ଉପେନ୍ଦ୍ର ମଉସା, ଫୁଜି ଗୁରୁଜୀ ଓ ଧଉଳି ଶାନ୍ତି ସ୍ତୂପ
ଭାରତର ଜଣେ ପ୍ରଖ୍ୟାତ ଚିତ୍ରଶିଳ୍ପି ଭାବେ ଉପେନ୍ଦ୍ର ମହାରଥି ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ ମଧ୍ୟ ଓଡ଼ିଶାରେ ତାଙ୍କୁ ଖୁବ କମ୍ ସଂଖ୍ୟକ ଲୋକ ଜାଣିଥିଲେ । ସେ ଥିଲେ ମୋ ବାବାଙ୍କର ବାଲ୍ୟବନ୍ଧୁ ତେଣୁ ଉଭୟେ ପରସ୍ପରକୁ ‘ସଂଗାତ’ ବୋଲି ଡ଼ାକୁଥିଲେ ।
ସେହି କାରଣରୁ ଆମେମାନେ ତାଙ୍କୁ ଉପେନ୍ଦ୍ର ମଉସା ବୋଲି ଡ଼ାକୁଥିଲୁ । ମଉସାଙ୍କର ଜନ୍ମ ସ୍ଥାନ ବାଣପୁର ନିକଟବର୍ତ୍ତୀ ନରେନ୍ଦ୍ରପୁରରେ । ତାଙ୍କ ବାପା ଗୋକୁଳାନନ୍ଦ ମହାରଥି ଥିଲେ ଜଣେ ସମ୍ମାନସ୍ପଦ ବ୍ୟକ୍ତି । ତାଙ୍କ ଦାଦା ଗୋବର୍ଦ୍ଧନ ବଳିଆରସିଂହ ମୋ ଜେଜେବାପା ଜମିଦାର ଦାସରଥି ପଟ୍ଟନାୟକଙ୍କ ଜମିଦାରିରେ ମ୍ୟାନେଜର ଭାବେ କାମ କରୁଥିଲେ ।
ସେତେବେଳେ ଆମ ପରିବାର ସହ ସେ ଗୋଟିଏ ପରିବାର ଭଳି ଚଳିଆସୁଥିଲେ । ମୋ ଜେଜେମା ନୟନଦେବୀ ମଉସାଙ୍କୁ ନିଜ ପୁଅ ଭଳି ସ୍ନେହଶ୍ରଦ୍ଧା କରୁଥିଲେ । ମୋ ଜେଜେ ଫଟୋଗ୍ରାଫି, ଲଳିତ କଳା ଏବଂ ଅଭିନୟ ପ୍ରଭୃତି ପାଇଁ ଆଗ୍ରହି ଥିବାରୁ ସେ ନିଜେ ଚିତ୍ର ଆଙ୍କିବାକୁ ଭଲପାଉଥିଲେ । ଏବଂ ଚିତ୍ର ଆଙ୍କିବା ସମୟରେ ଉପେନ୍ଦ୍ର ମଉସା ତାଙ୍କ ନିକଟରେ ବସି ଆଗ୍ରହର ସହ ଡ୍ରଇଂ ଓ ପେଣ୍ଟିଂ ସିଖିବା ଲାଗି ଚେଷ୍ଟା କରୁଥିଲେ । ଆମ ଗାଁରେ ଥିଏଟର କରିବା ପାଇଁ ପୁରୀର ଜଣାସୁଣା ଚିତ୍ରଶିଳ୍ପି ହାତି ମହାରଣାଙ୍କୁ ଡ଼କାଇ ଡ୍ରାମା ଲାଗି ଉଦ୍ଧିଷ୍ଟ ବିଭିନ୍ନ ସିନ୍ ଚିତ୍ରଣ କରାଯିବା ସମୟରେ ମଉସା ମଧ୍ୟ ସେ ସବୁକୁ ଗଭୀର ଭାବେ ଅନୁଧ୍ୟାନ କରି ନିଜେ ଡ୍ରଇଂ ଓ ପେଣ୍ଟିଂ କରିବା ଲାଗି ଉଦ୍ୟମ କରୁଥିଲେ । ପାଠ ପଢ଼ିବା ଲାଗି ତାଙ୍କର ବିଶେଷ ଆଗ୍ରହ ପରିଲକ୍ଷିତ ହେଉନଥିଲା ତେଣୁ ସେ କଲିକତା ଯାଇ ଚିତ୍ରକଳା ଶିକ୍ଷା ଲାଭ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ପରିବାରରେ ତାଙ୍କୁ କେହି ଉତ୍ସାହିତ କରିନଥିଲେ । ତାଙ୍କର ଦାଦାପୁଅ ଭାଇ ରଘୁନାଥ ବଳିଆରସିଂ ଜଣେ ମେଧାବୀ ଛାତ୍ରଥିବାରୁ ସମସ୍ତେ ତାଙ୍କ ଉଚ୍ଚ ଶିକ୍ଷା ଲାଗି ଆଗ୍ରହି ଥିବା ସହ ତାଙ୍କୁ ଉତ୍ସାହିତ କରୁଥିଲେ ।
ମଉସା କଲିକତାରେ ଚାରୁକଳା ଶିକ୍ଷା କରିବା ବିଷୟ କହିବା ପରେ ତାଙ୍କୁ ସହଯୋଗ ବା ଉତ୍ସାହ ନମିଳିବାରୁ ସେ ଯେକୌଣସି ମତେ ଗୋପନରେ କଲିକତା ପଳାଇବେ ବୋଲି ସ୍ଥିର କରି ମୋ ଜେଜେମାଙ୍କୁ କହିଥିଲେ । ଜେଜେମା ସେତେବେଳେ ତାଙ୍କୁ ୨୦ଟଙ୍କା ଦେଇ କଲିକତା ଯାଇ ସୁନାମ କରିବା ପାଇଁ ଆର୍ଶିବାଦ ମଧ୍ୟ ଦେଇଥିଲେ ।
ମଉସା କଲିକତା ଆର୍ଟ ସ୍କୁଲରେ ନାମ ଲେଖାଇଥିଲେ ଏବଂ ୧୯୨୫ରୁ ୧୯୩୧ ପର୍ଯ୍ୟନ୍ତ ସେଠାରେ ଶିକ୍ଷା ଲାଭ କରୁଥିବା ସମୟରେ ନେତାଜି ସୁବାଷ ଚନ୍ଦ୍ର ବୋଷଙ୍କ ପରିବାର ସହ ତାଙ୍କର ପରିଚୟ ଓ ଘନିଷ୍ଟତା ବୃଦ୍ଧି ପାଇଥିଲା ସେ ସେତେବେଳେ ଭାରତୀୟ କଳା ସଂପର୍କରେ ଯଥେଷ୍ଟ ଦକ୍ଷତା ଲାଭ କରିଥିବା ପେର୍ସି ବ୍ରାଉନ ଏହି ଅନୁଷ୍ଠାନର ଅଧ୍ୟକ୍ଷ ଥିଲେ ।
ମଉସାଙ୍କ କଳା ନିପୁଣତାରେ ମୁଗ୍ଧହୋଇ ସେ ତୋଙ୍କୁ ଯଥା ସମ୍ଭବ ଉତ୍ସାହିତ କରିଥିଲେ । କଲିକତା ଆର୍ଟ ସ୍କୁଲ ଶିକ୍ଷା ସମାପ୍ତି ପରେ ଓଡ଼ିଶା ଫେରିବା ଲାଗି ତାଙ୍କର ଯଥେଷ୍ଟ ଆଗ୍ରହ ଥିଲେ ମଧ୍ୟ ଓଡ଼ିଶାରେ ତାଙ୍କ ପାଇଁ ଚାକିରି ଟିଏ ମିଳିନଥିଲା । ଅନ୍ୟ ଉପାୟ ନଦେଖି ସେ ୧୯୩୧ ମସିହାରେ ବିହାର ଯାଇ ସେଠାରେ ଭାଗ୍ୟ ପରୀକ୍ଷା କରିବେ ବୋଲି ସ୍ଥିର କରିଥିଲେ । ଚିତ୍ରକଳାରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଓଡ଼ିଶାରେ ସେତେବେଳେ କୌଣସି ଅନୁଷ୍ଠାନ ନଥିଲା ୧୯୫୭ ମସିହାରେ ରାଜ୍ୟର ପ୍ରଥମ କଳା ଓ ହସ୍ତଶିଳ୍ପ ଶିକ୍ଷା ଲାଗି ଗଞ୍ଜାମ ଜିଲ୍ଲାର ଖଲିକୋଟ ଠାରେ ଗଭର୍ଣ୍ଣମେଣ୍ଟ କଲେଜ ଅଫ ଆର୍ଟ ଆଣ୍ଡ କ୍ରାପ୍ଟସ୍ ପ୍ରତିଷ୍ଠିତ ହୋଇଥିଲା ।
ବିହାରରେ ମଉସା ସାହିତ୍ୟ ସଂସ୍କୃତି କଳା ପ୍ରଭୃତିର ପୁର୍ନଉଦ୍ଧାର ଓ ପ୍ରସାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ଏବଂ ଦରଭଙ୍ଗା ଜିଲ୍ଲାର ଲହରିଆ ସରାଇ ସ୍ଥିତ ପୁସ୍ତକ ଭଣ୍ଡାର ପାଇଁ କେତେକ ସୁଦୃଶ୍ୟ ପୋଷ୍ଟର ଓ ପୁସ୍ତକର ମଲାଟ ପ୍ରଭୃତି ଆଙ୍କି ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ । ଦେବାଦେବି ଏବଂ ଦେଶର ମହାପୁରୁଷମାନଙ୍କ ସଂପର୍କରେ ତାଙ୍କ ଦ୍ୱାରା ଅଙ୍କିତ ରଙ୍ଗିନ ଚିତ୍ର ସବୁ ଉଚ୍ଚ ପ୍ରଶଂସିତ ହେବା ସଂଗେସଂଗେ ବହୁଳ ପରିମାଣରେ ପ୍ରସାରିତ ହୋଇଥିଲା । ୧୯୩୩ରୁ ୧୯୪୨ ପର୍ଯ୍ୟନ୍ତ ମଉସା ନିଜକୁ ଏଭଳି ସୃଜନଶୀଳ କାର୍ଯ୍ୟରେ ବ୍ୟସ୍ତ ରଖୁଥିଲେ ।
ବିହାରରେ ଲୁପ୍ତପ୍ରାୟ ମଧୁବାଣୀ ଚିତ୍ର ଏବଂ ଅନ୍ୟାନ୍ୟ ହସ୍ତଶିଳ୍ପକୁ ଉଦ୍ଧାର କରିବା ସହ ସେସବୁକୁ ସମୃଦ୍ଧ କରିବା ପାଇଁ ତାଙ୍କର ଆନ୍ତରିକ ଉଦ୍ୟମର ସ୍ୱିକୃତି ଦେଖି ବିହାର ସରକାର ୧୯୪୨ ମସିହାରେ ଶିଳ୍ପବିଭାଗରେ ସ୍ୱତନ୍ତ୍ର ଡ଼ିଜାଇନର ଭାବେ ତାଙ୍କୁ ନିଯୁକ୍ତି ଦେଇଥିଲେ । ୧୯୫୪ମସିହାରେ ଜାପାନ ଠାରେ ୟୁନେସ୍କୋ ତରଫରୁ ଆୟୋଜିତ ହେଉଥିବା ଏକ ଆନ୍ତର୍ଜାତିୟ ସମ୍ମିଳନିରେ ଯୋଗ ଦେବା ପାଇଁ ସେ ଜାପାନ ଯାଇଥିଲେ । ସେଠାରେ ସେ ସିରାମିକ, ଲାଖ ଓ ଧାତୁ ନିର୍ମିତ ହସ୍ତଶିଳ୍ପ ସାମଗ୍ରୀ ସଂପର୍କରେ ଦକ୍ଷତା ହାସଲ କରିଥିଲେ । ଅଭିଜ୍ଞତା ଓ ଦକ୍ଷତାର ଉପଯୋଗ ପାଇଁ ୧୯୫୫ ମସିହାରେ ସେ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରି୍ରଆଲ ଡ଼ିଜାଇନ୍ ପ୍ରତିଷ୍ଠା କରିଥିଲେ । ବିହାରର ଲୋକଚିତ୍ର, ଲୋକକଳା ଏବଂ ହସ୍ତଶିଳ୍ପର ପ୍ରସାର କରିବା ଥିଲା ଏହି ଅନୁଷ୍ଟାନର ମୁଖ୍ୟ ଉଦ୍ଧେଶ୍ୟ । ତାଙ୍କର ଏଭଳି ନିଃସ୍ୱାର୍ଥପର କାର୍ଯ୍ୟକଳାପ ଓ ଅଧ୍ୟବ୍ୟବସାୟ ପାଇଁ ମଗଧ ବିଶ୍ୱବିଦ୍ୟାଳୟ ତାଙ୍କୁ ‘ବିଦ୍ୟା ବାରିଧି’ ଉପାଧିରେ ଭୂଷିତ କରିବା ସହ ୧୯୬୯ ମସିହାରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଇତିମଧ୍ୟରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ବିହାର ସରକାର ତାଙ୍କ ଦକ୍ଷତାର ସଦୁପଯୋଗ କରିବା ପାଇଁ ତାଙ୍କୁ ୧୯୭୬ ମସିହାରେ ବିହାରର ଲେଜିସଲେଟିଭ କାଉଂସିଲକୁ ମନୋନିତ କରିଥିଲେ ।
କଲିକତାରେ ଅବସ୍ଥାନ କରୁଥିବା ସମୟରେ ମଉସା ନେତାଜୀଙ୍କ ପରିବାର ବ୍ୟତୀତ ବିଶ୍ୱକବୀ ରବିନ୍ଦ୍ରନାଥ ଠାକୁରଙ୍କ ପରିବାର ସହିତ ଘନିଷ୍ଟତା ବୃଦ୍ଧି ପାଇଥିଲା । ଶ୍ରୀ ଠାକୁରଙ୍କ ଭାଇ ଅବନିନ୍ଦ୍ରନାଥ ଠାକୁର ତାଙ୍କ କଳା କୌଶଳରେ ମୁଗ୍ଧହୋଇ ତାଙ୍କୁ ଉୁଚ୍ଚପ୍ରଶଂସା କରୁଥିଲେ । ବଙ୍ଗଳାର ବିଶିଷ୍ଟ ଚିତ୍ରକର ନନ୍ଦଲାଲ ବୋଷଙ୍କ ଭଳି ମହାରଥିଙ୍କ ଚିତ୍ରକଳା ଓ ହସ୍ତଶିଳ୍ପ ଏକ ନବଦିଗନ୍ତ ସୃଷ୍ଟି କରିଥିଲା । ବିହାରର ସାହିତ୍ୟ ସଂସ୍କୃତି ଓ ଇତିହାସକୁ ସମୃଦ୍ଧ କରିବା ଦିଗରେ ଆଚାର୍ଯ୍ୟ କାଶିପ୍ରସାଦ ଜୟସୋଆଲ, ରାହୁଲ ସାଂସ୍କୃତାୟନ ଓ ଆଚାର୍ଯ୍ୟ ଶିବପୁଜାନ ସାହାଇଙ୍କ ବ୍ୟତିତ ଦିନକାର ବେଣୁପୁର, ପ୍ରଫୁଲଚନ୍ଦ୍ର ଓଝା ‘ମୁକ୍ତି’, ଜାନକି ବଲ୍ଲଭ ଶାସ୍ତ୍ରୀ, ନେପାଳି, ଆର୍.ସି ପ୍ରସାଦ ସିଂହ ଓ ମନୋରଞ୍ଜନ ପ୍ରମୁଖ ବିଶିଷ୍ଠ ସାହିତ୍ୟିକମାନେ ମଉସାଙ୍କ ଚିତ୍ରକଳାରେ ମୁଗ୍ଧହୋଇ ଉଚ୍ଚ ପ୍ରଶଂସା କରିଥିଲେ ।
୧୯୩୨ ମସିହାରେ ବିହାରର ପ୍ରସିଦ୍ଧ ପ୍ରକାଶନ ସଂସ୍ଥା ପୁସ୍ତକ ଭଣ୍ଡାରରେ ଯୋଗଦେବା ପରେ ସେତେବେଳେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଚଳିତ ପାଠ୍ୟପୁସ୍ତକରେ ତାଙ୍କ ଅଙ୍କିତ ଚମତ୍କାର ଚିତ୍ରମାନ ପ୍ରକାଶିତ ହୋଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଯଥେଷ୍ଟ ଆଦୃତ ହୋଇଥିଲା । ଫଳରେ ବିହାରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତାଙ୍କର ନାମ ବ୍ୟାପକ ଭାବେ ପ୍ରଶାରିତ ହୋଇଥିଲା । ୧୯୪୨ମସିହାରେ ମଉସା ପୁସ୍ତକ ଭଣ୍ଡାରରୁ ଇସ୍ତଫା ଦେଇଥିଲେ ।
ପୁସ୍ତକ ଭଣ୍ଡାର ପ୍ରତିଷ୍ଠାନଟି ମିଥିଳାର ଲବରିଆ ସରାଇଠାରେ ଅବସ୍ଥିତ । ମଉସା ସେଠାରେ କାର୍ଯ୍ୟରତ ଥିବା ସମୟରେ ସ୍ଥାନୀୟ ଗ୍ରାମୀଣ କଳାକାରମାନଙ୍କ ଦ୍ୱାରା ଅଙ୍କିତ ଚିତ୍ର ଓ ହସ୍ତଶିଳ୍ପ ପ୍ରତି ଆକୃଷ୍ଠିତ ହୋଇ ସେଗୁଡ଼ିକର ଉନ୍ନତି ନିମନ୍ତେ ଉଦ୍ୟମ ଆରମ୍ଭ କରିଥିଲେ ।
୧୯୪୨ମସିହାରେ ଶ୍ରୀ ଏସ୍.ଏନ୍ ମଜୁମଦାର ଆଇ.ସି.ଏସ୍ ବିହାରର ଶିଳ୍ପବିଭାଗର ନିର୍ଦ୍ଧେଶକ ଥିବା ସମୟରେ ମଉସାଙ୍କୁ ଶିଳ୍ପ ବିଭାଗରେ ନିଯୁକ୍ତି ଦେଇଥିଲେ । ଏହା ତାଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲା । ସେତେବେଳ ସ୍ୱାଧିନତା ସଂଗ୍ରମର କେତେକ ବିପ୍ଳବି ନେତା ଗିରଫଦାରିରୁ ରକ୍ଷା ପାଇବା ପାଇଁ ମଉସାଙ୍କ ଗାଡ଼ିନର ରୋଡ଼ରେ ଥିବା ବାସଭବନରେ ଆତ୍ମଗୋପନ କରୁଥିଲେ । ସୂର୍ଯ୍ୟପୁରାର ରାଜା ରାଧିକା ରମଣ ପ୍ରସାଦ ସିଂଙ୍କ ଦ୍ୱାରା ଲିଖିତ ପୁସ୍ତକରେ ମଉସାଙ୍କ ଦ୍ୱାରା ଅଙ୍କିତ ରେଖାଚିତ୍ର ଓ ପେଣ୍ଟିଂ ଅତିମାତ୍ରାରେ ଆକର୍ଷଣ ହୋଇଥିବାରୁ ଏହା ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ସୃଷ୍ଟି କରିଥିଲା । ତାହାକୁ ଆନେକ ‘ମାହରାଥିଙ୍କ ଯୁଗ’ ବୋଲି ସ୍ୱିକୃତ ଦେବା ପାଇଁ ପଶ୍ଚାଦପଦ ହେଉନଥିଲେ ।
ଓଡ଼ିଶାରେ ଜନ୍ମଗ୍ରହଣ କରି ଆମ ରାଜ୍ୟର କଳା ଓ ସଂସ୍କୃତି ସହ ଜଡ଼ିତ ଥିବାରୁ ଏବଂ ଜନଜୀବନ ଓ ଲୋକକଳା ପ୍ରତି ତାଙ୍କ ମନରେ ଗଭୀର ଶ୍ରଦ୍ଧା ଥିବାରୁ ସେ ମଧୁବାଣୀ ଚିତ୍ରକଳାକୁ ଜନପ୍ରୀୟ କରିବା ପାଇଁ ଉଦ୍ୟମ କରିବା ସହ ଆଦିବାସୀ କଳା ଓ ହସ୍ତଶିଳ୍ପର ବିକାଶ ପାଇଁ ସେ ସଫଳତାର ସହ ଉଦ୍ୟମ କରି ବିଭିନ୍ନ ଅଞ୍ଚଳର କଳାକାରମାନଙ୍କୁ ଓ ସ୍ଥାନୀୟ କଳାକୁ ସମୃଦ୍ଧ କରିଥିଲେ । ଦୈନଦିନ ଜନ ଜୀବନରେ ବ୍ୟବହୃତ ସାମଗ୍ରୀମାନ ତିଆରି କରିବା ଦିଗରେ ସେ ସ୍ଥାନୀୟ କଳାକାରମାନଙ୍କୁ ନିୟୋଜିତ କରି ସେମାନଙ୍କ ପାଇଁ ଆବଶ୍ୟକୀୟ ଉପାଜନର ପନ୍ଥା ସୃଷ୍ଟି କରିଥିବାରୁ ଛୋଟନାଗପୁର ଓ ଅନ୍ୟାନ୍ୟ ଅଞ୍ଚଳରେ ସେ ବିଶେଷ ଭାବେ ଆଦୃତ ହୋଇଥିଲେ । ମହାତ୍ମା ଗାନ୍ଧୀଙ୍କର ଅହିଂସା ଆନ୍ଦୋଳନରେ ସେ ଓତଃପ୍ରତଭାବେ ଜଡିତ ଥିବାରୁ ସ୍ୱାଧିନତା ସଂଗ୍ରାମୀମାନଙ୍କ ମଧ୍ୟରେ ସେ ଯଥେଷ୍ଟ ଆଦୃତ ହୋଇଥିଲେ । ୧୯୪୨ ମସିହାରୁ ଦୁଇ ଦଶକ ଧରି ମଉସା ହସ୍ତତନ୍ତ୍ର ବିଭାଗ ସହ ସଂପୃକ୍ତ ହୋଇ ହସ୍ତତନ୍ତ୍ର ସାମଗ୍ରୀ ଉତ୍ପାଦନ କ୍ଷେତରେ ନୂତନ ଡ଼ିଜାଇନ ଓ ଶୈଳି ପ୍ରୟୋଗ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଉତ୍ପାଦିତ ସମସ୍ତ ସାମଗ୍ରୀ ଜନପ୍ରିୟ କରିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।
ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ସହ ସମ୍ମାନ ଥିବାରୁ ସେ ବୌଦ୍ଧ ଧର୍ମପ୍ରତି ଆକୃଷ୍ଠ ହୋଇଥିଲେ । ଜାପାନରେ ଦୁଇବର୍ଷ କାଳ ରହଣୀ ସମୟରେ ସେ ଜାପାନର ହସ୍ତଶିଳ୍ପ, ବସ୍ତ୍ରଶିଳ୍ପ ଏବଂ ସେଗୁଡ଼ିକୁ ଜନାଭିମୁଖେ କରିବାର କୌଶଳ ସଂପର୍କରେ ଅନୁଧ୍ୟାନ କରି ଭାରତରେ ସେସବୁର ପ୍ରୟୋଗ କରିବା ପାଇଁ ସ୍ଥିର କରିଥିଲେ । ଜାପାନର ବୌଦ୍ଧ ଧର୍ମାବଲମ୍ବିମାନଙ୍କର ଜୀବନ ଜାପନ ଶୈଳି ତାଙ୍କୁ ଅତିମାତ୍ରାରେ ଆକୃଷ୍ଠ କରିଥିବାରୁ ସେ ବୌଦ୍ଧ ଧର୍ମରେ ଦିକ୍ଷିତ ହୋଇଥିଲେ । ଏହି ସମୟରେ ଜାପାନ ବୁଦ୍ଧ ସଂଘର ନିଚିରେନ ସଂପ୍ରଦାୟର ମୁଖ୍ୟ ମହାମାନ୍ୟ ଗୁରୁଜୀ ନିଚିଦାସ୍ତୁ ଫୁଜିଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ ।
ମଉସା ଜଣେ ମିଷ୍ଠଭାଷି ବନ୍ଧୁବତ୍ସଳ ଓ ଅତିଥି ପରାୟଣ ବ୍ୟକ୍ତି ଥିବାରୁ ଏବଂ ସୃଜନଶିଳ ଚିତ୍ରଶିଳ୍ପି ଭାବରେ କ୍ଷାତିଲାଭ କରିଥିବାରୁ ଦେଶବିଦେଶରୁ ବହୁବ୍ୟକ୍ତି ତାଙ୍କ ସହ ସଂପୃକ୍ତ ହୋଇପଡ଼ିଥିଲେ । ପାଟନା ସ୍ଥିତ ତାଙ୍କ ସରକାରୀ ବାସ ଭବନଟି ବସ୍ତୁତଃ ଏକ ଅତିଥି ଶାଳାରେ ପରିଣତ ହୋଇଯାଇଥିଲା । ଶିକ୍ଷକତା କରୁଥିବା ମାଉସି ଏବଂ ଏକମାତ୍ର କନ୍ୟା ମାହାଶ୍ୱେତା ‘ଗୋପା’ ଅତିଥିମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବାରେ କେବେହେଲେ ଅବହେଳା କରୁନଥିଲେ ।
ମଉସାଙ୍କ ଅତିଥି ପରାୟଣା ସଂପର୍କରେ ଉଲ୍ଲେଖ କରି ବିଶିଷ୍ଠ କବି ଡ଼ ମାୟାଧର ମାନସିଂହ ପାଟନା ସ୍ଥିତ ତାଙ୍କ ବାସଭବନକୁ ଏକ ଆନ୍ତର୍ଜାତୀୟ ଅତିଥି ଶାଳା ଭାବେ ବର୍ଣ୍ଣନା କରିଥିଲେ । କାରଣ ଅନେକ ସମୟରେ ଜାପାନ, କୋରିଆ, ଆମେରିକା, ଇଂଲଣ୍ଡ ଓ ଅନ୍ୟାନ୍ୟ ଦେଶର କଳାକାରମାନେ ମଉସାଙ୍କ ଆତିଥ୍ୟତା ଗ୍ରହଣ କରି ତାଙ୍କ ଘରେ ରହୁଥିବାର ଦେଖାଯାଉଥିଲା ।
ମଉସାଙ୍କ ଉଦ୍ୟମ ଫଳରେ ବିହାର ସରକାର ପାଟନାଠାରେ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଡ଼ିଜାଇନ୍ ପ୍ରତିଷ୍ଠା କରିଥିଲେ । ବିହାରର ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ହସ୍ତଶିଳ୍ପି , ତନ୍ତଶିଳ୍ପି ଓ କଳାକାରମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଗୁଡ଼ିକର ଜନପ୍ରିୟତା ବୃଦ୍ଧି କରି ସେମାନଙ୍କୁ ଅଥନୈତିକ ଓ ସାମାଜିକ ସ୍ୱିକୃତି ଦେବା ଦିଗରେ ତାଙ୍କର ଉଦ୍ୟମ ପାଇଁ ୧୯୬୯ ମସିହାରେ ସେ ପଦ୍ମଶ୍ରୀ ଉଦାଧିରେ ଭୂଷିତ ହୋଇଥିଲେ । ଏହା ପୂର୍ବରୁ ଶିଳ୍ପ , ସଂସ୍କୃତି ,ସାହିତ୍ୟ କଳା ଓ ଧର୍ମ ସଂକ୍ରାନ୍ତିୟ ତାଙ୍କର ଗବେଷଣାତ୍ମକ ରଚନା ଯୋଗୁଁ ମଗଧ ବିଶ୍ୱ ବିଦ୍ୟାଳୟ ତାଙ୍କୁ ‘ବିଦ୍ୟାବାରିଧି’ ବା ଡ଼କ୍ଟରେଡ ଉପାଧିରେ ଭୂଷିତ କରିଥିଲେ ।
ମଉସାଙ୍କ ଦ୍ୱାରା ଅଙ୍କିତ ରେଖାଚିତ୍ର ଓ ପେଣ୍ଟିଂ ସବୁ ମୁଖ୍ୟତଃ ମହାତ୍ମା ଗାନ୍ଧୀ ଏବଂ ଗୌତମ ବୁଦ୍ଧଙ୍କ ଜୀବନିର ବିଭିନ୍ନ ଘଟଣା ଉପରେ ଆଧାରିତ ହୋଇଥିବାରୁ ସେଗୁଡ଼ିକ ଉଚ୍ଚ ପ୍ରଶଂସିତ ହୋଇଥିଲା । ସବୁଦିନ ସକାଳୁ ଉଠି ମଉସା ଗୋଟିଏ କୋଠରିରେ ନିଜକୁ ବନ୍ଦ କରି ଏକାଗ୍ର ଚିତ୍ତରେ ଧ୍ୟାନ କରିବା ସହ ଦୀର୍ଘ ପ୍ରାୟ ଚାରି ଘଣ୍ଟା ବ୍ୟାପି ଚିତ୍ରାଙ୍କନ କରିବାରେ ନିୟୋଜିତ କରୁଥିଲେ ।
ଜାପାନ ବୁଦ୍ଧ ସଂଘର ପ୍ରତିଷ୍ଠାତା ନିଚିଦାସ୍ତୁ ଫୁଜି ୧୯ବର୍ଷ ବୟସରେ ୧୯୦୩ ମସିହାରେ ବୌଦ୍ଧ ଧର୍ମ ଗ୍ରହଣ କରି ନିଚିରେନ୍ ସଂପ୍ରଦାୟ ପ୍ରତିଷ୍ଠା କରିଥିଲେ । ଏବଂ ୧୯୧୮ ମସିହାରୁ ଚିନ୍, କୋରିଆ, ମାଞ୍ଚୁରିଆ ପ୍ରଭୃତି ଦେଶ ସହ ଜାପାନର ବ୍ୟାପକ ଅଞ୍ଚଳ ଗସ୍ତ କରି ବିଶ୍ୱଶାନ୍ତି ପ୍ରତିଷ୍ଠା ନିମନ୍ତେ ବୌଦ୍ଧ ଧର୍ମର ଏକାନ୍ତ ଆବଶ୍ୟକତା ସଂପର୍କରେ ପ୍ରଚାର କରିଥିଲେ ।
ବୌଦ୍ଧ ଧର୍ମରେ ଦିକ୍ଷିତ ନିଚିଦାସ୍ତୁ ଫୁଜିଙ୍କୁ ଅନୁସରଣ କରୁଥିବା ଭିକ୍ଷୁମାନେ ଚମଡ଼ା ନିର୍ମିତ ଏକ ବାଜା ବଜାଇ ‘ନମ୍ୟୁ ହୋ ରେନ୍ ଗେ କ୍ୟୁ’ ଅଥବା ‘ନମଷ୍ୟ ପୁଣ୍ଡରିକାକ୍ଷ’ ମନ୍ତ୍ର ଉଚ୍ଚାରଣ କରି ନିଜର ଉପସ୍ଥିତି ସଂପର୍କରେ ସୁଚାଇଦେବା ସହ ସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜାପାନର ଫୁଜି ପର୍ବତ ନିକଟରେ ୧୯୨୪ ମସିହାରେ ପ୍ରଥମେ ଜାପନ ବୁଦ୍ଧ ସଂଘର ମୁଳଦୁଆ ପଡ଼ିଥିଲା । ୧୯୩୧ରୁ ୧୯୩୩ ମସିହା ମଧ୍ୟରେ ନିଚିଦାସ୍ତୁ ଫୁଜି ମହାତ୍ମା ଗାନ୍ଧିଙ୍କ ସହ ଏକାନ୍ତ ଘନିଷ୍ଟ ହୋଇଥିଲେ । ଗøତମ ବୁଦ୍ଧଙ୍କ ଶାନ୍ତି ବାଣୀ ପ୍ରଚାର କରିବା ତାଙ୍କ ଜୀବନର ଏକମାତ୍ର ଲକ୍ଷ ହୋଇଥିବା ବିଷୟ ସେ ଉଲ୍ଲେଖ କରିବା ପରେ ଗାନ୍ଧିଜୀ ତାଙ୍କୁ ପ୍ରଥମେ ‘ଗୁରୁଜୀ’ ବୋଲି ସମ୍ବର୍ଦ୍ଧନ କରିଥିଲେ । ଏହାପରେ ତାଙ୍କର ଅନୁଗତମାନେ ତାଙ୍କୁ ଫୁଜି ଗୁରୁଜୀ ବୋଲି ସମ୍ବର୍ଦ୍ଧନ କରିବାକୁ ଆରମ୍ଭ କରିଥିଲେ ଏବଂ ସେ ଫୁଜି ଗୁରୁଜୀନାମରେ କ୍ଷାତି ଅର୍ଜନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସୀମା ଓ ନାଗାସାକି ସହର ଉପରେ ଆମେରିକା ପରମାଣୁ ବୋମା ବିଷ୍ପୋରଣ କରାଇ ଲକ୍ଷଲକ୍ଷ ଜୀବନ ହାନି ଘଟାଇବା ସହ ତାହାର ବହୁଗୁଣ ଆବାଳ ବୃଦ୍ଧ ବର୍ଣ୍ଣିତା ଓ ଶିଶୁମାନଙ୍କୁ ପରମାଣୁ ସଂକ୍ରମଣରେ ବିକୃତ କରାଇଦେଇଥିବାରୁ ଗୁରୁଜୀ ଅତିମାତ୍ରାରେ ବ୍ୟଥିତ ହୋଇ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିବେ ବୋଲି ଘୋଷଣା କରିଥିଲେ । ତେଣୁ ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର ଆନ୍ତରିକତା ବହୁପରିମାଣରେ ବୃଦ୍ଧି ପାଇଥିଲା । ଫୁଜି ଗୁରୁଜୀ କେବଳ ଜାପାନ ନୁହେଁ ପୃଥିବୀର ବିଭିନ୍ନ ବେଶରେ ବିଶ୍ୱଶାନ୍ତି ସ୍ତୂପ ପ୍ରତିଷ୍ଠା କରି ଯୁଦ୍ଧ ଓ ହିଂସାରୁ ବିଶ୍ୱବାସୀଙ୍କୁ ନିବୃତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଗାନ୍ଧିଜୀଙ୍କ ସହିତ ଫୁଜି ଗୁରୁଜୀ ମଧ୍ୟ ଭାରତୀୟ ସ୍ୱାଧିନତା ଆନ୍ଧୋଳନ ମସୟରେ ପଦଯାତ୍ରାରେ ଯୋଗଦେଇଥିଲେ । ଉପରୋକ୍ତ ପରିପ୍ରେକ୍ଷିରେ ମଉସାଙ୍କ ଦ୍ୱାରା ଅଙ୍କିତ ରେଖାଚିତ୍ର ଓ ପେଣ୍ଟିଂ ସବୁ ଗାନ୍ଧିଜୀ, ବୁଦ୍ଧ ଓ ବିଶ୍ୱଶାନ୍ତିକୁ ଭିର୍ତ୍ତି କରି ସୃଷ୍ଟ ପୂର୍ବରୁ ମଉସା ଯେଉଁ ସବୁ ଚିତ୍ର ଆଙ୍କୁଥିଲେ ସେଥିମଧ୍ୟରୁ ଅଧିକାଂଶ ହିନ୍ଦୁ ଦେବାଦେବୀ ମହାପୁରୁଷ ଓ ଲୋକକଳା ଉପରେ ଆଧାରିତ ଥିଲା ।
ଶିଳ୍ପ ବିଭାଗରେ ଚାକିରି କରୁଥିବା ସମୟରେ ମଉସା ବିହାରର ଅଧିକାଂଶ ଅଞ୍ଚଳ ଗସ୍ତ କରି ସ୍ଥାନୀୟ ଲୋକକଳା, ହସ୍ତଶିଳ୍ପ ଓ ବୟନ ଶିଳ୍ପ ସଂପର୍କରେ ଅନୁଧ୍ୟାନ କରି ସେ ସବୁର ଉନ୍ନତି କରିବା ଦିଗରେ ଚେଷ୍ଟା କରୁଥିଲେ । ୧୯୬୨ ମସିହାରେ ପାଟନା ଠାରେ ଅକ୍ଷିଳ ଭାରତ କଂଗ୍ରେସ କମିଟିର ୬୭ତମ ଅଧିବେଶନ ପାଇଁ ଆୟୋଜନ କରାଯାଉଥିବା ସମୟରେ ଅଧିବେଶନର ମୁଖ୍ୟ ତୋରଣ ଏବଂ ପେଣ୍ଡାଲର ସାଜସଜ୍ଜା ଦାଇତ୍ୱ ମଉସାଙ୍କ ଉପରେ ନ୍ୟସ୍ତ ଥିଲା ।ଏଥିପାଇଁ ଡ଼. ରାଜେନ୍ଦ୍ର ପ୍ରସାଦ ଏବଂ ବିହାରର ପ୍ରମୁଖ ରାଜନେତାମାନେ ମଉସାଙ୍କୁ ଏହି ଗୁରୁଦାଇତ୍ୱ ଦେଇଥିଲେ । ସେତେବେଳେ ନିଲମ ସଂଜୀବ ରେଡ୍ଡି ଥିଲେ କଂଗ୍ରେସର ଅଧ୍ୟକ୍ଷ ୧୯୬୨ ମସିହା ଅଗଷ୍ଟ ୧୩ତାରିଖ ଠାରୁ ଆରମ୍ଭ ହେଉଥିବା ଦୁଇ ଦିନିଆ ଅଧିବେଶନ ପାଇଁ ପାଟନା ସହର ଚଳଚଞ୍ଚଳ ହୋଇଉଠିଥିଲା ଏହି ଅଧିବେଶନ ଦେଖିବା ଲାଗି ବାବା ପାଟନା ଆସିବା ସମୟରେ ମତେ ମଧ୍ୟ ସାଙ୍ଗରେ ନେଇ ଆସିଥିଲେ । ସେତେବେଳକୁ ମୋର ବୟଷ ମାତ୍ର ୨୧ବର୍ଷ । କଂଗ୍ରେସ ଅଧିବେଶନ ସମୟରେ ଦେଶର ବହୁ ବିଶିଷ୍ଠ ରାଜନେତାଙ୍କୁ ଦେଖିବାର ସୁଯୋଗ ହାତଛଡ଼ା ନକରିବା ଲାଗି ମୁଁ ଅତିମାତ୍ରାରେ ଆଗ୍ରହିଥିଲି ।
ଏହି ଅଧିବେଶନ ଉଦ୍ଘାଟନ ଉତ୍ସବକୁ ତଦନାନ୍ତିନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହୁର ଆସିଥିଲେ । ସେ ଅଧିବେଶନର ମୁଖ୍ୟ ତୋରଣ ଓ ମଣ୍ଡପର ସାଜସଜ୍ଜା ଦେଖି ଅତିମାତ୍ରାରେ ମୁଗ୍ଧ ହୋଇଯାଇଥିଲେ । କାରଣ ଏଥିରେ ଝାଟିମାଟି, ଗୋବର ଏବଂ ବିଭିନ୍ନ କୃଷି ସାମଗ୍ରୀ ବ୍ୟବହାର କରାଯାଇ ଏହାକୁ ଆକର୍ଷଣିୟ କରାଯାଇଥିଲା । ମଉସା ପଣ୍ଡିତ ନେହୁରଙ୍କୁ ସବୁକିଛି ବୁଲାଇ ଦେଖାଇବା ସମୟରେ ପଣ୍ଡିତ ନେହୁର ଭାବବିହ୍ୱଳ ହୋଇ ମଉସାଙ୍କ ପିଠିକୁ ଧାପୁଡ଼େଇ ଥିଲେ ।
ଜାପାନ ବୌଦ୍ଧ ସଂଘ ତରଫରୁ ଭାରତରେ ପ୍ରଥମ ବିଶ୍ୱଶାନ୍ତି ସ୍ତୂପ ବିହାରର ରାଜଗିରି ଠାରେ ପ୍ରତିଷ୍ଠା କରିବା ନିମନ୍ତେ ଗୁରୁଜୀ ସ୍ଥିର କରିବା ପରେ ଏଥିପାଇଁ ଗଠିତ ରାଜଗିରି ବୁଦ୍ଧ ବିହାର ସୋସାଇଟିରେ ମୋରାଜୀ ଦେସାଇ ଅଧ୍ୟକ୍ଷ ରହିଥିଲେ ଏବଂ ବିହାରର ବିଶିଷ୍ଠ ସ୍ୱାଧିନତା ସଂଗ୍ରାମୀ ଚନ୍ଦେଶ୍ୱର ପ୍ରସାଦ ନାରାୟଣ ସିଂ ଉପାଧ୍ୟେକ୍ଷ ଏବଂ ବିହାର ପ୍ରଶାସନର ସୁନାମ ଧନ୍ୟ ଅମଲାତନ୍ତ୍ରୀ ଶ୍ରୀଧର ବାସୁଦେବ ସୋହୋନି, ଆଇ. ସି. ଏସ୍. ଏହି ଅନୁଷ୍ଠାନର ସଚ୍ଚିବ ଭାବରେ ଏବଂ ମଉସା ଯୁଗ୍ମ ସଚ୍ଚିବ ଭାବରେ କାର୍ଯ୍ୟ କରିବା ଲାଗି ମନୋନିତ ହୋଇଥିଲେ ।
ଏହି ସ୍ତୂପର ନିର୍ମାଣ କରିବା ପାଇଁ ଜାପାନରୁ ବହୁ ସଂଖ୍ୟକ ବୌଦ୍ଧ ଭିକ୍ଷୁ ଯୋଗ ଦେବା ସହ ଜାପାନର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ଅଜାଚିତ ଭାବରେ ଆର୍ଥିକ ସହାୟତା ଦେବା ଲାଗି ଆଗେଇ ଆସିଥିଲେ । ବିହାର ପ୍ରଶାସନ ଓ ଜନମାନସରେ ମଉସାଙ୍କ ପ୍ରତି ଜଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ଥିବାରୁ ଏହି ସ୍ତୂପ କାର୍ଯ୍ୟ ଚାଲୁରଖିବା ଦିଗରେ ସବୁ ମହଲରୁ ସେ ସହଯୋଗ ପାଇଥିଲେ । ୧୯୬୭ ମସିହାରୁ ଜନପ୍ରିୟ କଂଗ୍ରେସ ନେତା ବିହାରର ରାଜ୍ୟପାଳ ଥିବାରୁ ମଉସାଙ୍କ ସହିତ ତାଙ୍କର ଯଥେଷ୍ଟ ଆନ୍ତରିକତା ରହିଥିଲା ସେ ମଧ୍ୟ ରାଜଗିରି ଶାନ୍ତି ସ୍ତୂପ ପ୍ରତିଷ୍ଠା ଦିଗରେ ମଉସାଙ୍କୁ ସବୁ ପ୍ରକାର ପ୍ରଶାସନିକ ସହଯୋଗ ଯୋଗାଇ ଦେଉଥିଲେ । ଐତିହାସିକ ନାଲନ୍ଦା ଜିଲ୍ଲାରେ ରାଜଗିରି ବା ରତ୍ନଗିରି ଅବସ୍ଥିତ ହୋଇଥିବାରୁ ଏହାର ଯଥେଷ୍ଠ ଐତିହାସିକ ଓ ଭୌଗଳିକ ଗୁରୁତ୍ୱ ରହିଥିଲା । ରାଜଗିରିର ବିଶ୍ୱଶାନ୍ତି ସ୍ତୂପ ପାହାଡ଼ର ଶିଖର ଦେଶରେ ଅବସ୍ଥିତ ହୋଇଥିବାରୁ ସେଠାରେ ପହଞ୍ଚିବା ପାଇଁ ବିହାର ସରକାରଙ୍କ ତରଫରୁ ୧୦୦୦ ମିଟର ଉଚ୍ଚତା ବିଶିଷ୍ଟ ପର୍ବତର ଶିଖରରେ ପହଞ୍ଚିବା ପାଇଁ ବିହାର ପର୍ଯ୍ୟଟନ ନିଗମ ତରଫରୁ ଜାପାନ ବୁଦ୍ଧ ସଂଘର ସହଯୋଗରେ ରୋପୱେ ପ୍ରତିଷ୍ଠା ଦିଗରେ ମଉସା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ମଉସାଙ୍କ ପ୍ରସ୍ତାବରେ ରାଜି ହୋଇ ଚନ୍ଦ୍ରପ୍ରଭା ଓ ମୁଁ ବିହାରର କେତେକ ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଦେଖିବା ଅବସରରେ ନାଲନ୍ଦା ବିଶ୍ୱବିଦ୍ୟାଳୟ ନିକଟରେ ଥିବା ବୌଦ୍ଧ ବିହାରରେ ରାତ୍ରୀ ଜାପନ କରିଥିଲୁ । ସେଠାରେ ଜାପାନି ଭିକ୍ଷୁମାନଙ୍କର ଆତିଥ୍ୟ ସ୍ୱିକାର କରି ସେମାନଙ୍କ ଦ୍ୱାରା ପ୍ରଦତ୍ତ ଖାଦ୍ୟ ପଦାର୍ଥ ଖାଇବା ସମୟରେ ଚନ୍ଦ୍ରପ୍ରଭା କେବଳ ଚାଉଳରେ ତିଆରି ପିଠା ବ୍ୟତିତ ଆଉ କିଛି ଖାଇ ପାରିନଥିଲେ । କାରଣ ଜାପାନରେ ସାମୁଦ୍ରିକ ବୃକ୍ଷଲତା ଏବଂ ମତ୍ସ୍ୟ ପ୍ରଚଣ୍ଡ ଆଇଂସିଣିଆ ଗନ୍ଧ ହେଉଥିବାରୁ ସେ ସେଗୁଡ଼ିକୁ ଖାଇବା ଦିଗରେ ଏକପ୍ରକାର ଅସମର୍ଥ ଥିଲେ । ଜାପାନି ଭିକ୍ଷୁମାନଙ୍କ ସହ ମଉସା ଓ ମୁଁ ଏକତ୍ର ଖାଉଥିବାରୁ ମୁଁ ବିନା ସଂକୋଚରେ ସବୁକିଛି ଖାଇବାକୁ ଚେଷ୍ଟା କରିଥିଲି । ପରଦିନ ରାଜଗିରି ସ୍ତୂପରେ ପହଞ୍ଚି ଏହି ସ୍ତୂପର ଚର୍ତୁଦିଗରେ ଥିବା ବିଶାଳକାୟ ବୁଦ୍ଧମୁର୍ତ୍ତୀମାନଙ୍କୁ ଦର୍ଶନ କରିବା ପାଇଁ ଆମକୁ ରୋପୱେରେ ଯିବାକୁ ପଡ଼ିଥିଲା । ୩୦୦ ମିଟର ବା ୧୦୦୦ ଫୁଟ ଉଚ୍ଚତା ବିଶିଷ୍ଠ ଦୁଇଟି ପାହାଡ଼କୁ ସଂଯୋଜ କରୂଥିବା ଏହି ରୋପୱେ ପ୍ରାୟ ୩ କିଲୋମିଟର ଆକାଶ ମାର୍ଗରେ ଅବସ୍ଥିତ ଏଥିରେ ପ୍ରତ୍ୟକ ବ୍ୟକ୍ତିଙ୍କୁ ଗୋଟିଏଗୋଟିଏ ଝୁଲନ୍ତା ଚୌକିରେ ବସି ଯିବାକୁ ପଡ଼ିଥାଏ । ଯାତ୍ରୀମାନଙ୍କ ନିରାପତ୍ତା ନିମନ୍ତେ ଏହି ଚୌକିଗୁଡ଼ିକରେ କୌଣସି ବ୍ୟବସ୍ଥା ନଥାଏ । ଚନ୍ଦ୍ରପ୍ରଭାଙ୍କୁ ପ୍ରଥମେ ଗୋଟିଏ ଚୌକିରେ ବସାଇଦେବା ପରେ ମୁଁ ଯେଉଁ ଚୌକିଟିରେ ବସିଲି ତାର ବ୍ୟବଧାନ ଥିଲା ତାଙ୍କ ଠାରୁ ପ୍ରାୟ ୫୦ଫୁଟ ଦୂରରେ ।
ରୋପୱେର ଗୋଟିଲ ତାରରେ ଚୌକି ଝୁଲିଥାଏ ଏବଂ ତାର ଓ ଚୌକି ମଧ୍ୟରେ ସଂଲଗ୍ନ ଲୌହ ଦଣ୍ଡଟିକୁ ବାମ ହାତରେ ଧରି ଯାତ୍ରା କରିବାକୁ ପଡ଼ିଥାଏ । ଦୁଇଟି ପାହାଡ଼ ଶିଖରକୁ ସଂଲଗ୍ନ କରିଥିବା ରୋପୱେର ଚୌକି ଉପରେ ବସି ତଳକୁ ଚାହିଁଲେ ପ୍ରାୟ ଏକ ହଜାର ଫୁଟ ତଳେଥିବା ଯାନବାହାନ ଜୀବଜନ୍ତୁ ଓ ମଣିଷମାନେ କଣ୍ଡେଇ ଭଳି ଦେଖାଯାଉଥାନ୍ତି । ଏଭଳି ପରିସ୍ଥିତିରେ ଚନ୍ଦ୍ରପ୍ରଭା ଅତିମାତ୍ରାରେ ଭୟଭିତ ହୋଇପଡ଼ିଥିଲେ ମଧ୍ୟ ସେ ନିଜର ନିରାପତ୍ତା ସଂପର୍କରେ ଚିନ୍ତାନକରି ମୁଁ କିଭଳି ନିରାପତ୍ତାରେ ପହଞ୍ଚିବି ସେଥିପାଇଁ ବ୍ୟଗ୍ର ହୋଇପଡ଼ୁଥିଲେ । ଐତେ ଉଚ୍ଚରେ ଏବଂ ଅସୁରକ୍ଷିତ ଚୌକିରେ ବସି ଏହି ଭିତ୍ତିପ୍ରଦ ଅବସ୍ଥାରେ ଚର୍ତୁଦିଗସ୍ଥ ଲୋଭନୀୟ ଦୃଶ୍ୟକୁ ବାନ୍ଧି ରଖିବା ଲାଗି ମୁଁ ଅତି ସନ୍ତର୍ପଣରେ କାନ୍ଧରେ ଝୁଲାଇଥିବା ମୋର ଆସାହି ପେଣ୍ଟାକ୍ସ କ୍ୟାମେରାରେ ଫଟୋ ଉଠାଇବାକୁ ଆରମ୍ଭ କରିଥିଲି । ମୋ ସାମ୍ନାରେ ରୋପୱେର ଚୌକିରେ ଝୁଲିଥିବା ଚନ୍ଦ୍ରପ୍ରଭାଙ୍କର କେତେଗୋଟି ଫଟୋ ନେବାଲାଗି ମଧ୍ୟ ପଛାଇନଥିଲି ।
ବାବାଙ୍କର ଘନିଷ୍ଠ ବନ୍ଧୁ ଭାବରେ ମଉସା ମୋତେ ବହୁମାତ୍ରାରେ ସ୍ନେହ ଓ ଶ୍ରଦ୍ଧା କରୁଥିଲେ ସେ ଜେତେବେଳେ ଓଡ଼ିଶା ଗସ୍ତରେ ଆସୁଥିଲେ ସେ ସମୟରେ ଆମ ଗାଁକୁ ଯାଇ ବାବା, ମାମା ଓ ପରିବାରର ସମସ୍ତଙ୍କ ସହ ସମୟ କାଟାବିପାଇଁ ଅଗ୍ରାଧିକାର ଦେଉଥିଲେ । ମୁଁ ଭୁବନେଶ୍ୱରରେ ରହିବା ପରେ ମଉସା ଓଡ଼ିଶା ଆସିଲେ ୟୁନିଟ-୨ ସ୍ଥିତ ୧୭/୨ ଟାଇପ୍ ୫ଏ ବାସ ଭବନରେ ରହୁଥିଲେ । ଚନ୍ଦ୍ରପ୍ରଭା ଓ ପିଲାମାନଙ୍କ ପ୍ରତି ତାଙ୍କର ଅତୁଟ ସ୍ନେହ ରହିଥିଲା । ଗୋପା ମଧ୍ୟ ତାଙ୍କ ସହ ଆସି ଆମ ପରିବାର ସହ ସମୟ କଟାଉଥିଲା ।
ଶ୍ରୀ ନିତ୍ୟାନନ୍ଦ କାନୁନଗୋ ବିହାରରେ ରାଜ୍ୟପାଳ ଥିବା ଯୋଗୁଁ ମଉସାଙ୍କ ସହ ତାଙ୍କର ଯଥେଷ୍ଟ ଘନିଷ୍ଟତା ଥିଲା । ଭାରତରେ ପ୍ରଥମ ବିଶ୍ୱଶାନ୍ତି ସ୍ତୂପ ଫୁଜି ଗୁରୁଜୀଙ୍କ ନିଷ୍ପତି ଅନୁଯାଇ ରାଜଗିରି ଠାରେ ନିର୍ମାଣ କରାଯାଇଥିବାରୁ ଗୁରୁଜୀ ଶ୍ରୀ କାନୁନଗୋଙ୍କୁ ଯଥେଷ୍ଟ ଶ୍ରଦ୍ଧା କରୁଥିଲେ । ଏହାର ସୁଯୋଗ ନେଇ ମଉସା ଗୁରୁଜୀଙ୍କୁ ଧଉଳିଗିରି ଠାରେ ଥିବା ଅଶୋକଙ୍କ ଶିଳାଲିପି ଓ ସେହିଠାରେ ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧର ଭୟାବହତା ଦେଖି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେବା ବିଷୟ ଗୁରୁଜୀଙ୍କୁ କହିବା ପରେ ଗୁରୁଜୀ ଧଉଳିଗିରି ଆସିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଫଳରେ ୧୯୭୦ ମସିହା ସେପ୍ଟେମ୍ବର ମାସରେ ଗୁରୁଜୀ ଧଉଳିଗିରି ଆସିବା ପାଇଁ ସ୍ଥିର ହୋଇଥିଲା । ସେତେବେଳେ ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓ ଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗୁରୁଜୀ ଓଡ଼ିଶା ଆସିବା ସଂପର୍କରେ ଶ୍ରୀ କାନୁନଗୋ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଗୁରୁଜୀଙ୍କୁ ରାଜ୍ୟ ସରକାରଙ୍କ ଅତିଥି ଭାବେ ସମ୍ମାନ ଜଣାଇ ତାଙ୍କୁ ଓ ତାଙ୍କ ସହ ଆସୁଥିବା ଭିକ୍ଷୁମାନଙ୍କୁ ରାଜ୍ୟ ଅତିଥିଶାଳାରେ ରଖିବା ଲାଗି ବ୍ୟବସ୍ଥା କରାଯାଇଥିଲା । ସେତେବେଳେ ବରିଷ୍ଠ ଆଇ.ଏ.ଏସ୍ ଅଫିସର ବିପିନ ବିହାରି ରଥ ସ୍ୱରାଷ୍ଟ୍ର ବିଭାଗର ସାଶନ ସଚ୍ଚିବ ଥିଲେ ଏବଂ ଶ୍ରୀ ଏସ୍. ଏମ୍ ଘନି ରାଜ୍ୟ ଅତିଥି ଭବନର ଦାଇତ୍ୱ ଏବଂ ପର୍ଯ୍ୟଟନ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ । ଅଧ୍ୟାପକ ଗୌରି କୁମାର ବ୍ରହ୍ମା ମୁଖ୍ୟ ପର୍ଯ୍ୟଟନ ଅଧିକାରୀ ଭାବରେ ବିଶିଷ୍ଠ ଅତିଥିମାନଙ୍କୁ ପର୍ଯ୍ୟଟନ ସ୍ଥଳୀମାନଙ୍କୁ ନେଇ ବୁଲାଇବା ଦାଇତ୍ୱ ତୁଲାଉଥିଲେ ।
ନିର୍ଦ୍ଧାରିତ ଦିନ ଗୁରୁଜୀ କଲିକତାରୁ ବିମାନ ଯେଗେ ଭୁବନେଶ୍ୱର ଆସିଥିଲେ ତାଙ୍କ ସହ ଥିଲେ ଭିକ୍ଷୁଣୀ କାସ୍ତୁ, ଜାପାନ ସର୍ବୋଦୟ ସଂଘର ଅଧ୍ୟକ୍ଷ ହିଗାଇ ମାସ୍ତୁଆ ଏବଂ ଭିକ୍ଷୁ ସୁଗେଇ । ସୁଗେଇ ଏଥିପୂର୍ବରୁ ବମ୍ବେ ଓ କଲିକତାରେ କେଇ ବର୍ଷ ବୁଦ୍ଧ ମନ୍ଦିରମାନଙ୍କରେ ଅବସ୍ଥାପନ କରିଥିବାରୁ ଏବଂ ବିହାରରେ ମଧ୍ୟ କେଇବର୍ଷ ବିତାଇଥିବାରୁ ସେ ସ୍ପଷ୍ଟ ଭାବରେ ହିନ୍ଦୀ ବୁଝିପାରୁଥିଲେ ଓ କହିପାରୁଥିଲେ । ତେଣୁ ବସ୍ତୁତଃ ସେ ଗୁରୁଜୀଙ୍କ ପାଇଁ ଇଣ୍ଟରପ୍ରିଟର ଭାବରେ କାର୍ଯ୍ୟକରୁଥିଲେ ।
ଗୁରୁଜୀ ଏବଂ ତାଙ୍କ ସହ ଆସିଥିବା ଭିକ୍ଷୁମାନେ ପହଞ୍ଚିବାର ଦୁଇ ଦିନ ପୂର୍ବରୁ ମଉସା ଭୁବନେଶ୍ୱରରେ ପହଞ୍ଚି ୟୁନିଟ-୨ ବା ଅଶୋକ ନଗର ସ୍ଥିତ ମୋ ସରକାରୀ ବାସଭବନରେ ରହିଥିଲେ । ସରକାରୀ କାର୍ଯ୍ୟରେ ତାଙ୍କୁ ସହାୟତା କରିବା ପାଇଁ ତାଙ୍କର ବ୍ୟକ୍ତିଗତ ସହାୟକ ମଧ୍ୟ ତାଙ୍କ ସହ ଆସିଥିଲେ ।
ଗୁରୁଜୀ ସରକାରୀ ଅତିଥି ଭାବରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ନେବା ଲାଗି ଷ୍ଟେଟ ଗେଷ୍ଟ ହାଉସର ପ୍ଲାଏ ମାଉଥ କାର ସହ ଆଉ ଗୋଟଏ ଆମ୍ଭାସଡ଼ର ଗାଡ଼ି ଜାତାୟତ ଲାଗି ବ୍ୟବସ୍ଥା ହୋଇଥିଲା । ଗୁରୁଜୀ ଧଉଳିଗିରିରେ ସମ୍ରାଟ ଅଶୋକଙ୍କ ଶିଳାଲେଖ ପରିଦର୍ଶନ କରିବା ସମୟରେ ଡ଼.ବ୍ରହ୍ମା, ମଉସା ପ୍ରଭୃତି କଳିଙ୍ଗ ଯୁଦ୍ଧ ବିଷୟରେ ଟିକିନିଖି ବୁଝାଇଥିଲେ । ସେତେବେଳେ ଧଉଳି ପାହାଡ଼ ଉପରେ ଗୋଟିଏ ଭଙ୍ଗା ଦେଉଳ ବ୍ୟତିତ ଆଉ କିଛି ନଥାଏ । ପାହାଡ଼ ପାଦଦେଶରେ ଏବଂ ଶିଳାଲେଖ ସମ୍ମୁଖରେ ଥିବା ବିସ୍ତୃତ ଚାଷଜମି ସବୁଜିମାରେ ଭରିରହିଥାଏ । କଳିଙ୍ଗ ଯୁଦ୍ଧ ସମୟରେ ପାହାଡ଼ ନିକଟରେ ଥିବା ଦୟାନଦୀ କିଭଳି ରକ୍ତ ନଦୀରେ ପରିଣତ ହୋଇଥିଲା ଏବଂ କଳିଙ୍ଗର ହଜାରହଜାର ଲଢ଼ୁଆ ସୈନିକ ପ୍ରାଣବଳୀ ଦେବା ଫଳରେ ସମଗ୍ର ଅଞ୍ଚଳ କିଭଳି ବିଧବା, ସନ୍ତାନ ହରା ମହିଳା ଏବଂ ପିତା ଓ ପୁତ୍ର ହରା ବ୍ୟକ୍ତିମାନଙ୍କ ହାହାକାରରେ ମୁଖରିତ ହେଉଥିଲା ତାହା ବର୍ଣ୍ଣନା କରିବା ସହ କେଉଁ ପରିସ୍ଥିତିରେ ଅଶୋକ ହିଂସା ତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ତାହା ବର୍ଣ୍ଣନା କରିଥିଲେ ।
ସବୁକିଛି ଶୁଣିବା ପରେ ଗୁରୁଜୀ ସେହିଠାରେ ଘୋଷଣା କରିଥିଲେ ଯେ ଭାରତବର୍ଷରେ ତାଙ୍କର ଦ୍ୱିତୀୟ ବିଶ୍ୱ ଶାନ୍ତି ସ୍ତୂପ ଐତିହାସିକ ଧଉଳି ପାହାଡ଼ ଉପରେ ହିଁ ପ୍ରତିଷ୍ଠା କରିବେ । ସେତେବେଳେ ଗୁରୁଜୀଙ୍କ ସହ ମଉସା, ମଉସାଙ୍କ ସାନ ଭାଇ ରଘୁନାଥ ବଳିଆରସିଂଙ୍କ ପୁଅ ଦୋଳଗୋବିନ୍ଦ ବଳିଆରସିଂ (ଦୋଳ ନନା) ଝିଆରି ଜ୍ୱଇଁ , ଶିକ୍ଷାବିତ୍ ଅଧ୍ୟାପକ ଘନଶ୍ୟାମ ପାଇକରାୟ ଉପସ୍ଥିତ ଥିଲୁ । ଗୁରୁଜୀ କହିଥିଲେ ଯେ, ଧଉଳି ପାହାଡ଼ ଉପରେ ବୌଦ୍ଧ ଭିକ୍ଷୁ ଓ ଜନସାଧାରଣଙ୍କ ଶ୍ରମ ଦାନରେ ବିଶ୍ୱଶାନ୍ତି ସ୍ତୂପଟି ନିର୍ମିତ ହେବ ଏବଂ ଧଉଳି ପାଦ ଦେଶରେ ବୁଦ୍ଧ ଦେବଙ୍କୁ ପୂଜାର୍ଚ୍ଚନା ପାଇଁ ଏକ ପ୍ରାର୍ଥନା ମନ୍ଦିର ବା ସଧର୍ମ ବିହାର ପ୍ରତିଷ୍ଠା କରାଯିବ ଯେଉଁଠାରେ କି ବୌଦ୍ଧ ଭିକ୍ଷୁମାନଙ୍କ ସହ ଦେଶବିଦେଶରୁ ଆସୁଥିବା ବୌଦ୍ଧ ଧର୍ମୀମାନେ ବସବାସ କରିବା ସହ ଗବେଷଣା ମଧ୍ୟ କରିପାରିବେ । ଅଶୋକଙ୍କ ଶିଳାଲେଖା ସମ୍ମୁଖରେ ଥିବା ବିସ୍ତୃତ ଚାଷଜମିରେ ଗୋଟିଏ ଜଳାଶୟ ବା ହ୍ରଦ ଖନନ କରାଯାଇ ତାହାର ମଧ୍ୟ ଭାଗରେ ଏକ ସରଶ୍ୱତି ମନ୍ଦିର ମଧ୍ୟ ସ୍ଥାପନ କରାଯିବ ଏବଂ ହ୍ରଦରେ ନୌବିହାରର ସୁଯୋଗ ମଧ୍ୟ ରହିବ । ଟୋକିଓ ବିଶ୍ୱବିଦ୍ୟାଳୟର ବରିଷ୍ଠ ସ୍ଥପତି ଡ଼. ମିନରୁଓକାଙ୍କୁ ଏଥିପାଇଁ ଆବଶ୍ୟକୀୟ ଯୋଜନା ଓ ନକ୍ସା ପ୍ରସ୍ତୁତି ପାଇଁ ଦାଇତ୍ୱ ଦିଆଯିବ ବୋଲି ସେ ମତପ୍ରକାଶ କରିଥିଲେ । ଗୁରୁଜୀଙ୍କ ନିଷ୍ପତି ସଂପର୍କରେ ଶୁଣିବା ପରେ ଆଉ କାଳବିଳମ୍ଭ ନକରି ଏଦିଗରେ ପଦକ୍ଷେପ ନେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯିବା ପାଇଁ ସ୍ଥିର ହୋଇଥିଲା । ତଦନୁଯାୟୀ ଧଉଳି ପାହାଡ଼ ଉପରେ ସ୍ତୂପ ନିର୍ମାଣ ଲାଗି ଜମି , ପାଦ ଦେଶରେ ପ୍ରାର୍ଥନା ଗୃହ ଲାଗି ଆବଶ୍ୟକିୟ ଜମି ଏବଂ ସ୍ତୂପ ଲାଗି ଚିହ୍ନିତ ସ୍ଥାନକୁ ରାସ୍ତା ନିର୍ମାଣ ସହ ଜଳଯୋଗାଣର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖା ଯାଇଥିଲା । ଶିଳାଲେଖ ସମ୍ମୁଖସ୍ତ ଜମିଟି ଘରୋଇ ମାଲିକାନାରେ ଥିବାରୁ ସେହି ଜମିଟି କ୍ରୟ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ସ୍ଥିର ହୋଇଥିଲା ।
ଧଉଳି ଶାନ୍ତି ସ୍ତୂପ ସ୍ଥାପନ ନିମନ୍ତେ କଳିଙ୍ଗ-ନିପନ ବୁଦ୍ଧ ସଂଘ ନାମରେ ଏକ ସୋସାଇଟି ପଞ୍ଜିକରଣ ପାଇଁ ପଦକ୍ଷେପ ନିଆଯାଇ ଶ୍ରୀ ନିତ୍ୟାନନ୍ଦ କାନୁନଗୋଙ୍କୁ ଏହାର ଅଧ୍ୟକ୍ଷ ଏବଂ ଉପେନ୍ଦ୍ର ମଉସାଙ୍କୁ ଓଷାଧ୍ୟକ୍ଷ ରଖାଯିବା ସହ ସମାଜ ସଂପାଦକ ଡ଼. ରାଧାନାଥ ରଥଙ୍କୁ ଏହି ସଂସ୍ଥାର ସଂପାଦକ ରଖାଯାଇଥିଲା । ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ ରକ୍ଷା କରି ରାସ୍ତା ଜଳଯୋଗାଣ ବିଦ୍ୟୁତ କରଣ ଓ ଆବଶ୍ୟକୀୟ ଜମି ଯୋଗାଇବା ବାବଦରେ ସରକାରଙ୍କ ସହ ଯୋଗସୁତ୍ର ରକ୍ଷା କରିବା ଲାଗି ମୋତେ ଦାଇତ୍ୱ ଦିଆଯାଇଥିଲା । ସେତେବେଳେ ସ୍ୱଳ୍ପ ବ୍ୟବଧାନରେ ଭୁବନେଶ୍ୱରରୁ ଧଉଳି ଆସିବା ସହ ସରକାରି ଦପ୍ତରରେ ଯୋଗାଯୋଗ ରଖିବା ଲାଗି ମୋ ସ୍କୁଟରର ତେଲ ଖର୍ଚ୍ଚ ଏବଂ ପାରିଶ୍ରମିକ ବାବଦରେ ମୋତେ ମାସିକ ୩୦୦ଟଙ୍କା ଦେବାଲାଗି ସ୍ଥିର ହୋଇଥିଲା ।
ଶାନ୍ତି ସ୍ତୂପ ନିର୍ମାଣ କାର୍ଯ୍ୟରେ ସରକାରୀ ସହାର୍ଯ୍ୟ ଓ ସହଯୋଗ ମିଳିବା ଲାଗି ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଥିବାରୁ ଆବଶ୍ୟକୀୟ ଜମି ଅଧିଗ୍ରହଣ ପାଇଁ ରାଜ୍ୟସ୍ୱ ବିଭାଗର ସାଶନ ସଚ୍ଚିବ ସୁଧାଂସୁ ଭୂଷଣ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ସ୍ଥାନୀୟ ତହସିଲଦାର ଶ୍ରୀ ଦୟାନିଧି ପଟ୍ଟନାୟକଙ୍କୁ ଦାଇତ୍ୱ ଦିଆଯାଇଥିଲା । ଶାନ୍ତିସ୍ତୂପ ନିମନ୍ତେ ଉଦ୍ଧିଷ୍ଟ ସ୍ଥାନକୁ ରାସ୍ତା ନିର୍ମାଣ ପାଇଁ ପୁର୍ତ୍ତବିଭାଗକୁ ଦାଇତ୍ୱ ଦିଆଯାଇଥିଲା । ସେତେବେଳେ ସୟଦ ମମତାଜ ଅଲ୍ଲି ଥିଲେ ଏହି ବିଭାଗର ମୁଖ୍ୟଯନ୍ତ୍ରି ଏବଂ ଶ୍ରୀ କ୍ଷିତିଶ ଚନ୍ଦ୍ର ପଟ୍ଟନାୟକ ଥିଲେ ଏହି ବିଭାଗର ଏସ୍. ଡ଼ି. ଓ ଯାହାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ଜଳଯୋଗାଣ ପାଇଁ ଦୟାନଦୀରୁ ପାଇପ ଯୋଗେ ଜଳ ଆଣିବା ଲାଗି ପବ୍ଲିକ ହେଲ୍ଥ ଡ଼ିପାର୍ଟମେଣ୍ଟ ବା ପିଏଚଡ଼ି କୁ ଦାଇତ୍ୱ ଦିଆଯାଇଥିଲା । ଏହି ବିଭାଗର ସୁପରିଟେଣ୍ଡିଙ୍ଗ ଇଂଜିନିୟର ଶ୍ରୀ ଜୋସି ଏ ଦିଗରେ ଆବଶ୍ୟକିୟ ପ୍ରସ୍ତୁତି ଆରମ୍ଭ କରିଥିଲେ ।
ଇତି ମଧ୍ୟରେ ଗୁରୁଜୀଙ୍କ ସ୍ୱପ୍ନର ଧଉଳି ଯୋଜନାକୁ ସାକାର ପରିବା ପାଇଁ ଟୋକିଓ ବିଶ୍ୱବିଦ୍ୟାଳୟର ସ୍ଥପତି ବିଭାଗର ମୁଖ୍ୟ ଡ଼.ମିନରୁଓକା ଏକ ବିସ୍ତୃତ ନକ୍ସା ପ୍ରସ୍ତୁତ କରି ଗୁରୁଜୀଙ୍କୁ ପ୍ରଦାନ କରିଥିଲେ । ସେହି ନକ୍ସାଟି ଗୁରୁଜୀ ଉପେନ୍ଦ୍ର ମଉସା ଏବଂ ଡ଼. ରାଧାନଥ ରଥଙ୍କୁ ପ୍ରଦାନ କରି ଧଉଳି ଯୋଜନାକୁ ତୁରନ୍ତ ରୂପରେଖା ଦେବାଲାଗି ପରାମର୍ଶ ଦେଇଥିଲେ । ଡ଼.ରଥ କଳିଙ୍ଗ-ନିପନ ବୁଦ୍ଧ ସଂଘର ସଂପାଦକ ଦାଇତ୍ୱ ତୁଲାଉଥିବାରୁ ଅତିମାତ୍ରାରେ ଉତ୍ସାହିତ ହୋଇ ଧଉଳିର ସାମଗ୍ରିକ ଉନ୍ନତି ଏବଂ ଶାନ୍ତିସ୍ତୂପ ନିର୍ମାଣ ସଂପର୍କରେ ବିସ୍ତୃତ ବିବରଣୀ ସମାଜରେ ମଧ୍ୟ ପ୍ରକାଶ କରିଥିଲେ । ଏହି ଯୋଜନା ପାଇଁ ଗୁରୁଜୀଙ୍କ ଅନୁଗତ କେତେକ ଜାପାନି ବ୍ୟବସାୟୀକ ସଂସ୍ଥା ଆର୍ଥିକ ସହାୟତା ନିମନ୍ତେ ଆଗେଇ ଆସିଥିଲେ । ସେମାନଙ୍କ ମଧ୍ୟରେ ଥିଲେ କିନୁକୁନିୟା ସୁପରମାର୍କେଟର ଅଧ୍ୟକ୍ଷ ପ୍ରଧାନ । ଗୁରୁଜୀଙ୍କର ଅନୁଗତ ପ୍ରାୟ ୨୦ଜଣ ଯୁବ ଭିକ୍ଷୁ ଧଉଳି ଠାରେ ପ୍ରଥମେ ଝାଟିମାଟିର କୁଡ଼ିଆଟିଏ ନିର୍ମାଣ କରି ବସବାସ କରିବା ସହ ସଧର୍ମ ବିହାର ନିର୍ମାଣ ନିମନ୍ତେ କାର୍ଯ୍ୟ ଆରମ୍ଭ କରିଥିଲେ । ସେତେବେଳେ ରାଜଗିରିରୁ ଆଣିଥିବା ନିସାନ କଂପାନି ନିର୍ମିତ ଏକ ପିକଅପ୍ ଭ୍ୟାନରେ ଆବଶ୍ୟକୀୟ ପିଇବା ପାଣି ମୋ ଘରଠାରୁ ନେବାର ବ୍ୟବସ୍ଥା କରିଥିଲେ ।
ସେହି ଝାଟିମାଟି ଘରେ ରହି ନିର୍ମାଣ କାର୍ଯ୍ୟରେ ଲିପ୍ତଥିବା ଯୁବ ଭିକ୍ଷୁମାନଙ୍କ ମଧ୍ୟରେ ରେଭରେଣ୍ଟ ୟାସିଓ, ଇସିୟାମା ରେଭରେଣ୍ଟ ଇକେଡ଼ା, ରେଭରେଣ୍ଟ ୟୋଦା, ପ୍ରଭୃତି ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ୟୋଦା ସେତେବେଳେ ମାତ୍ର ୧୪ବର୍ଷର ଯୁବକ ହୋଇଥିବାରୁ ତାଙ୍କ ମା ମଧ୍ୟ ତାଙ୍କ ସହ ଆସିଥିଲେ ଏବଂ ରୋଷେଇବାସରେ ସହାୟତା କରୁଥିଲେ । ୟୋଦାଙ୍କ ମା’ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଧଉଳି ଠାରେ ରହି ଶେଷ ନିଃଶ୍ୱାସ ନେବା ପରେ ସଧର୍ମ ବିହାର ସମ୍ମୁଖରେ ତାଙ୍କର ଗୋଟିଏ ସ୍ମୃତି ଫଲକ ସ୍ଥାପନ କରାଯାଇଥିଲା ।
ଧଉଳି ଠାରେ ଜମି ଅଧିଗ୍ରହଣ, ରାସ୍ତା, ଜଳଯୋଗାଣ, ବିଦ୍ୟୁତକରଣ ପ୍ରଭୃତି କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମିକ୍ଷା କରିବା ଲାଗି ଶ୍ରୀ କାନୁନଗୋ ସମୟ ସମୟରେ ଭୁବନେଶ୍ୱର ଆସୁଥିଲେ ଏବଂ ମୋ ଘରେ ସମସ୍ତଙ୍କୁ ଡ଼ାକି ଆଲୋଚନା କରୁଥିଲେ । ଏହା ବ୍ୟତିତ ଆବଶ୍ୟକ ସ୍ଥଳେ ଆମେ ସମସ୍ତେ କଟକର ଫିରିଙ୍ଗ ବଜାରସ୍ଥିତ ତାଙ୍କ ବାସ ଭବନକୁ ଯାଇ ତାଙ୍କୁ ସବୁ ବିଷୟ ଅବଗତ କରାଉଥିଲୁ । ଓଡ଼ିଆ ସଂସ୍କୃତି, ସାହିତ୍ୟ, ରାଜନୀତି ଓ ଜନଜୀବନ ସଂପର୍କରେ ଗଭୀର ଜ୍ଞାନ ଥିବା ଶ୍ରୀ କାନୁନଗୋଙ୍କ ପୁଅ ସଚ୍ଚିଦାନନ୍ଦ କାନୁନଗୋ ଅନେକ ସମୟରେ ଧଉଳିର ଐତିହ ସଂପର୍କରେ ଆଲୋଚନା କରୁଥିଲେ । ଶ୍ରୀ କାନୁନଗୋ ଥିଲେ ଅତ୍ୟନ୍ତ ସୌଖିନ ପ୍ରିୟ । ଦାମିକା ଖଦଡ଼ ଲୁଗା ଓ ପଞ୍ଜାବି ପିନ୍ଧି ସେ ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାନ୍ତି ତା ସାଙ୍ଗକୁ ତାଙ୍କ ଅଖିର ସୁନା ଫ୍ରେମ ଦିଆ ଚଷମା ତାଙ୍କ ବ୍ୟକ୍ତିତ୍ୱକୁ ବହୁଗୁଣ ବଢ଼ାଇ ଦେଉଥିଲା । ଶ୍ରୀ କାନୁନଗୋଙ୍କ ପୁଅ ବରିଷ୍ଠ ଆଇ ଏସ୍ ସୋଭନ କାନୁନଗୋ ସମୟ ସମୟରେ ଧଉଳି ଯୋଜନା ସଂପର୍କରେ ଆଲୋଚନା କରି ଦିଗଦର୍ଶନ ମଧ୍ୟ ଦେଉଥିଲେ ।
ଧଉଳିଗିରି ଠାରେ ଶାନ୍ତି ସ୍ତୂପ ସ୍ଥାପନ କରିବା ସଂପର୍କରେ ଗୁରୁଜୀ ଅତ୍ୟନ୍ତ ଆଗ୍ରହି ଥିବାରୁ ୧୯୭୦ ମସିହା ଅକ୍ଟୋବର ୧୮ ତାରିଖ ଦିନ ମଉସାଙ୍କ ନିକଟକୁ ଏକ ଚିଠି ଲେଖି ଉଲ୍ଲେଖ କରିଥିଲେ,”
ଟୋକିଓ, ଜାପାନ
ତା. ୧୮.୦୯.୭୦
କଲ୍ୟାଣୀୟ ପ୍ରଶାନ୍ତ,
ମୁଁ ଗତମାସ ୮ତାରିଖରୁ ଜାପାନ ଅସିଛି । ବୋଧ ହୁଏ ଶୁଣିଥିବୁ । ହିରୋସିମା , ନାଗାସାକି ଯେଉଁଠାରେ କି ଆଟମବମ୍ ପ୍ରୟୋଗ କରି ଏହି ଦୁଇଟି ନଗରିକୁ ଆମେରିକାନ ଧ୍ୱସଂ କରିଥିଲେ ସେହିଠାରେ ଶାନ୍ତି ସ୍ତୂପ ଉଦ୍ଘାଟନ ହେବା ଅବସରରେ ଆମେ ଚାରିଜଣ ଗୋଟେ ଡ଼େଲିଗେସନ ନେଇ ଆସିଥିଲୁ ସେଥିରେ ସାର ସିପି .ଏନ୍ ସିଂ, ଶ୍ରୀ ଶଙ୍କର ଗିରି (ରାଷ୍ଟ୍ରପତିଙ୍କ ପୁତ୍ର, ଶ୍ରୀ ମହେସ କୋଠାରି ଏବଂ ମୁଁ ଆସି ପ୍ରଥମେ ହିରୋସିମା ନଗରିରେ ଯେଉଁ ଶାସ୍ତି ସମ୍ମିଳନୀ ହୋଇଥିଲା ସେଥିରେ ଯୋଗଦାନ ନେଇ ନାଗାସାକିରେ ଶାନ୍ତି ସ୍ତୂପ ଉଦ୍ଘାଟନି ସମାରେହରେ ସମ୍ମିଳିତ ହୋଇ ବିଭିନ୍ନ ସ୍ଥାନ ଭ୍ରମଣ କରୁଥିଲି । ତେବେ ବହୁବାର ଲେଖିବାକୁ ଇଚ୍ଛା ହେଲେ ମଧ୍ୟ ବ୍ୟସ୍ତତା କାରଣ ଯୋଗୁଁ ଲେଖିପାରି ନାହିଁ ।
ଆତାମୀ ଯେଉଁ ସହର ପ୍ରସିଦ୍ଧ ସେଠାରେ ଗୁରୁ ନିବାସ କରୁଥିବା ସମୟରେ ମୋତେ ଡ଼କାଇ ଧଉଳି ଗିରିରେ ଶାସ୍ତି ସ୍ତୂପ ନିର୍ମାଣ କରିବା ପାଇଁ ପୂର୍ଣ୍ଣ ସହମତି ଦେଇଛନ୍ତି । ମୁଁ ଗଲାଥର ଯେଉଁ ନକ୍ସା ତିଆରି କରିଥିଲି ସେ ସବୁ ଦେଖାଇ ତାଙ୍କ ସହମତି ନେଇଛି । ଫୁଜି ଗୁରୁଜୀ ଆଗାମୀ ମାସ ୧୫ ତାରିଖରେ ଭାରତ ପାଇଁ ପ୍ରସ୍ଥାନ କରୁଛନ୍ତି । ସେଠାରେ ସେ ୨୧ ତାରିଖ ରାଜଗୃହର ସ୍ଥାପିତଥିବା ଶାସ୍ତି ସ୍ତୂପର ବାର୍ଷିକ ଉତ୍ସବ ହେବ । ସେ ସମୟରେ ଯୋଗଦାନ କରି ଓଡ଼ିଶାର ଧଉଳି ଗିରିରେ କାମ ଆରମ୍ଭ କରିବା ପାଇଁ ନିଜର ଶିଷ୍ୟ ବର୍ଗଙ୍କ ସହ ଯାଉଛନ୍ତି ।
ଅବିକା ତୁମ୍ଭମାନଙ୍କ ଉପରେ ରହିଲା କିପରି କାର୍ଯ୍ୟ ଆରମ୍ଭ କରିବାକୁ ହେବ ସର୍ବପ୍ରଥମେ ସେ ସ୍ଥାନକୁ ବିଦ୍ୟୁତ , ଜଳ ପ୍ରବନ୍ଧ କରିବ । ରାସ୍ତା ତିଆରି କରିବ । ସେଠାରେ ରହିବାକୁ ସ୍ଥାନ ତିଆରି କରିବା ଇତ୍ୟାଦି ଆବଶ୍ୟକ ସେଥିପାଇଁ ଭାରତକୁ ୧୯ ତାରିଖରେ ପ୍ରସ୍ଥାନ କରୁଛି । ପ୍ରଥମ କରି ଦିଲ୍ଲୀ ଏହାପରେ ୨୦ ତାରିଖ ଭିତରେ ପହଞ୍ଚିବି । ସେଠାରୁ ୨୧ ତାରିଖରେ ବାହାରି ୨୨ରେ ପହଞ୍ଚିବି । ମୋତେ ଓଡ଼ିଶା ଆସିବକୁ ହେବ । ପହଞ୍ଚିବା ପରେ ଜଣାଇବି । ଆଶାକରେ ଭଲରେ ଥିବୁ ତୋ ଛୁଆ ସମସ୍ତ ଭଉଣୀ ଉତ୍ୟାଦିଙ୍କୁ ସୁଭେଚ୍ଛା ଜଣାଇବୁ ।
ଇତି ତୋ ସୁଭାଙ୍କାକ୍ଷି ମଉସା ।
ତୁ ଓଡ଼ିଶା ସରକାରଙ୍କୁ ଲେଖିବୁ ଜମି ଇତ୍ୟାଦିର ଶିଘ୍ର ବ୍ୟବସ୍ତା କରନ୍ତୁ । ଫୁଜି ପୁସ୍କରିଣୀ ଯେଉଁ ହେବ ସେ କାର୍ଯ୍ୟକୁ ପ୍ରଥମେ କରି ଆରମ୍ଭ କରାଯିବ ।”
ନଂ-୯ ଗାଡ଼ିନର ରୋଡ଼୍
ତା. ୧୮.୧୦.୭୦
“କଲ୍ୟାଣୀୟ ପ୍ରଶାନ୍ତ,
ତୋ ଚିଠି ଚନ୍ଦ୍ରିକା ଇତ୍ୟାଦି ପାଇଛି । ମୁଁ ଜାପାନରୁ ଫେରି ଅତ୍ୟଧିକ କାର୍ଯ୍ୟରେ ବ୍ୟସ୍ତ ରହି ତୋତେ ଚିଠି ଦେଇପାରିନଥିଲି ସେଥିପାଇଁ ଅନୁତପ୍ତ ।ଏହି ଭିତରେ ଧଉଳି ଗିରି ବିଷୟ ପ୍ରାୟ ସବୁ କାର୍ଯ୍ୟ ଆରମ୍ଭ ହେବାର ନିଶ୍ଚିତ ହୋଇଗଲାଣି । ଗୁରୁଜୀ ଆଜି ଜାପାନରୁ ପହଞ୍ଚିଛନ୍ତି । ୨୦ ଜଣ ଶିଶ୍ୟଙ୍କ ସହ ସେମାନେ ଧଉଳିଗିରିରେ ରହି ନିଜ ହାତରେ କାମ କରିବେ । ବୁଲଡ୍ରୋଜର ଟ୍ରାକ୍ଟର ଇତ୍ୟାଦି ଆସୁଛି । ଅନେକ ବହୁ ଦାନ ଦେଲେଣି ।
ଧଉଳିଗିରି ଠାରେ ଝାଟିମାଟି ତିଆରି କରି କାର୍ଯ୍ୟ ଆରମ୍ଭ କରିବେ । କେବଳ ରହିଲା ପାଣି ଏବଂ ବିଜୁଳିର ବ୍ୟବସ୍ଥା । ଜମି ଉପଲବ୍ଧି ପାଇଁ ବିଶେଷ ବ୍ୟବସ୍ଥା ଶିଘ୍ର କରିବା ନିମନ୍ତେ ଆଜି ବି ଗୁରୁଜୀ ରାଜ୍ୟପାଳ କାନୁନଗୋଙ୍କ ସଂଗେ ସମସ୍ତ ଶିଶ୍ୟଙ୍କ ସହ ସାକ୍ଷାତ କଲେ । ସବୁ ବିଷୟ ନିର୍ଣ୍ଣୟ ହୋଇଗଲା । କଳିଙ୍ଗ ନିପନ ବୁଦ୍ଧ ସଂଘ ଓ ସୋସାଇଟି ନାମ କରଣ ହେଲା । ମୁଁ ସବୁ ନିୟମାବଳୀ କରିଦେଇଛି । ଅବିକା ସୋସାଇଟିର ରେଜିଷ୍ଟେସନ କରିବାକୁ ବ୍ୟବସ୍ଥା କରୁଛି । ତୋ ଉପରେ ସରକାର ତଥା ଜାପନ ବୁଦ୍ଧ ସଂଘ ସଂପର୍କ ସ୍ଥାପନ କରିବା ପାଇଁ ନିଶ୍ଚୟ କରିଥିଲୁ । ତୋ ଉପରେ ଭାର ଦେବାକୁ କହିବାରୁ କାନୁନଗୋ ତଥା ଗୁରୁଜୀ ଉଭୟ ସହମତି କଲେ । ତୋତେ ଦରମା ଦିଆଯିବ ଏକଥା ବି ନିଶ୍ଚୟ ହୋଇଗଲା ।
ମୁଁ ନିକଟରେ ନଭେମ୍ବର ପ୍ରଥମ ସପ୍ତାହରେ ଆସିପାରେ । କାରଣ ଗୁରୁଜୀ ଧଉଳିଗିରିରେ ଦଳେ ଶିଶ୍ୟଙ୍କ ସହ ରହିବେ ।”
୧୯୭୦ ମସିହା ନଭେମ୍ବର ୧୧ ତାରିଖ ଦିନ ମଉସା ମୋ ପାଖକୁ ଏକ ଚିଠି ଲେଖି ଉଲ୍ଲେଖ କରିଥିଲେ, “
Shi U. Maharathi,
Joint Secretary,
R.B.V.S., Patna – 1.
11th November, 1970
Dear Shri Prasanta
I am enclosing herewith the letter received from the governor of Bihar, sri N.Kanungo, dates the 9th November, 1990. I have already informed you in y previous letter that due to accident, I may not be able to come to Bhubaneswar according to my programme communicated to you wearlier.
Now , you shall have to make necessary arrangments for Guruji and his party. according to his scheduled programme, he is arriving there on the but his advance party will reach there two-three day earlier. they will make two trips from Calcutta kindly find out a suitable house on the Dhauligiri road side and let me know what would be the rent. Beside this, for excavation of tank in the Dauligigi valley you shall have to demarcate the boundary. Kindly find out a map of the valley and take help of a person. I also wanted to have the plot number of the entire valley and owner of the land how many people leave there. You should take details from the concern officer so that according we may send a proposal to acquire the afore said land. Further, I am making a design for the pad. As soon as it will be ready, I will show it to governor and obtain his approval and then it will be sent to press for printing. After printing the pad, we will approach the archaeological department.
It is not necessary to have furniture for the house to be hired for the residential purpose of monks. They are having their own luggages and beddings. You may arrange for durries and vat. For food arrengment, they will coock themselves. But they shall have to arrenge for utensils and a servant who will wash utensils and clean the house, etc. regarding transport, they are taking the pickup van of Rajgiri Buddha Vihar Society. For transport of Guruji, you shall have to arrange for a car. you may take help of Gopi Babu and Dr.B.C.Ray. The amount, which you have spent for Rev.Horiuchi and Rev.Tomitake, will be returned to you. I have asked Rev.Shugei to return to you. Kindly let me know about the arrangments so that I may communicate to Rajyapal ji.
Yours Sincerely
( U Maharathi) 11.11.70
Shri Prasanta Kumar Patnaik,
17/2 VA Type,
Ashok Nagar,
Bhubaneswar ( Orissa)”
ମଉସା ଏବଂ ବିହାର ରାଜ୍ୟପାଳ ଶ୍ରୀ ନିତ୍ୟାନନ୍ଦ କାନୁନଗୋଙ୍କ ପରାମର୍ଶ କ୍ରମେ ଗୁରୁଜୀଙ୍କର ଓଡ଼ିଶା ଆଗମନ ପାଇଁ ସବୁ ବ୍ୟବସ୍ଥା କରିବା ପରେ ୧୯୭୦ ମସିହା ନଭେମ୍ବର ୧୫ ତାରିଖ ଦିନ ସ୍ୱଳ୍ପ କେତେଜଣ ଜାପାନି ଶିଶ୍ୟଙ୍କ ସହ ଗୁରୁଜୀ ଧଉଳିରେ ପହଞ୍ଚିଥିଲେ । ସେଠାରେ ବାଉଂସ ଓ ତାଟି ନିର୍ମିତ ଅସ୍ଥାୟୀ ଗୃହ ନିର୍ମାଣ କରି କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ଯେଉଁ ଭିକ୍ଷୁମାନେ ଏହି ନିର୍ମାଣ କାର୍ଯ୍ୟରେ ସକ୍ରିୟ ଭାବରେ ଯୋଗଦାନ କରିଥିଲେ ସେମାନେ ହେଲେ, ଜୁଇତେନ ମତସୁଅକା (୬୦), ଶାନ୍ତି ଶୁଗେଇ(୪୪), ଗ୍ୱକୋ ଇମାଇ(୪୧), ଗ୍ୱତେତସୁ ମୋୟୁସିତା (୩୪), ଗ୍ୱଶିନ ଇକେଡ଼ା (୨୧), ଶୋସେନ ମୋଉତା(୨୩), କେଇଜୋ ଇସିୟାମା (୨୦), ୟୋସିଓ ଇସିୟାମା (୨୩), ଜୁନସେଇ ତେରାସୋମା (୨୧), ମାସାତୋସି ସିବେୟୁଜା (୨୨), ତକୁୟା ୟୋସିମୁରା (୪୩), କାଜୁୟୋ ୟୋଦା (୧୭) ।
ଧଉଳି ପାହାଡ଼ ପାଦ ଦେଶରେ ଥିବା ଅଶୋକଙ୍କ ଶିଳାଲେଖ ସମ୍ମୁଖସ୍ଥ ୧୧ଏକର ଚାଷ ଜମିକୁ ଫୁଜି ସରୋବର ଖନନ ପାଇଁ କ୍ରୟ କରିବା ଲାଗି ନିଷ୍ପତି ନିଆଯିବା ପରେ ଏହି ଜମିର ମାଲିକାନା ପୁରୀର ଜୈନେକ ତନ୍ତ୍ର ସାଧକଙ୍କ ହାତରେ ଥିବାରୁ ଏହି ଜମିକୁ କିଣିବା ଲାଗି ଚିନ୍ତା କରାଯାଇଥିଲା । ଏହି ୧୧ ଏକର ପରିମିତ ଜମି ସଂପର୍କରେ ଶ୍ରୀ କାନୁନଗୋଙ୍କର ସଂପର୍କିୟ ତଥା ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଧେଶକ ଥିବା ଶ୍ରୀ ଏସ୍. ଏନ୍ ଦାସ ମହାପାତ୍ର ସମସ୍ତ ବିବରଣୀ ଯୋଗାଇ ଦେଇଥିଲେ । ମାତ୍ର ଜମିର ମାଲିକ ତନ୍ତ୍ର ସାଧକ ମହୋଦୟ ଏହି ଜମିଟିକୁ କୌଣସି ପରିସ୍ଥିତିରେ ବିକିବେ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ । ଏପରି ପରିସ୍ଥିତିରେ ସଂପୃକ୍ତ ତନ୍ତ୍ର ସାଧକଙ୍କୁ ମନାଇବା ଦାଇତ୍ୱ ମୋ ଉପରେ ନ୍ୟସ୍ତ କରାଯାଇଥିଲା । ମୋର ଶାଶୁ ଶ୍ରୀମତି ସରଶ୍ୱତି ଦେବୀ ପୁରୀର ଦଇତା ପରିବାରର ଏବଂ ସେ ଜଣେ ସମାଜସେବୀ ନାରୀନେତ୍ରୀ ଭାବରେ ଯଥେଷ୍ଟ ଜଣାଶୁଣା ଥିବାରୁ ତାଙ୍କରି ସହାୟତାରେ ଜମିମାଲିକଙ୍କ ସହ ସାକ୍ଷାତ କରି ଏହି ଜମିଟି କିଣିବା ଲାଗି ପ୍ରସ୍ତାବ ଦେବା ସମୟରେ ସେ କୌଣସି ବିଧର୍ମି ସଂଗଠନକୁ ଜମି ବିକିବେ ପାହିଁ ବୋଲି ରୋକଠୋକ୍ ମନା କରିଦେଇଥିଲେ । ତଥାପି ମୁଁ ଓ ପତ୍ନୀ ଚନ୍ଦ୍ରପ୍ରଭା ବାରମ୍ବାର ତାଙ୍କ ଘରକୁ ଯାଇ ତାଙ୍କୁ ପ୍ରବର୍ତ୍ତାଇବା ପାଇଁ ଉଦ୍ୟମ କରିଥିଲୁ । ତାଙ୍କର ଏକମାତ୍ର କନ୍ୟା ଚନ୍ଦ୍ରପ୍ରଭାଙ୍କୁ ବଡ଼ଭଉଣୀ ଭାବରେ ସଂବୋର୍ଦ୍ଧନ କରି ତାଙ୍କର ଜିଦ୍ ଖୋର ବାପାଙ୍କୁ ମନାଇବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ପରିଶେଷରେ ଝିଅର ବିବାହ ପାଇଁ ଟଙ୍କାର ଆବଶ୍ୟକତା ଥିବାରୁ ତନ୍ତ୍ର ସାଧକ ମହାଶୟ ଜମିଟିକୁ ବିକ୍ରି କରିବା ଲାଗି ରାଜି ହୋଇଥିଲେ ଏବଂ ଏଥିପାଇଁ ସେ ୩୦ ହଜାର ଟଙ୍କା ନେବେ ବୋଲି କହିଥିଲେ ।