Sun. Mar 8th, 2026

ପ୍ରାର୍ଥନା ଚାଲିଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ, ୨୭ ମୃତ

206 Views

କାବୁଲ, ନଭେମ୍ବର ୨୪: ଆଫ୍‌ଗାନିସ୍ତାନର ପୂର୍ବ ପ୍ରଦେଶରେ ଥିବା ଏକ ସେନା ବେସ୍‌ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ ଘଟିଛି। ଶୁକ୍ରବାର ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଆତ୍ମଘାତୀ ଆତଙ୍କବାଦୀ ବିସ୍ଫୋରଣ କରିବାରୁ ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୯ ଜଣ ସୁରକ୍ଷାକର୍ମୀ ରହିଛନ୍ତି।ଏଥିସହ ଏହି ଭୟଙ୍କର ଆତଙ୍କବାଦୀ ହମ୍‌ଲାରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

୨୦୩ ଆର୍ମି କ୍ରପ୍ସ ବ୍ରିଗେଡିୟରଙ୍କ ମୁଖପାତ୍ର କହିଛନ୍ତି, “ ଇସ୍ମାଇଲ୍‌ ଖେଲ୍‌ ମନଜୋଦାଇଠାରେ ଥିବା ସେନା ବେସ୍‌ର ମସଜିଦ୍‌ରେ ଶୁକ୍ରବାର ଏହି ଭୟଙ୍କର ବିସ୍ଫୋରଣ ଘଟିଛି। ମସିଜିଦ୍‌ରେ ପ୍ରାର୍ଥନା ଆରମ୍ଭ ହେବା କ୍ଷଣି ଜଣେ ବିସ୍ଫୋରକ ଖଚିତ ଆତଙ୍କବାଦୀ ନିଜକୁ ଉଡ଼ାଇ ଦେଇଥିଲା।

ଏଥିରେ ଘଟଣାସ୍ଥଳରେ ହିଁ ୯ ସୁରକ୍ଷାକର୍ମୀଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ସେନା ବେସ୍‌ ମଧ୍ୟକୁ ଆତଙ୍କବାଦୀ ଜଣଙ୍କ କେମିତି ଗଲା, ତାହା ଜଣାପଡ଼ିନାହିଁ। ଏବେ ଏହାର ତଦନ୍ତ ଚାଲିଛି।”

ଏହା ପୂର୍ବରୁ କାବୁଲରେ ଜଣେ ଆତ୍ମଘାତୀ ଆତଙ୍କବାଦୀ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେବାରୁ ୫୫ ଜଣଙ୍କ ମୃତ୍ୟୁ ଘଟିଥିଲା।

By amfnews

Related Post