ଭୁବନେଶ୍ବର : ଆରମ୍ଭ ହେବ ବାଇ ଚଢ଼େଇଙ୍କ ଗଣନା। ଚମତ୍କାର ବସା ନିର୍ମାଣ କରିବାରେ ମାହିର ଏହି ଚଢ଼େଇମାନେ ଲୁପ୍ତ ପ୍ରାୟ ହୋଇ ଆସୁଥିବା ବେଳେ ଏମାନଙ୍କୁ ଗଣନା କରିବାକୁ ୪ ବର୍ଷ ହେଲା ଉଦ୍ୟମ ଆରମ୍ଭ କରିଛି ଭାରତୀୟ ପକ୍ଷୀ ସଂରକ୍ଷଣ ନେଟ୍ୱର୍କ(ଆଇବିସିଏନ୍)। ଏପ୍ରିଲ୍ରୁ ଅଗଷ୍ଟ ମାସ ବାଇ ଚଢ଼େଇମାନଙ୍କର ପ୍ରଜନନ ଋତୁ ହୋଇଥିବାରୁ ଜୁନ୍ ସୁଦ୍ଧା ଗଣନା ପାଇଁ ଅଣ୍ଟା ଭିଡ଼ିଛି ଆଇବିସିଏନ୍। ଏଥିପାଇଁ ସଂସ୍ଥା ପକ୍ଷରୁ ପକ୍ଷୀ ପ୍ରେମୀ ସ୍ବେଚ୍ଛାସେବୀମାନଙ୍କୁ ସାମିଲ୍ ହେବାକୁ ଅହ୍ବାନ କରିଛନ୍ତି ଆଇବିସିଏନ୍ ରାଜ୍ୟ ଚାପ୍ଟରର ସଂଯୋଜିକା ମୋନାଲିସା ଭୁଜବଳ।
ଓଡ଼ିଶାରେ ମୁଖ୍ୟତଃ ୩ ପ୍ରଜାତିର ବାଇ ଚଢ଼େଇ ଦେଖିବାକୁ ମିଳନ୍ତି। ସେମାନଙ୍କର ଇଂରାଜୀ ନାମ ବାୟା ୱିଭର୍, ଷ୍ଟ୍ରିକ୍ଡ ୱିଭର ଓ ବ୍ଲାକ୍ ବ୍ରେଷ୍ଟେଡ୍ ତଥା ବ୍ଲାକ୍ ଥ୍ରୋଟେଡ୍ ୱିଭର୍। ୩ ପ୍ରଜାତି ମଧ୍ୟରେ ବାଇ ଚଢ଼େଇ ବା ବାୟା ୱିଭର୍ ଦେଶରେ ଅଧିକ ଦେଖାଯାଆନ୍ତି। ଏମାନେ ତାଳଗଛ ଓ ବିଭିନ୍ନ ବଡ଼ବଡ଼ ବୃକ୍ଷରୁ ଆରମ୍ଭକରି ସନ୍ତସନ୍ତିଆ ସ୍ଥାନ କିମ୍ବା କୂଅ ମଧ୍ୟରେ ମଧ୍ୟ ବସା କରୁଥିବା ଦେଖିବାକୁ ମିଳେ। ଝୁଲନ୍ତା ଅବସ୍ଥାରେ ରହୁଥିବା ଆକର୍ଷଣୀୟ ବସା ହିଁ ବାଇ ଚଢ଼େଇର ପରିଚୟକୁ ସ୍ବତନ୍ତ୍ରତା ଦେଇଛି। ପ୍ରଜନନ ସମୟରେ ପୁରୁଷ ବାଇ ଚଢ଼େଇର ପର ହଳିଦିଆ ଦୃଶ୍ୟମାନ ହୋଇଥାଏ।
ପକ୍ଷୀମାନେ ମୁଖ୍ୟତଃ ବହୁ ସହଚର ହୋଇଥିବାରୁ ସେମାନେ ଭିନ୍ନ ଭିନ୍ନ ସ୍ଥାନରେ ବସା ନିର୍ମାଣ କରନ୍ତି। ତେବେ ସହରୀକରଣ, ଆଧୁନିକ କୃଷି ପ୍ରଣାଳୀ, ଶିଳ୍ପ କାରଖାନା, ଉନ୍ନତୀକରଣ, ଜନସଂଖ୍ୟା ବୃଦ୍ଧି ଏବଂ ଜଙ୍ଗଲ କ୍ଷୟ ସଂପ୍ରତି ବାଇ ଚଢ଼େଇ ବଞ୍ଚିବା ପାଇଁ ଆହ୍ବାନ ଛିଡ଼ା କରିଛି। ୧୯୭୨ ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍ ଅନୁଯାୟୀ ବାଇଚଢ଼େଇ ତଫସିଲଭୁକ୍ତ ୪ ଶ୍ରେଣୀର ପକ୍ଷୀ ହୋଇଛି। ତେଣୁ ବିରଳ ପ୍ରଜାତିର ଏହି ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ସଚେତନତା ସୃଷ୍ଟି ସହ ୨୦୧୬ରୁ ଆଇବିସିଏନ୍ ବାଇଚଢ଼େଇଙ୍କ ଗଣନା ଆରମ୍ଭ କରିଛି। ବିଗତ ୩ ବର୍ଷରେ ସମଗ୍ର ଭାରତ ବର୍ଷରେ ଓଡ଼ିଶାରେ ବାଇ ଚଢ଼େଇଙ୍କ ସଂଖ୍ୟା ଅଧିକ ଥିବା ଜଣାପଡ଼ିଛି। ତେବେ ଚଳିତ ବର୍ଷ ଫନିରେ ବ୍ୟାପକ କ୍ଷୟକ୍ଷତି ସହ ବଡ଼ବଡ଼ ବୃକ୍ଷ ଉପୁଡ଼ି ପଡ଼ିଥିବାରୁ ବାଇ ଚଢ଼େଇଙ୍କ ସଂଖ୍ୟା ହ୍ରାସ ପାଇବ ନା ସ୍ଥିର ରହିବ ତାହା ଗଣନା ପରେ ହିଁ ଜଣାପଡ଼ିବ।