Sun. Mar 8th, 2026

ଫୁଡ୍‌ ଦରବାର‌ରେ ଆତଙ୍କ : ଖଣ୍ଡା ବୁଲାଇଲେ, ଦୋକାନ ଭାଙ୍ଗିଲେ, ବଟି ନ ଦେବାରୁ ଆକ୍ରମଣ, ୨ ଆହତ

153 Views

ଭୁବନେଶ୍ବର : ରବିବାର ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ୨୦ରୁ ଊର୍ଧ୍ବ ଯୁବକ ହାତରେ ଖଣ୍ଡା, ବାଉଁଶ ମୂଳି ଧରି ସହିଦନଗରସ୍ଥିତ ଫୁଡ୍‌ ଦରବାରରେ ଆତଙ୍କ ଖେଳାଇଛନ୍ତି। ସେମାନେ ଉକ୍ତ ଫାଷ୍ଟଫୁଡ୍‌ ଦୋକାନରେ ପଶି ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ଦୋକାନର କର୍ମଚାରୀ ସାଇକ୍ରିଷ୍ଣା ଦାସ ଓ ମାନସ ରାଉତ ଆହତ ହୋଇଛନ୍ତି। ଏହା ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିଲା। ସେଠାରେ ଉପସ୍ଥିତ ଲୋକେ ଭୟରେ ଦୌଡ଼ାଦୌଡ଼ି କରି ପଳାଇଥିଲେ।

ସୂଚନା ମୁତାବକ, କିଛି ଦିନ ତଳେ ସମ୍ପୃକ୍ତ ଯୁବକମାନେ ଫୁଡ୍‌ ଦରବାରର ସୁଦର୍ଶନ ରାଉତଙ୍କୁ ୫୦ହଜାର ଟଙ୍କା ଦାଦାବଟି ମାଗିଥିଲେ। ହେଲେ ସେ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି ମନା କରିଦେବାରୁ ଯୁବକମାନେ ତାଙ୍କୁ ଧମକ ଦେଇ ଚାଲି ଯାଇଥିଲେ। ଆଜି ସନ୍ଧ୍ୟା‌ରେ ସୁଦର୍ଶନ ଦୋକାନରେ ଥିବା ବେଳେ ୨୦ରୁ ଊର୍ଧ୍ବ ଯୁବକ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଧରି ଦୋକାନରେ ଭଙ୍ଗାରୁଜା କରିଥିଲେ। ପ୍ରତିବାଦ କରିବାରୁ ସେମାନେ ଦୋକାନର କର୍ମଚାରୀ ସାଇକ୍ରିଷ୍ଣା ଦାସ ଓ ମାନସ ରାଉତଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ସେଥିମଧ୍ୟରୁ ପୁଲିସ ଜଣକୁ କାବୁ କରି ଥାନରେ ଅଟକ ରଖିଛି। ପରେ ଏନେଇ ସୁଦର୍ଶନ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

By amfnews

Related Post