ବାଘୁଣୀ ସହ ମୁହାଁ ମୁହିଁ
୧୯୭୦ ଦଶକରେ ରାଜ୍ୟରେ ଘଟିଥିବା ପ୍ରଳୟଙ୍କାରୀ ବନ୍ୟା ସମୟରେ ଭାରତୀୟ ରେଡ଼୍ କ୍ରସ ସୋସାଇଟି ତରଫରୁ ଓଡ଼ିଶାରେ ବ୍ୟାପକ ରିଲିଫ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସେତେବେଳେ ଓଡ଼ିଶା ଶାଖା ରେଡ଼୍ କ୍ରସ ସୋସାଇଟିର ଅବୈତ୍ୟନିକ ସଂପାଦକ ଥିଲେ ଡ଼ାକ୍ତର ଘନଶ୍ୟାମ ମହାପାତ୍ର । ବନ୍ୟା ପ୍ରପିଡ଼ିତ ଲୋକମାନଙ୍କୁ ସ୍ଥଳ, ଜଳ ଓ ଆକାଶ ମାର୍ଗରୁ ଖାଦ୍ୟ ପଦାର୍ଥ, ଔଷଧ ଶୀତ ବସ୍ତ୍ର ଓ ଲୁଗାପଟା ଯୋଗାଇ ଦିଆଯାଉଥାଏ । ରେଡ଼୍ କ୍ରସ ତରଫରୁ ବନ୍ୟା ବିଧ୍ୱସ୍ତ ଅଞ୍ଚଳରେ ପିଡ଼ିତ ଜନ ସାଧାରଣଙ୍କ ପାଇଁ ଯୋଗାଇ ଦିଆଯାଉଥିବା ସାହାର୍ଯ୍ୟ ଓ ସହଯୋଗ ସଂପର୍କରେ ରାଜ୍ୟର ଗଣମାଧ୍ୟମରେ ଆଶାନୁରୂପ ସମ୍ବାଦ ପ୍ରକାଶ ପାଇ ପାରୁନଥିଲା । ସେତେବେଳେ ରାଜ୍ୟର ମାତ୍ର କେତେଗୋଟି ସମ୍ବାଦ ପତ୍ର ଓ ଦିଲ୍ଲୀ କଲିକତାରୁ ପ୍ରକାଶ ପାଉଥିବା ଇଂଗ୍ରାଜୀ ସମ୍ବାଦ ପତ୍ର ଓ ଆକାଶ ବାଣୀ କଟକକୁ ବାଦ ଦେଲେ ଆଉ କୌଣସି ଗଣମାଧ୍ୟମ ନଥିଲା । ରେଡ଼୍ କ୍ରସ ତରଫରୁ ପ୍ରପିଡ଼ିତ ଜନସାଧାରଣମାନଙ୍କୁ ଯୋଗାଇ ଦିଆଯାଉଥିବା ସାହାର୍ଯ୍ୟ ଓ ସହଯୋଗ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ନିୟମିତ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇବାରେ ଆବଶ୍ୟକତା ଅନୁଭବ କରି ରେଡ଼୍ କ୍ରସ ମୁଖ୍ୟାଳୟ ଦିଲ୍ଲୀରୁ ଶ୍ରୀ ଏସ୍ ଏସ୍ ବାନାର୍ଜୀ ନାମଧ୍ୟେୟ ଜୈନେକ ଭଦ୍ରବ୍ୟକ୍ତିଙ୍କୁ ଓଡ଼ିଶାରେ ରେଡ଼୍ କ୍ରସର କାର୍ଯ୍ୟକଳାପ ସଂପର୍କରେ ସମ୍ୱାଦ ପ୍ରକାଶନର ଦାଇତ୍ୱ ଦିଆଯାଇ ଭୁବନେଶ୍ୱର ପଠାଯାଇଥିଲା ।
ଶ୍ରୀ ବାନାର୍ଜୀ ଡ଼. ମହାପାତ୍ରଙ୍କୁ ସାକ୍ଷାତ କରି ଏ ସଂପର୍କରେ ଆଲୋଚନା କରିବା ସମୟରେ ଡ଼. ମହାପାତ୍ର ତାଙ୍କୁ କହିଥିଲେ ‘ମୋର ଯେତେଦୂର ବିଶ୍ୱାସ ପ୍ରଶାନ୍ତ ପଟ୍ଟନାୟକ ହିଁ ଏହି କାର୍ଯ୍ୟ ତୁଲାଇ ପାରିବେ’ । ମୁଁ ରେଭେନ୍ସା କଲେଜରେ ପଢ଼ିବା ସମୟରୁ ଡ଼. ମହାପାତ୍ରଙ୍କ ସହ ମୋର ଜଣାଶୁଣା ଥିଲା ଏବଂ ସାମ୍ବାଦିକତା ସହ ଫଟୋ ସାମ୍ବାଦିକତାରେ ମୋର କାର୍ଯ୍ୟକଳାପ ଅନୁଧ୍ୟାନ କରି ସେ ଶ୍ରୀ ବାନାର୍ଜୀଙ୍କୁ ଏହି ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବ ଶୁଣି ଶ୍ରୀ ବାନାର୍ଜୀ ଖୁସି ହୋଇଯାଇଥିଲେ ଏବଂ କୌଣସି ପାରିଶ୍ରମିକ ବିନା ଏହି କାର୍ଯ୍ୟ କରିବା ଲାଗି ମୁଁ କେତେଦୂର ସହମତ ହେବି ସେ ସଂପର୍କରେ ଜାଣିବା ପାଇଁ ସେ ଡ଼. ମହାପାତ୍ରଙ୍କୁ ଅନୁରୋଧ କରିଥିଲେ । ଡ଼. ମହାପାତ୍ର କାଳବିଳମ୍ବ ନକରି ତାଙ୍କ ଗାଡ଼ିରେ ଶ୍ରୀ ବାନାର୍ଜୀଙ୍କୁ ଧରି ମୁଁ ସେ ସମୟରେ ୟୁନିଟ-୨ ରେ ରହୁଥିବା ସରକାରୀ ବାସଭବନରେ ଆସି ପହଞ୍ଚିଥିଲେ ଏବଂ ରେଡ଼୍ କ୍ରସର କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଶ୍ରୀ ବାନାର୍ଜୀଙ୍କ ସହ ମୋର ପୂର୍ବରୁ ବ୍ୟକ୍ତିଗତ ପରିଚୟ ନଥିଲେ ମଧ୍ୟ କଲିକତା ଓ ଦିଲ୍ଲୀରୁ ପ୍ରକାଶ ପାଉଥିବା କେତେକ ସମ୍ବାଦ ପତ୍ରରେ ଓଡ଼ିଶାର ଘଟଣା ଦୁର୍ଘଟଣା ସଂପର୍କରେ ମୋ ଦ୍ୱାରା ପ୍ରେରିତ ସମ୍ବାଦ ଚିତ୍ର ସହ ମୋ ନାମ ମଧ୍ୟ ପ୍ରକାଶ ପାଇଥିବାରୁ ଶ୍ରୀ ବାନାର୍ଜୀ ମୋ ନାମ ସହ ପୂର୍ବରୁ ପରିଚିତ ଥିଲେ । ସେ ଓ ଡ଼.ମହାପାତ୍ର ମୋ ଘରକୁ ଆସି ଏହି ପ୍ରସ୍ଥାବ ଦେବା ମାତ୍ରେ ମୁଁ କାଳବିଳମ୍ବ ନକରି ସମ୍ମତି ଦେଇଥିଲି । ବନ୍ୟା ଅଧିଷ୍ଠିତ ଅଞ୍ଚଳ ଗସ୍ତ କରି ସମ୍ବାଦ ଓ ଫଟୋ ସଂଗ୍ରହ କରିବା ସହ ସେଗୁଡ଼ିକ ଗଣମାଧ୍ୟମରେ ପ୍ରକାଶ ପାଇଁ ଶ୍ରୀ ବାନାର୍ଜୀ ମୋ ସହ ଗସ୍ତ କରିବେ ବୋଲି ସ୍ଥିର ହେଲା ଏବଂ ସଙ୍ଗେସଙ୍ଗେ ବନ୍ୟା ପ୍ରପିଡ଼ିତ ଅଞ୍ଚଳକୁ ଯିବା ଲାଗି ଫଟୋଗ୍ରାଫି ଉପକରଣ ସହ ମୁଁ ପ୍ରସ୍ତୁତ ହୋଇଯାଇଥିଲି ।
ରେଡ଼୍ କ୍ରସ ଭବନରେ ଡ଼. ମହାପାତ୍ରଙ୍କ ଲାଗି ଉଧିଷ୍ଟଥିବା କକ୍ଷ ନିକଟରେ ଏକ ସ୍ୱତନ୍ତ୍ର କକ୍ଷକୁ ଶ୍ରୀ ବାନାର୍ଜୀ ଓ ମୁଁ ବ୍ୟବହାର କରିବା ଲାଗି ବ୍ୟବସ୍ଥା କରାଯାଇଥିଲା । ଏବଂ ବନ୍ୟାଞ୍ଚଳକୁ ଗସ୍ତ କରିବାଲାଗି ଏକ ଜିପ୍ ମଧ୍ୟ ଯୋଗାଇ ଦିଆଯାଇଥିଲା । ଶ୍ରୀ ବାନାର୍ଜୀ ଓ ମୁଁ ବିଭିନ୍ନ ବନ୍ୟା ପ୍ଲାବିତ ଅଞ୍ଚଳରେ ଜନସାଧାରଣ ଭୋଗୁଥିବା ଦୁଃଖ ଦୁର୍ଦଶା ଓ ରେଡ଼୍ କ୍ରସ ତରଫରୁ ଯୋଗାଇ ଦିଆଯାଇଥିବା ରିଲିଫ୍ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ଓ ଫଟୋ ସଂଗ୍ରହ କରିବା ପାଇଁ ମଟର ଲଞ୍ଚ ଡ଼ଙ୍ଗା ବ୍ୟବହାରେ କରିବାକୁ ପଡ଼ୁଥିଲା ଏବଂ ସବୁ ସମୟରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଭିନ୍ନ ସ୍ତରର ସରକାରୀ କର୍ମଚାରର ସ୍ୱଚ୍ଛାସେବୀ ଅନୁଷ୍ଠାନ ଓ ଶିକ୍ଷକମାନେ ଅକୁଣ୍ଠିତ ଚିତ୍ତରେ ଆମ ସହ ସାହାର୍ଯ୍ୟ ଓ ସହଯୋଗ କରୁଥିଲେ । ଏହିଭଳି କାର୍ଯ୍ୟକ୍ରମ କରୁଥିବା ସମୟରେ ମୋ ଦ୍ୱାରା ଉତ୍ତୋଳିତ ଫଟୋ ଓ ସଂଗୃହିତ ତଥ୍ୟ ସଂପର୍କୀୟ ସମ୍ବାଦମାନ ବିଭିନ୍ନ ସମ୍ବାଦ ପତ୍ରକୁ ପଠାଇ ସେ ସବୁ ପ୍ରକାଶ ପାଇବାର ବ୍ୟବସ୍ଥା କରାଯାଇଥିଲା । ଗଣମାଧ୍ୟମରେ ରେଡ୍ କ୍ରସର କ୍ରମାଗତ ପ୍ରଚାର ଫଳରେ ଡ଼. ମହାପାତ୍ର ଯଥେଷ୍ଟ ଖୁସି ହେଉଥିଲେ ଏବଂ ଦିଲ୍ଲୀ ମୁଖ୍ୟାଳୟରୁ ମଧ୍ୟ ପ୍ରଶଂସା ସୂଚକ ପତ୍ରମାନ ଆସୁଥିଲା ।
କ୍ଷତିଗ୍ରସ୍ତ ଅଞ୍ଚଳ ଓ ଜନସାଧାରଣଙ୍କ ଦୁଃଖ ଦୁର୍ଦଶା ସହ ରେଡ଼୍ କ୍ରସ ତରଫରୁ ଦିଆଯାଇଥିବା ପଦକ୍ଷେପ ସଂପର୍କରେ ଫଟୋ ଓ ତଥ୍ୟ ଦେଇ ଗୋଟିଏ ସଚିତ୍ର ପୁସ୍ତିକା ପ୍ରକାଶ କରିବା ପାଇଁ ଡ଼.ମହାପାତ୍ର ପ୍ରସ୍ତାବ ଦେଇଥିଲେ । ଏହି ପୁସ୍ତିକାଟି ପାଇଁ ସମସ୍ତ ଫଟୋଗ୍ରାଫ ମୁଁ ଯୋଗାଇ ଦେଇଥିଲି ଏବଂ ମୋର ଚିତ୍ରଶିଳ୍ପୀ ବନ୍ଧୁ ଡ଼. ଦିନନାଥ ପାଠୀ ସେଗୁଡ଼ିକୁ ସଜାଇ ଚବିଷ ପୃଷ୍ଠାର ଗୋଟିଏ ସୁଦୃଷ ପୁସ୍ତିକା ପ୍ରସ୍ତୁତ କରିଥିଲେ । କଟକ ସ୍ତିତ ଛାତ୍ରସାଥୀ ପ୍ରେସର ମାଲିକ ଏବଂ ମୂଦ୍ରଣ ଶିଳ୍ପରେ ଦକ୍ଷତା ଥିବା ଶ୍ରୀ ନବକିଶୋର ମହାପାତ୍ରଙ୍କ ତତ୍ୱାବଧାନରେ ଏହି ପୁସ୍ତିକାଟି ମୂଦ୍ରିତ ହେବାର ବ୍ୟବସ୍ତା କରାଯାଇଥିଲା ।
ଏହି ସମୟରେ ମୋଟର ଗାଡ଼ି, ଶଗଡ଼, ସାଇକେଲ, ଡ଼ଙ୍ଗା, ମଟର ଲଞ୍ଚ ପ୍ରଭୃତିରେ ରିଲିଫ ସାମଗ୍ରୀ ଯୋଗାଇ ଦିଆଯିବା ଓ ପିଡ଼ିତମାନଙ୍କୁ ସେବା ଯୋଗାଇ ଦିଆଯିବା ସହ ଆକାଶ ମାର୍ଗରୁ ବାୟୁସେନା ବିମାନରେ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଥିବାର କେତେକ ସୁନିର୍ବାଚିତ ଫଟୋ ଏହି ପୁସ୍ତିକାରେ ସ୍ଥାନ ଦେବା ପାଇଁ ବ୍ୟବସ୍ତା କରାଯିବା ସମୟରେ ଶ୍ରୀ ବାନାର୍ଜୀ ପ୍ରସ୍ତାବ ଦେଇଥିଲେ ଯେ, କେବଳ ବନ୍ୟା ପ୍ଲାବିତ ଅଞ୍ଚ ଳ ନୁହେଁ ଏପରିକି ଆଦିବାସୀ ଓ ହିଂସ୍ର ଜନ୍ତୁ ଅଧ୍ୱଷିତ ଘଞ୍ଚଜଙ୍ଗଲ ଅଞ୍ଚଳରେ ମଧ୍ୟ ପିଡ଼ିତ ଲୋକମାନଙ୍କୁ ରେଡ଼୍ କ୍ରସ ସେବା ଯୋଗାଇ ଦେବାରେ କେବେହେଲେ ଅବହେଳା କରେନାହିଁ । ତେଣୁ ଆମେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ଆଦିବାସୀମାନଙ୍କ ପାଇଁ ରିଲିଫ୍ ଭାବରେ ଖାଦ୍ୟ ସାମଗ୍ରୀ ଲୁଗାପଟା ଔଷଧ ପତ୍ର ଯୋଗାଉଥିବାର କିଛି ଫଟୋ ଉଠାଇ ଏହି ପୁସ୍ତିକାରେ ପ୍ରକାଶ କରିପାରିଲେ ବହୁତ ଭଲ ହେବ । ଶିମିଳିପାଳ ଜଙ୍ଗଲରେ ଜଦି ଖଇରୀ ବାଘ ରେଡ଼୍ କ୍ରସ ଗାଡ଼ି ନିକଟରେ ଠିଆ ହୋଇଥିବାର ଫଟୋଟିଏ ମିଳିପାରିବ ତେବେ ରେଡ଼୍ କ୍ରସ ସ୍ୱଚ୍ଛାସେବୀମାନେ କିଭଳି ଜୀବନ ବିପନ୍ନ କରି ସାହାର୍ଯ୍ୟ ଯୋଗାଉଛନ୍ତି ତାହା ଆମେ ଦର୍ଶାଇ ପାରିବା ।
ଶ୍ରୀ ବାନାର୍ଜୀଙ୍କ ପ୍ରସ୍ତାବରେ ମୁଁ ସଂଗେସଂଗେ ଏକମତ ହୋଇଥିଲି ଏବଂ ଆମେ ଶିମିଳିପାଳ ଯିବା ପାଇଁ ବାହାରି ପଡ଼ିଥିଲୁ । ସେତେବେଳେ ମୋବାଇଲ ଫୋନ୍ ବା ଟେଲିଫୋନ୍ ଯୋଗାଯୋଗ ବ୍ୟବସ୍ଥା ପ୍ରାୟ ନଥିଲା କହିଲେ ଚଳେ । ରେଡ଼୍ କ୍ରସର ଉଇଲିଜ୍ ଷ୍ଟେସନ ୱାଗନରେ କିଛି ଖାଦ୍ୟ ସାମଗ୍ରୀ ପାଣି ବୋତଲ ଏବଂ ଔଷଧ ଧରି ଆମେ ଦୁହେଁ ଜସିପୁର ଅଭିମୁଖେ ଯାତ୍ରା କଲୁ । ସେଠାରେ ପହଞ୍ଚିବା ପୂର୍ବରୁ ସନ୍ଧ୍ୟା ହୋଇଯାଇଥିଲା, ଶ୍ରୀ ବାନାର୍ଜୀ ଓ ମୁଁ ଜସିପୁର ଫରେଷ୍ଟ ବଙ୍ଗଳାରେ ରହୁଥିବା ଡ଼ି ଏଫ୍ ଓ ତଥା ଖଇରୀର ପିତା ଭାବରେ ପରିଚିତ ସରୋଜ ରାଜ ଚୌଧୁରୀଙ୍କ ସହ ଦେଖା କରି ଆମର ଉଦ୍ଧେଶ୍ୟ ତାଙ୍କୁ ଜଣାଇଲୁ । ଶ୍ରୀ ଚୌଧୁରୀ ଏବଂ ତାଙ୍କ ସହ ରହୁଥିବା ତାଙ୍କର ସମ୍ପର୍କିୟ ଭଉଣୀ ନିହାର ନଳୀନି ଆମ ପ୍ରସ୍ତାବ ଶୁଣି ଅତ୍ୟନ୍ତ ଖୁସି ହୋଇଥିଲେ ଏବଂ ଏବାବଦରେ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ଆମେ ଜସିପୁରରେ ପହଞ୍ଚିବାର ଦିନକ ଆଗରୁ ଖଇରୀ ନିଘଞ୍ଚ ଅରଣ୍ୟ ମଧ୍ୟକୁ ଚାଲିଯାଇ ଫେରିନଥିବାରୁ ଏବଂ ସେ କେବେ ଫେରିବ ତାହାର କୌଣସି ନିଶ୍ଚିତତା ନଥିବା ଦୃଷ୍ଟିରୁ ଜସିପୁର ଠାରେ ଆମକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ୍ୟ ଅପେକ୍ଷା କରିବାକୁ ପଡ଼ିବ ବୋଲି ସୂଚାଇଥିଲେ । ସେତେବେଳେ ଆମ ପାଖରେ ଆଉ କିଛି ପନ୍ଥା ନଥିବା ଦୃଷ୍ଟିରୁ ଆମେ ସେହି ବଙ୍ଗଳାରେ ଅପେକ୍ଷା କରିବୁ ବୋଲି ତାଙ୍କୁ ଜଣାଇଥିଲୁ । ଶ୍ରୀ ଚୌଧୁରୀ ଓ ନିହାର ନଳୀନି ବଙ୍ଗଳାର କର୍ମଚାରୀମାନଙ୍କୁ ଡ଼ାକି ଆମର ଖାଦ୍ୟ, ପେୟ ଓ ରହିବାର ବ୍ୟବସ୍ଥା କରାଇଦେଇଥିଲେ ।
୧୯୭୪ ମସିହା ଅକ୍ଟୋବର ୦୫ତାରିଖ ଦିନ ଶିମିଳିପାଳରେ ବସବାସ କରୁଥିବା ‘ଖଇରୀ ଆଦିବାସୀ ସମ୍ପ୍ରଦାୟର କେତେଜଣ ବ୍ୟକ୍ତି ମାତ୍ର ଦୁଇ ମାସର ଏକ ବାଘ ଛୁଆକୁ ଆଣି ଶ୍ରୀ ସରୋଜ ରାଜ ଚୌଧୁରୀଙ୍କୁ ଭେଟି ଦେଇଥିଲେ । ଶ୍ରୀ ଚୌଧୁରୀ ଏହି ବାଘ ଛୁଆଟି ଖଇରୀ ନଇ କୂଳରୁ ସେମାନେ ଉଦ୍ଧାର କରିଥିବାରୁ ତାକୁ ‘ଖଇରୀ’ ନାମରେ ନାମିତ କରାଯାଇଥିଲା ।
ଖଇରୀ ବାଘୁଣୀର ଫେରିବାର ସମ୍ଭାବନା ସଂପର୍କରେ ଆଲୋଚନା କରିବା ସମୟରେ ଶ୍ରୀ ଚୌଧୁରୀ କହିଥିଲେ ଖଇରୀ ଯେତେବେଳେ ପୁରୁଷ ବାଘ ସହ ମିଳିତ ହେବା ଲାଗି ଶାରିରୀକ ଆବଶ୍ୟକତା ଅନୁଭବ କରେ ସେତେବେଳେ ସେ ପୁରୁଷ ବନ୍ଧୁର ଅନ୍ୱେଷଣରେ ଘଞ୍ଚ ଜଙ୍ଗଳ ଭିତରକୁ ଚାଲିଯାଇଥାଏ ଏବଂ ସମୟେ ସମୟେ ଦୁଇ ତିନ ଦିନ ପରେ ନିରାଷ ହୋଇ ଫେରିଆସେ । ଏଥର ସେ ଜଦି ତାର ମନ ଓ ଦେହ ଉପଯୋଗୀ ପୁରୁଷ ବନ୍ଧୁଟିଏ ପାଇ ତା’ସହ ମିଳିତ ହେବ ତେବେ ସେ ହୁଏତ ସନ୍ତାନ ସମ୍ଭବା ହୋଇପାରିବ ତେଣୁ ଜଙ୍ଗଲରେ କେତେଦିନ ରହିବ ସେ ବିଷୟରେ ନିର୍ଦ୍ଧିଷ୍ଟ ଭାବରେ କିଛି କହିହେବ ନାହିଁ । ତଥାପି ଆମେମାନେ ପରିଶ୍ରମ କରି ଏତେଦୂର ଯାଇଚେ ଯେତେବେଳେ ସେହି ଦୃଷ୍ଟିରୁ ହଠାତ୍ ଫେରି ନଆସି ଜସିପୁର ଠାରେ ଅପେକ୍ଷା କରିବା ଉଚିତ୍ ହେବ ବୋଲି ଆମେ ସ୍ତିର କରିଥିଲୁ ।
ରାତିରେ ଖାଇସାରିବା ପରେ ବଙ୍ଗଳାର ଖାନସମା ବା ରୋଷେଇଆକୁ ଡ଼ାକି ସକାଳ ୬ଟା ବେଳେ ଶ୍ରୀ ବାନାର୍ଜୀ ଓ ମୁଁ ରହୁଥିବା କୋଠରୀରେ ଦୁଇ କପ୍ ଚା’ ପହଁଚାଇଦେବା ପାଇଁ ପ୍ରସ୍ତାବ ଦେଇଥିଲି । ତା’ପରେ ଶ୍ରୀ ବାନାର୍ଜୀ ଓ ମୁଁ ଦୁଇଟି ଖଟରେ ଶୋଇଥିଲୁ । ସକାଳୁ ସକାଳୁ ମୁଁ ଉଠିପଡ଼ି ମୋର ସୋନି କ୍ୟାସେଟ ପ୍ଲେୟାରରେ ଭଜନ ଶୁଣିବାକୁ ଆରମ୍ଭ କଲି । ଚୌକିଦାର କେତେବେଳେ ଚା’ ଆଣିବ ସେଥିପାଇଁ ମଧ୍ୟ ଅପେକ୍ଷା କରିଥିଲି । ଏହି ସମୟରେ ଆମ କୋଠରୀର ମୁଖ୍ୟ କବାଟଟି ହଲିବା ଆରମ୍ଭ ହୋଇଥିଲା, ଚୌକିଦାର ଚା’ ଧରୀ ଆସିଛି ବୋଲି ମୁଁ ନିଶ୍ଚିତ ହୋଇ ବଡ଼ ପାଟିରେ “ହଁ ଭିତରକ୍ୁ ଆସ” ବୋଲି କହି କବାଟ ଖୋଲିବା ପାଇଁ ଉଦ୍ୟତ ହେଉଥିବା ସମୟରେ କବାଟର ଭିତରପଟୁ ଦିଆଯାଇଥିବା କାଠର ଛିଟିକିଣିଟି ହଠାତ୍ ଉପୁଡ଼ି ଯାଇ କବାଟଟି ଆପେଆପେ ଖୋଲିଯାଇଥିଲା । ଏଭଳି ଘଟଣାରେ ଚକିତ ହୋଇ ମୁଁ ଦେଖେତ ଏକ ବିଶାଳକାୟ ମହାବଳ ବାଘ ସେହି ଦ୍ୱାର ଦେଇ ଆମ କୋଠରୀକୁ ପଶିଆସୁଛି । ପ୍ରାଣ ବିକଳରେ ମୁଁ ଗୋଟି ଡ଼ିଆଁମାରି କୋଠରୀର ପାଇଖାନା ପଟକୁଥିବା କବାଟ ଦେଇ ପାଇଖାନା ଭିତରେ ପଶିଯାଇଥିଲି ଏବଂ କବାଟଟିକୁ ବନ୍ଦ କରିଦେଇଥିଲି । କୋଠରୀ ଭିତରେ ବାଘଟିକୁ ଦେଖି ଶ୍ରୀ ବାନାର୍ଜୀ ବିକଳରେ କାନ୍ଦି ପକାଇଥିଲେ ଓ ତାଙ୍କୁ ରକ୍ଷାକରିବା ପାଇଁ ମତେ ଉଚ୍ଚସ୍ୱରରେ ଅନୁରୋଧ କରୁଥିଲେ । ମୁଁ ସେତେବେଳେ ପାଇଖାନା କବାଟଟିକୁ ବନ୍ଦ କରି ଶ୍ରୀ ବାନାର୍ଜୀଙ୍କୁ କହୁଥିଲି “ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ଯଦି ଏହି ବାଘ କବଳରୁ ବଞ୍ଚିଗଲି ତେବେ ଆପଣ ରେଡ଼୍ କ୍ରସ ପାଇଁ ପ୍ରାଣବଳୀ ଦେଲେ ବୋଲି ଫଟୋସହ ସମ୍ବାଦ ପ୍ରକାଶ କରିବାର ବ୍ୟବସ୍ଥା କରିଦେବି” । ସେତେବେଳେ ମୋ କଥା ଶୁଣିବା ଲାଗି ଶ୍ରୀ ବାନାର୍ଜୀଙ୍କ ସାମାନ୍ୟତମ ଆଗ୍ରହ ବା ଧର୍ଯ୍ୟ ନଥିଲା ।
ମୁଁ ସେଠାରୁ କିଭଳି ଭାବେ ଆତ୍ମରକ୍ଷା କରିବି ସେକଥା ଚିନ୍ତା କରି ସୟନ କକ୍ଷକୁ ପାଇଖାନା ସହ ସଂଯୁକ୍ତ କରୁଥିବା କବାଟ ଟିକୁ ଚାପିରଖିଥିବା ସମୟରେ ହଠାତ୍ ପଛପଟୁ ମୋ କାନ୍ଧରେ ଖଇରୀର ଓଜନିଆ ପଞ୍ଝାର ସ୍ପର୍ଷ ଏବଂ କାନମୁଳରେ ତାର ଉତପ୍ତ ନିଃଶ୍ୱାସ ଅନୁଭବ କରି ମୋର ମୃତ୍ୟୁ ନିଶ୍ଚିତ ବୋଲି ଭାବିନେଇ ନିଶ୍ଚଳ ଭାବେ ଠିଆହୋଇ ରହିଥିଲି । ଏହି ସମୟରେ ସରୋଜ ବାବୁ ସେହିଠାକୁ ଆସି ଖଇରୀକୁ ଅନ୍ୟତ୍ର ଚାଲିଯିବା ପାଇଁ ଅଙ୍ଗଭଙ୍ଗି କରି ନିର୍ଦ୍ଧେଶ ଦେଇଥିଲେ । ଖଇରୀ ତାଙ୍କ ନିର୍ଦ୍ଧେଶକୁ ବେଖାତିର କରିବାରୁ ଶ୍ରୀ ଚୌଧୁରୀ ଗୋଟିଲ ପ୍ଲାଷ୍ଟିକ୍ ଚୌକି ଉଠେଇ ଆଣି ଖଇରୀ ମୁଁହରେ ଲଗାଇ ତାକୁ ସେଠାରୁ ଚାଲିଯିବା ଲାଗି ବାଧ୍ୟ କରିଥିଲେ । ଇତିମଧ୍ୟରେ ସରୋଜ ନଳୀନି ଦେବୀ ଏବଂ ବଙ୍ଗଳାର ଅନ୍ୟାନ୍ୟ କର୍ମଚାରୀମାନେ ସେଠାରେ ଆସି ପହଞ୍ଚି ଯାଇଥିଲେ । ଖଇରୀ ସଙ୍ଗେସଙ୍ଗେ ସୁନା ପିଲାଟିଏ ଭଳି ଶ୍ରୀ ଚୌଧୁରୀଙ୍କ କୋଳରେ ମୁହଁ ଗୁଞ୍ଜିଦେଇ ତାଙ୍କ ପାଦକୁ ଆଉଁସିବାରେ ଲାଗିଥିଲା । ଶ୍ରୀ ଚୌଧୁରୀ ଖଇରୀର ମୁଣ୍ଡ ଓ ବେକ ଆଉଁସି ତାକୁ ଗେଲ୍ଲା କରିଥିଲେ, ସରୋଜ ନଳୀନି ମଧ୍ୟ ଖଇରୀକୁ ଆଦରରେ ତାଙ୍କ ସୟନ କକ୍ଷକୁ ପାଛୋଟି ନେଇଥିଲେ ।
ଇତି ମଧ୍ୟରେ ଚୌକିଦାର ଆମ ପାଇଁ ଚା’ଆଣି ଦେଇଥିଲା ଆମେ ସମସ୍ତେ ଚା’ପିଇବା ସମୟରେ ଶ୍ରୀ ଚୌଧୁରୀ କହିଥିଲେ ଯେ, ଏଥି ପୂର୍ବରୁ ଖଇରୀ କେବେହେଲେ ଟେପ୍ ରେକଡ଼ର ସଂସ୍ପର୍ଷରେ ଆସିନଥିଲା, ତେଣୁ କୋଠରୀ ଭିତରେ ଶ୍ରୀ ଜଗନ୍ନାଥଙ୍କ ଭଜନର ଶବ୍ଦଶୁଣି ସେ ହୁଏତ ତାହାର ରହସ୍ୟ ଭେଦ କରିବା ପାଇଁ ଆମ ଶୟନ କକ୍ଷ ଭିତରକୁ ପଶିଆସି ଏକ ଅସ୍ୱାଭାବିକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ।
ଅଚାନକ ଭାବରେ ଖଇରୀ ଫେରିଆସିଥିବାରୁ ଶ୍ରୀ ବାନାର୍ଜୀ ଓ ମୋ ମନରେ ଆନନ୍ଦର ସୀମା କୂଳ ଲଘଂନ କରିଥିଲା । କାରଣ ଆମେ ଯେଉଁ ଉଦ୍ଧେଶ୍ୟ ନେଇ ଏଠାକୁ ଆସିଥିଲୁ ତାହା ଏବେ ସୁରୁଖୁରୁରେ ହାସଲ କରାଯାଇପାରିବ ସେ ବିଷୟରେ ଆଉ ସନ୍ଦେହ ନଥିଲା । ଏଥର ଖଇରୀ ସହ କେତେକ ଫଟୋ ଉଠାଇବା ପାଇଁ ପୂର୍ବ ଯୋଜନା ଅନୁଯାୟୀ ଶ୍ରୀ ଚୌଧୁରୀଙ୍କୁ ପ୍ରସ୍ତାବ ଦେଇଥିଲୁ । ଖଇରୀ ଖାଇସାରିବା ପରେ ଫଟୋ ଉଠାଇବା ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଅଳ୍ପ ସମୟ ଭିତରେ କିଛି ମାଂସ ଏବଂ ଅମୁଲ ପାଉଡ଼ର ଅଣା ଯାଇଥିଲା ଏବଂ ମାଂସରେ ଅମୁଲ ଗୋଳାଇ ଖଇରୀକୁ ଖାଇବାକୁ ଦିଆଯାଇଥିଲା । ଖଇରୀ ତାହାକୁ ଆନନ୍ଦରେ ଖାଉଥିବାର ଦେଖି ମୁଁ ମଧ୍ୟ ଖଇରୀକୁ କେଇ ଖଣ୍ଡ ମାଂସ ଖୁଆଇବା ଲାଗି ଆଗ୍ରହ ପ୍ରକାଶ କରିଥିଲି । ଶ୍ରୀ ଚୌଧୁରୀ ମୋ ପ୍ରସ୍ତାବରେ ସମ୍ମତ ହୋଇ ଅମୁଲ ପାଉଡ଼ର ଗୋଳା ଯାଇଥିବା କେତେ ଖଣ୍ଡ ମାଂସ ମୋ ହାତକୁ ବଢ଼ାଇ ଦେଇଥିଲେ ଏବଂ ମୁଁ ଖଣ୍ଡକ ପରେ ଖଣ୍ଡେ ଖଇରୀ ମୁହଁରେ ଦେଇଥିଲି । ଖଇରୀ ସେଗୁଡ଼ିକ ଆନନ୍ଦରେ ଖାଉଥିବା ସମୟରେ ମୋ କ୍ୟାମେରାରେ ଶ୍ରୀ ବାନାର୍ଜୀ ସେ ଦୃଶ୍ୟର କେତେଗୋଟି ଫଟୋ ମଧ୍ୟ ଉଠାଇଥିଲେ । ଏହାପରେ ଖଇରୀ ପାଣୀ ପିଇ ହାଇ ମାରିଥିଲା ଏବଂ ଶ୍ରୀ ଚୌଧୁରୀଙ୍କ ଦେହରେ ଘସି ହୋଇଥିଲା ।
ଅଳ୍ପ ସମୟ ଖଇରୀକୁ ରେଡ଼୍ କ୍ରସ ଗାଡ଼ି ନିକଟକୁ ନିଆଯାଇ କେତେଗୁଡ଼ିଏ ଫଟୋ ଉଠାଇ ଥିଲୁ । ଶ୍ରୀ ଚୌଧୁରୀଙ୍କର ନିର୍ଦ୍ଧେଶ ମାନି ଖଇରୀ ଗାଡ଼ି ଚାରିପାଖେ ବୁଲିବା ସହ ରେଡ଼୍ କ୍ରସ ଚିହ୍ନଟିକୁ କିଛି ସମୟ ନିରିକ୍ଷଣ କରିବା ପରେ ବାଟ ଭାଙ୍ଗି ଚାଲିଯାଇଥିଲା । ମୁଁ ମୋ କ୍ୟମେରାରେ ସେ ସବୁ ଦୃଶ୍ୟର ଫଟୋ ନେଇଚାଲିଥିଲି । ଏହା ଦେଖି ଶ୍ରୀ ବାନାର୍ଜୀ ଖୁସିରେ ଆତ୍ମହରା ହୋଇ ଉଠି କହିଥିଲେ ଆମର ଏଠାକୁ ଆସିବାର ସବୁ କଷ୍ଟ ଓ ପରିଶ୍ରମ ସାର୍ଥକ ହୋଇଗଲା ।
ମହାବଳ ବାଘ ବା ରୟଲ ବେଙ୍ଗଲ ଟାଇଗର ପ୍ରଜାତିର ଖଇରୀ ସ୍ୱଭାବତଃ ହିଂସ୍ର ହୋଇଥିଲେ ମଧ୍ୟ ଛୋଟ ଦିନୁ ଶ୍ରୀ ଚୌଧୁରୀ ଓ ଶ୍ରୀମତି ସରୋଜ ନଳୀନିଙ୍କ ଦ୍ୱାରା ପ୍ରତିପାଳିତ ହେବା ସଂଗେସଂଗେ ମଣିଷ ଛୁଆ ଭଳି ତାକୁ ଅମୁଲ ଓ ମାଂସ ଦେଇ ଲାଳନପାଳନ କରାଯାଉଥିବାରୁ ଖଇରୀ ଠାରେ ଶିକାର କରିବାର ପ୍ରବୃତି ପ୍ରାୟତଃ ଲୋପ ପାଇଯାଇଥିଲା । ତାକୁ ପରିବେଷଣ କରାଯାଉଥିବା ଖାଦ୍ୟହିଁ ଖଇରୀ ଖାଉଥିଲା । ଖଇରୀର ଯତ୍ନ ନେବା ଲାଗି ଶ୍ରୀ ଚୌଧୁରୀ ଓ ନିହାର ନଳୀନି ଦେବୀ ତାକୁ ଗାଧୋଇ ଦେବା ସହ ଚର୍ମରୋଗ ନହେବା ଲାଗି ପାଉଡ଼ର ବ୍ୟବହାର କରାଉଥିବାରୁ ବାଘର ସ୍ୱଭାବ ସୁଲଭ ଗନ୍ଧ ତା’ଠାରେ ନଥିଲା । ବରଂ ଶ୍ରୀ ଚୌଧୁରୀ, ଶ୍ରୀମତି ନିହାର ନଳୀନି ଏବଂ ଖଇରୀର ଦେଖାଶୁଣା କରୁଥିବା ଜଙ୍ଗଲ ବିଭାଗର କେତେଜଣ କର୍ମଚାରୀ ବାରମ୍ବାର ଖଇରୀକୁ ସ୍ପର୍ଷ କରୁଥିବାରୁ ସେମାନଙ୍କ ଶରୀରର ବାସ୍ନା ଖଇରୀ ଶରୀରକୁ ସଂକ୍ରମିତ ହେଉଥିବାରୁ ଖଇରୀ ଯେତେବେଳେ ମିଳନ ଆଶାରେ ନିଘଞ୍ଚ ଅରଣ୍ୟକୁ ସାଥିଟିଏ ଖୋଜିବା ପାଇଁ ଯାଇଥିଲା ସେତେବେଳ ତା’ଶରୀରର ବାସ୍ନା ଏବଂ ଚାଲିଚଳନରୁ ପୁରୁଷ ବାଘମାନେ ତାକୁ ହୁଏତ ଗ୍ରହଣ କରି ତାସହ ମିଳନ ପାଇଁ ଆଗ୍ରହ ପ୍ରକାଶ କରୁନଥିଲେ ।
କେଇ ବର୍ଷ ପୂର୍ବେ ପଶ୍ଚିମ ବଙ୍ଗଳାର ସୁନ୍ଦର ବନ ଠାରେ ଘୁରିବୁଲୁଥିବା ଏକ ମହାବଳ ବାଘକୁ ନିଶା ଇଞ୍ଜେକ୍ସନ ଦେଇ ବନ ବିଭାଗ କର୍ମଚାରୀମାନେ କାବୁ କରିବା ପରେ ‘ସୁନ୍ଦରୀ’ ନାମରେ ନାମ କରଣ କରାଯାଇଥିବା ସେହି ବାଘୁଣୀଟିର ଆବଶ୍ୟକୀୟ ଚିକିତ୍ସା କରି ପୁନର୍ବାର ଡ଼ଙ୍ଗାରେ ନେଇ ସୁନ୍ଦର ବନରେ ଛାଡ଼ିଦେବା ପରେ ସେ ଆରାମରେ ବସବାସ କରିବ ବୋଲି ଆଶା କରାଯାଉଥିଲେ ମଧ୍ୟ ସୁନ୍ଦରୀ ବାଘୁଣୀଟି ଅନ୍ୟାନ୍ୟ ବାଘମାନଙ୍କର ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଥିଲା କାରଣ ତାକୁ ଚିିକିତ୍ସା କରାଯିବା ସମୟରେ ମଣିଷମାନଙ୍କ ଦେହର ବାସ୍ନା ତା ଦେହରେ ରହିଯାଇଥିବାରୁ ସାଧାରଣ ବାଘମାନେ ତାକୁ ସେମାନଙ୍କର ଆତ୍ମୀୟ ବୋଳି ଗ୍ରହଣ କରିନଥିଲେ ।
ସେହି ଦୃଷ୍ଟିରୁ ଖଇରୀ ଯେତେବେଳେ ପୁରୁଷ ବାଘସହ ମିଳନ ପାଇଁ ଶାରିରୀକ ଲକ୍ଷଣମାନ ଦେଖାଇଥାଏ । ସେତେବେଳେ ତାର ନିୟମିତ ଖାଦ୍ୟ ପଦାର୍ଥ, ଚାଲିଚଳନ ଜଙ୍ଗଲରେ ବସବାସ କରୁଥିବା ମହାବଳ ବାଘମାନଙ୍କ ଠାରୁ ସଂପୂର୍ଣ୍ଣ ରୂପେ ଭିନ୍ନ ହୋଇଥିବା ଦୃଷ୍ଟିରୁ ତାକୁ ନିଜ ପ୍ରଜାତିର ବାଘମାନେ ଗ୍ରହଣ କରୁନଥିବାରୁ ସେ ହତାସ ହୋଇ ଫେରିଆସୁଥିଲା । ଶ୍ରୀ ଚୌଧୁରୀ ଖଇରୀ ସହ ବନ୍ଧୁତା ସୂତ୍ରରେ ଆବଦ୍ଧ କରିଥିବା କୁକୁରଟିର ନାମ ଦେଇଥିଲେ ‘ବାଘ’ । କେବଳ ସେତିକି ନୁହେଁ ଖଇରୀ ସହ ଗୋଟିଏ ଗଧିଆ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କୁ ସେ ମଧ୍ୟ ଲାଳନ ପାଳନ କରିଥିଲେ ।
ଶ୍ରୀ ଚୌଧୁରୀଙ୍କ ସହ ଖଇରୀର ଘନିଷ୍ଠତା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେଉଥିଲା । ଶ୍ରୀ ଚୌଧୁରୀ ଜସିପୁରର ‘ପ୍ରୋଜେକ୍ଟ ଟାଇଗର’ର ଅଧ୍ୟକ୍ଷ ଥିବାରୁ ସେ ସରକାରୀ କାମରେ ଭୁବନେଶ୍ୱର ଆସିବା ସମୟରେ ଜିପ୍ରେ ଖଇରୀକୁ ସାଙ୍ଗରେ ନେଇଆସୁଥିଲେ । ପ୍ରଖ୍ୟାତ ଲେଖକ ଶ୍ରୀ ଅକ୍ଷିଳ ମୋହନ ପଟ୍ଟନାୟକ ଶ୍ରୀ ଚୌଧୁରୀଙ୍କର ଏକାନ୍ତ ଅନ୍ତରଙ୍ଗ ଓ ମଧୁର ସଂପର୍କ ଥିବାରୁ ଖଇରୀ ମଧ୍ୟ ଅଖିଳ ବାବୁଙ୍କ ପରିବାର ସହ ଅନ୍ତରଙ୍ଗ ହୋଇପଡ଼ିଥିଲା । ଏସଂପର୍କରେ ଶ୍ରୀ ପଟ୍ଟନାୟକ ‘ବାଘରାଣୀ ଖଇରୀ’ ନାମରେ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।
ଶ୍ରୀମତି ନନ୍ଦିନୀ ସତପଥି ମୁଖ୍ୟମନ୍ତ୍ରୀ ଥିବା ସମୟରେ ଖଇରୀକୁ ଶ୍ରୀ ଚୌଧୁରୀ ଲାଳନପାଳପ କରିବା ଆରମ୍ଭ କରିଥିବାରୁ ସେ ଶିଶୁ ଅବସ୍ଥାରେ ମଧ୍ୟ ଶ୍ରୀମତି ଶତପଥିଙ୍କ ନିକଟକୁ ଆସୁଥିଲା । ପରବର୍ତ୍ତୀ କାଳରେ ଖଇରୀ ଯେତେବେଳେ ଯୌବନରେ ଉପନିତ ହେଲା ସେତେବେଳେ ମଧ୍ୟ ତା’ଠାରେ କୌଣସି ହିଂସ୍ର ପ୍ରକୃତି ଉଦ୍ବେଗ ହୋଇନଥିବାରୁ ଓଡ଼ିଶା ଭ୍ରମଣରେ ଆସୁଥିବା କେନ୍ଦ୍ରମନ୍ତ୍ରୀ ଓ ବିଦେଶୀ ପର୍ଯ୍ୟଟାକମାନଙ୍କୁ ନିକଟକୁ ଖଇରୀଙ୍କୁ ଆଣି ତାହାର ସରଳତା ଓ ନିଷ୍କପଟତାର ପ୍ରମାଣ ଦିଆଯାଉଥିଲା ।
୧୯୭୩ ମସିହାରେ ଶ୍ରୀମତି ନନ୍ଦିନୀ ଶତପଥି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଶ୍ରୀ ରାଜବାହାଦୁର କେନ୍ଦ୍ରରେ ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭାବରେ ଓଡ଼ିଶା ଗସ୍ତରେ ଆସି ଖଇରୀକୁ ଦେଖି ଚକିତ ହୋଇଯାଇଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ଦପ୍ତରରେ ଏକ କୋଠରିରେ ଶ୍ରୀ ରାଜବାହାଦୁର ବସିଥିବା ସମୟରେ ଏହି ବିଭାଗର ତଦନାନ୍ତିନ ନିର୍ଦ୍ଧେଶକ ଶ୍ରୀ ଅବୋଧ ନାରାୟଣ ତ୍ରୀବାରୀ ତାଙ୍କୁ ସ୍ତମ୍ବିଭୁତ କରିବା ପାଇଁ ସେହି କକ୍ଷ ଭୀତରକୁ ଅଚାନକ ଭାବରେ ଖଇରୀକୁ ଛାଡ଼ିଦେବା ପାଇଁ ଶ୍ରୀ ଚୌଧୁରୀଙ୍କୁ ପରାମର୍ଶ ଦେଇଥିଲେ । ଏହା ଏକ କୌତୁହଳ ପୂର୍ଣ୍ଣ ବାତ୍ତାବରଣ ସୃଷ୍ଟି କରିବ ଭାବି ଖଇରୀକୁ ଶ୍ରୀ ରାଜବାହାଦୁର ବସିଥିବା କକ୍ଷ ଭିତରକୁ ଅଚାନକ ଭାବରେ ଛାଡ଼ିଦିଆଯିବାରୁ କେନ୍ଦ୍ରମନ୍ତ୍ରୀ ଛାନିଆ ହୋଇଯାଇଥିଲେ ।
ମଣିଷ ପିତାମାତାଙ୍କ ଦ୍ୱାରା ପ୍ରତିପାଳିତ ଖଇରୀ କ୍ରମେ ଆଲୋଚନାର କେନ୍ଦ୍ରବିନ୍ଦୁରେ ପରିଣତ ହୋଇଥିଲା । ଖଇରୀ ସଂପର୍କରେ ଦୂରଦର୍ଶନ ତରଫରୁ ସୁପରିଚିତ ନିର୍ଦ୍ଧେଶକ ଓ ପ୍ରଜୋଯକ ଅଭିଜିତ୍ ଦାସଗୁପ୍ତଙ୍କ ଦ୍ୱାରା ‘ଖଇରୀ ଦ ଟାଇଗ୍ରେସ’ ଶୀର୍ଶକ ଏକ ଚଳଚିତ୍ର ପ୍ରସ୍ତୁତ ହୋଇ ଆଦୃତ ମଧ୍ୟ ହୋଇଥିଲା । ୧୯୮୧ମସିହାରେ କୁକୁର କାମୁଡ଼ା ଯୋଗୁ ଖଇରୀ ଜଳାନ୍ତକ ରୋଗ ରେ ଆକ୍ରାନ୍ତ ହେବା ସଂଗେସଂଗେ ତାର ଚିକିତ୍ସା ପାଇଁ ଦିଆଯାଇଥିବା ଅଧିକମାତ୍ରାର ନିଶା ଇଞ୍ଜେକ୍ସନ ଯୋଗୁଁ ଖଇରୀର ମୃତ୍ୟୁ ଘଟିଥିଲା ।
( ପ୍ରକାଶ ପାଇବାକୁ ଥିବା ଆତ୍ମଜୀବନିରୁ ଉର୍ଦ୍ଧୁତ)