Sat. Mar 15th, 2025

ଫି’ ଷ୍ଟ୍ରକ୍‌ଚର ଘୋଷଣା ନ କଲେ ଆନ୍ଦୋଳନ

By amfnews Jan 29, 2019 #Featured
163 Views

ଭୁବନେଶ୍ବର : ଘରୋଇ ସ୍କୁଲଗୁଡ଼ିକ ମନ ଇଚ୍ଛା ଫି’ ଆଦାୟ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ବତନ୍ତ୍ର ଅଧ୍ୟାଦେଶ ଜାରି ହୋଇ ନ ଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଉ ଅଳ୍ପ ଦିନ ପରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଥିବାରୁ କେତେକ ଘରୋଇ ଶିକ୍ଷାନୁଷ୍ଠାନ ଗତବର୍ଷ ଅପେକ୍ଷା ଅଧିକ ଫି’ ଆଦାୟ କରିବା ସହ ୧୦ ବର୍ଷିଆ ଫି’ ଆଦାୟ ଘୋଷଣାନାମା ମଧ୍ୟ ଅଭିଭାବକମାନଙ୍କଠାରୁ ବେଆଇନ ଭାବେ ନେବା ପାଇଁ ନିର୍ଦେଶ ଦେଇଛନ୍ତି।

ସେପଟେ ଗତ ସେପ୍ଟେମ୍ବର ମାସଠାରୁ ଫି’ ଆଦାୟ ସଂକ୍ରାନ୍ତରେ ଏଫ୍‌ଆରସି (ଫି’ ରେଗୁଲାରିଟି କମିଟି) ଗଠନ କରି ଏସମ୍ପର୍କିରେ ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ସରକାର ଗ୍ରହଣ କରି ସାରିଥିଲେ ମଧ୍ୟ ତାହାର କୌଣସି ଘୋଷଣା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଫି’ ଷ୍ଟ୍ରକଚର ବାବଦରେ ଯଦି ତୁରନ୍ତ ଘୋଷଣା କରା ନଯାଏ ତେବେ ଏଥର ବି ଘରୋଇ ବିଦ୍ୟାଳୟଗୁଡ଼ିକ ମନଇଚ୍ଛା‌ ଫି’ ଆଦାୟ କରିବାର ଆଶଙ୍କା ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀଙ୍କୁ ଏନେଇ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଯଦି ତୁରନ୍ତ ପଦକ୍ଷେପ ନିଆ ନଯାଏ ତେବେ ଅଭିଭାବକମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଉତ୍କଳ ସାମ୍ବାଦିକ ସଂଘରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଅଭିଭାବକ ମହାସଂଘର ଚେୟାରମ୍ୟାନ୍‌ ବାସୁଦେବ ଭଟ୍ଟ, କୋ-ଚେୟାରମ୍ୟାନ୍‌ ପ୍ରସନ୍ନ ବିଶୋଇ, ସତ୍ୟବ୍ରତ ପରିଜା, ଅଶୋକ ପାଇକରାୟ, ନୃସିଂହ ସାହୁ ପ୍ରମୁଖ କହିଛନ୍ତି।

By amfnews

Related Post