନେଇଛନ୍ତି। ଖବର ପାଇ ବିଳମ୍ବିତ ରାତିରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର ଚୋରମାନଙ୍କ  ସମ୍ପର୍କରେ କିଛି ସୂଚନା ପାଇ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ,  ଗତକାଲି ରାତି ପ୍ରାୟ ୨ଟା ବେଳେ  ୧୦ରୁ ୧୨ ଜଣ ଯୁବକ ୬ଟି ବାଇକ୍‌ରେ ଆସି  କନ୍ଧମାଳ ଜିଲ୍ଲା କୋର୍ଟ ପରିସରରେ ଥିବା ମାଲକାନା ନିକଟରେ ପହଞ୍ଚିଥିଲେ।  ପରେ ସେମାନେ ଶାବଳରେ ମାଲଖାନାର ଝରକା ତାଡ଼ି ଦେବା ସହିତ ଏହା ଭିତରେ ଥିବା ଗଞ୍ଜେଇ ରୁ ୬ ବସ୍ତା ଗଞ୍ଜେଇକୁ ବାହାରକୁ ଆଣିଥିଲେ। ତେବେ ଝରକା ତଡ଼ା ଯାଉଥିବା ଶବ୍ଦ ଶୁଣି ରାତ୍ର ଜଗୁଆଳ କାହ୍ନ ଓ କୃଷ୍ଣ ସେମାନଙ୍କ ଆଡକୁ ଆସିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ଭୟଭିତ କରି ତରତରରେ ୫ବସ୍ତା ଗଞ୍ଜେଇ ନେଇ ଫେରାର ହୋଇ ଯାଇଥିଲେ। ତେବେ ଏ ସମ୍ପର୍କରେ ଖବର ପାଇ ପୁଲିସ ରାତି ସାଢ଼େ ୨ଟା ବେଳେ ମାଲଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜବତ ଗଞ୍ଜେଇର ଓଜନ ପାୟ ଦେଢ଼ କ୍ୱିଣ୍ଟାଲ ହେବ ଓ ଏହାର ବଜାର ମୂଲ୍ୟ ପ୍ରାୟ ୬ରୁ ୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

By amfnews

Related Post