Sat. Mar 7th, 2026

ଫଲକ୍‌ନାମା ଏକ୍ସପ୍ରେସ୍‌ରୁ ୫ ରୁପା ଇଟା ଜବତ, ଜଣେ ଗିରଫ

375 Views

ବାଲେଶ୍ବର : ଫଲକ୍‌ନାମା ଡାଉନ୍‌ ଏକ୍ସପ୍ରେସ୍‌(୧୨୭୦୪)ରୁ ଗତକାଲି ୫ଟି ରୁପାଇଟା ଜବତ କରାଯାଇଥିବା ବେଳେ ଏହାକୁ ‌ବ୍ୟାଗ୍‌ରେ ଭର୍ତ୍ତି କରି ନେଉଥିବା ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଗିରଫ ଯାତ୍ରୀଙ୍କ ନାମ ଅଶୋକ ଭଣ୍ଡାରୀ(୪୪)। ସେ ପଶ୍ଚିମବଙ୍ଗ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲା ମୋଗ୍ରାହାଟ ଥାନା ଅନ୍ତର୍ଗତ ବିଶ୍ବାସପଡ଼ା ଗ୍ରାମର ମହାଦେବ ଭଣ୍ଡାରୀଙ୍କ ପୁ୍ଅ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଗତକାଲି ଗଂଜାମ ଜିଲ୍ଲା ବରହମ୍‌ପୁର ରେଳଷ୍ଟେସନରୁ ହାୱଡ଼ା ଯାଉଥିବା ଡାଉନ୍‌ ଫଲକ୍‌ନାମା ସୁପରଫାଷ୍ଟ ‌ଏକ୍ସପ୍ରେସରେ ଅଶୋକ ଭଣ୍ଡାରୀ ଏକ କଳାରଂଗର ବ୍ୟାଗ୍‌ ଧରି ଉଠିଥିଲେ। ତେବେ ଖଡ଼ଗପୁର ଷ୍ଟେସନରେ ଅପରାହ୍ନ ୪ଟାରେ ଟ୍ରେନ୍‌ ପହଞ୍ଚିବା ପରେ ସେ ଟ୍ରେନ୍‌ରୁ ଓହ୍ଲାଇ ତୁରନ୍ତ ସେଠାରୁ ଅନ୍ୟ ଏକ ଟ୍ରେନ୍‌ରେ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଆରପିଏଫ୍‌ ଟାସ୍କଟିମ୍‌ ‘ବି’ ଓ ଖଡ଼ଗପୁର ଜିଆରପି ଟିମ୍‌ର ତାଙ୍କ ଉପରେ ନଜର ପଡ଼ିଯାଇଥିଲା। ଅଶୋକ ସେମାନଙ୍କୁ ଦେଖି ଦୌଡ଼ି ପଳାଇଯାଉଥିବା ବେଳେ ଟାସ୍କଟିମ୍‌ ଗୋଡ଼େଇ ଗୋଡ଼େଇ ତାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ଉକ୍ତ କଳାବ୍ୟାଗ୍‌ଟିକୁ ଜବତ କରିବା ପରେ ସେଥିରୁ ୫ଟି ଓଜନିଆ ରୁପାଇଟା ବାହାରିଥିଲା। ଉକ୍ତ ରୁପାଇଟାକୁ ଓଜନ କରାଯିବା ପରେ ତାହା ୧୫ କେଜି ୮୫୭ ଗ୍ରାମ୍‌ ଥିବା ଜଣାପଡ଼ିଛି। ଯ‌ାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢ଼େ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆରପିଏଫ୍‌ ପକ୍ଷରୁ କୁହାଯାଇଛି। ଏତେ ପରିମାଣର ରୁପାଇଟାକୁ ଅଭିଯୁକ୍ତ ଅଶୋକ ତାଙ୍କ ଅଞ୍ଚଳର ଏକ ଜୁଏଲାରୀକୁ ନେଇ ଯାଉଥିବା ସଫେଇ ଦେଇଥିଲେ। ହେଲେ ସେ ଏହାକୁ କେଉଁଠୁ ଓ କାହାଠାରୁ ଆଣିଲେ ସେ ନେଇ କିଛି ଜବାବ କିମ୍ବା ପ୍ରମାଣ ଦେଖାଇ ପାରିନଥିଲେ। ତେବେ ଏନେଇ ରେଳବାଇ ପୁଲିସ ଅଧିକ ଖୋଳତାଡ଼ କରୁଥିବା ଜଣାପଡ଼ିଛି। ଆଜି ଅଭିଯୁକ୍ତ ଅଶୋକ ନାଁରେ ୪୩/୧୯ରେ(ଦଫା-୩୭୯/୪୧୧/୪୧୩/୪୧୪) ମୂଳେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଏଥିସହ ଖୁବ୍‌ଶୀଘ୍ର ତାକୁ ରିମାଣ୍ଡରେ ଅଣାଯିବ ବୋଲି ମଧ୍ୟ ବୋଲି ଜଣାଯାଇଛି।

By amfnews

Related Post