Thu. Dec 26th, 2024

ପ୍ରଲୋଭନ, ପ୍ରତିଶ୍ରୁତି ଓ ପ୍ରତିିଶୋଧ

By amfnews Apr 16, 2019 #Featured
233 Views

ପ୍ରଶାନ୍ତ ପଟ୍ଟନାୟକ

ଚଳିତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ବିଜୟ ହେବା ପାଇଁ ସମସ୍ତ ରାଜନୈତିକ ଦଳ ଭୋଟଦାତାମାନଙ୍କୁ ପ୍ରଲୋଭନ ଦେଖାଇ ଅନେକ ଦଳ ଅବାସ୍ତବ ପ୍ରତିଶ୍ରୁତି ଦେଉଥିବା ସହ ବିରୋଧୀ ଦଳମାନଙ୍କ ବିରୋଧରେ ଅଜସ୍ର ଅଭିଯୋଗ ଉତ୍ଥାନ କରି ଶାସନକ୍ଷମତାକୁ ଆସି ସେମାନଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବେ ବୋଲି ଖୋଲି ଖୋଲି ଘୋଷଣା କରିଛନ୍ତି ।

ସଂପ୍ରତ୍ତି ଦେଶରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ତୁଙ୍ଗ ନେତା ତଥା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ‘ ମହାସଂକଳ୍ପ’ରେ ଘୋଷଣା କରିଛନ୍ତି ଯେ, ଓଡିଶାରେ ବିଜେପି ସରକାର ପ୍ରତିଷ୍ଠିତ ହେବେ ତିନି କୋଟି ୨୬ ଲକ୍ଷ ଓଡିଶାବାସୀଙ୍କୁ ମାସିକ ମୁଣ୍ଡପିଛା ୫ କିଲୋ ଚାଉଳ, ଅଧା କିଲୋ ଡାଲି ଓ ଅଧା କିଲୋ ଲୁଣ ମାତ୍ର ୧ ଟଙ୍କାରେ ଯୋଗାଇ ଦେବେ । ଏହାକୁ ‘ନୂଆ ଆଶା, ପୁରା ଭରସା, ମୋଦିଙ୍କ ସାଥେ ନୂଆ ଓଡିଶା’ ଭାବରେ ପ୍ରଚାରିତ କରାଯାଉଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମାସିକ ୧୫୧,୩୦୦,୦୦୦ ଚାଉଳ, ୧୫,୧୩୦,୦୦୦ ଡାଲି ଏବଂ ଡାଲି ପରିମାଣର ଲୁଣ ଆବଶ୍ୟକ ହେବ । ଏହି ପ୍ରତିଶ୍ରୁତି ବା ପ୍ରଲୋଭନରେ ଓଡିଶାର ଭୋଟଦାତାମାନେ ଢଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

ମାତ୍ର ଏହାର କାର୍ଯ୍ୟକାରିତା ସଂପର୍କରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ବହୁ ସନ୍ଦେହ ରହିଛି । ବିଜେପି ଦଳର ନେତା ଓ କର୍ମୀମାନେ ଏହି ପ୍ରତିଶ୍ରୁତିରେ ଅତିମାତ୍ରାରେ ଉତ୍ସାହିତ ହୋଇ ଭୋଟଦାତାମାନଙ୍କୁ ପ୍ରଭାବିତ କରିବା ନିମନ୍ତେ ପୂର୍ଣ୍ଣ ପ୍ରାଣରେ ଉଦ୍ୟମ ଆରମ୍ଭ କରିବା ସମୟରେ ଯେଉଁ ରାଜ୍ୟମାନଙ୍କର ବିଜେପି ଦଳ ଶାସନ କ୍ଷମତାରେ ରହିଛି, ସେହିସବୁ ରାଜ୍ୟମାନଙ୍କରେ ଏଭଳି ଯୋଜନା କାର୍ଯ୍ୟକାରୀ କରାଯାଇଛି ବୋଲି ପ୍ରଶ୍ନ କରୁଛନ୍ତି । ଆପାତତଃ କୌଣସି ଗୋଟିଏ ହେଲେ ବିଜେପି ଶାସିତ ରାଜ୍ୟରେ ଅଦ୍ୟାବଧି ଏଭଳି ଯୋଜନା ଅର୍ଥାତ୍ ମାତ୍ର ୧ ଟଙ୍କାରେ ୫ କିଲୋ ଚାଉଳ, ଅଧାକିଲୋ ଡାଲି ଓ ଅଧାକିଲୋ ଲୁଣ ଯୋଗାଇ ଦେବା ଲାଗି ବ୍ୟବସ୍ଥା ହୋଇନାହିଁ ।

ତେଣୁ ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ସହ କୁପୋଷଣ ବିରୁଧରେ ମହାସଂଗ୍ରାମରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ପ୍ରତିଶ୍ରୁତି ବା ଭରସାର ବାସ୍ତବ ରୂପରେଖ ନେଇ ଜନସାଧାରଣଙ୍କ ମନରେ ସୃଷ୍ଟି ହେଉଥିବା ସନ୍ଦେହକୁ ଦୂର କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ ଉତ୍ତର ରଖିବାର ଆବଶ୍ୟକତା ରହିଛି । ବାସ୍ତବରେ ଏହି ପ୍ରତିଶ୍ରୁତି ଯଦି କାର୍ଯ୍ୟକାରୀ ହୁଏ ତେବେ କେବଳ ଓଡିଶା ନୁହେଁ ସମଗ୍ର ଦେଶକୁ କୁପୋଷଣ ଓ ଖାଦ୍ୟାଭାବ ସବୁଦିନ ପାଇଁ ଦୂର ହୋଇପାରିବ ଏବଂ ଆମ ଦେଶ ଏକ ସୁନାର ଭାରତରେ ପରିଣତ ହୋଇପାରିବ ଏଥିରେ ସନ୍ଦେହ ନାହିଁ ।

ପ୍ରଧାନମନ୍ତ୍ରୀଙ୍କର ଏହି ପ୍ରତିଶ୍ରୁତିକୁ ବିରୋଧୀମାନେ ‘ପ୍ରଲୋଭନ’ର ଆଖ୍ୟା ଦେଇ ବୃଦ୍ଧବ୍ୟାଘ୍ର ସୁବର୍ଣ୍ଣ କଙ୍କଣର ଲୋଭ ଦେଖାଇ ପଥଚାରୀମାନଙ୍କୁ ଆକୃଷ୍ଟ କରି ପଙ୍କିଳ ପୁଷ୍କରିଣୀରେ ସ୍ନାନ କରିବାକୁ ସର୍ତ୍ତ ରଖି ହତ୍ୟା କରିବା ଭଳି ଘଟଣାର ପୁନରାବୃତ୍ତି ବୋଲି ଅପପ୍ରଚାର ଆରମ୍ଭ କରିଛନ୍ତି ।
ଏହି ନିର୍ବାଚନରେ ଅନେକ ସ୍ଥାନରେ ଭୋଟଦାତାମାନେ ରାଜନୈତିକ ନେତାମାନଙ୍କର ପ୍ରତିଶ୍ରୁତି ବା ପ୍ରଲୋଭନରେ ଆକୃଷ୍ଟ ନ ହୋଇ ସ୍ୱାଧୀନ ଭାବରେ ମତବ୍ୟକ୍ତ କରିବା ପାଇଁ ପ୍ରସ୍ତୁତ ହେଉଥିବାର ସୁରାକ୍ ମିଳିଲେ କ୍ଷମତାଲିପ୍ସୁ ରାଜନୈତିକ ନେତାମାନେ ପ୍ରତିଶୋଧ ପରାୟଣ ହୋଇ ହିଂସାକାଣ୍ଡ ଘଟାଇବା ପାଇଁ ପ୍ରଶ୍ଚାପଦ ହେଉନାହାନ୍ତି । ନିକଟରେ ଖୋର୍ଦ୍ଧାର ବଡପୋଖରିଆ ଠାରେ ଘଟିଯାଇଥିବା ଜଘନ୍ୟ ହତ୍ୟାକାଣ୍ଡ ଏହାର ଜ୍ୱଳନ୍ତ ଉଦାହରଣ ।

ଆମ ଦେଶ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ । ସ୍ୱାଧୀନତା ପରଠାରୁ ଏପର୍ଯ୍ୟନ୍ତ ଦେଶରେ ସତର ଗୋଟି ସାଧାରଣ ନିର୍ବାଚନ ହୋଇଯାଇଛି । ପୂର୍ବରୁ ନିର୍ବାଚନଗୁଡିକ ଅବାଧ ଓ ଶାନ୍ତିପୂର୍ଣ୍ଣ ହେଉଥିବା ସ୍ଥଳେ କ୍ରମେ କେତେକ ରାଜ୍ୟରେ ଅର୍ଥବଳ ଓ ବାହୁବଳରେ କ୍ଷମତା ଦଖଲ ପାଇଁ ରାଜନୈତିକ ନେତାମାନେ ଉଦ୍ୟମ କରୁଥିବାରୁ ହିଂସାକାଣ୍ଡମାନ ବଢିବାରେ ଲାଗିଛି । ଆମ ଦେଶର ମୁଖ୍ୟ ନିର୍ବାଚନ କମିଶନର ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିଲେ ମଧ୍ୟ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ଦିଗରେ ତାଙ୍କର କୌଣସି କ୍ଷମତା ନଥିବାରୁ ସେ କେବଳ ଅସହାୟ ନୀରବଦ୍ରଷ୍ଟା ହୋଇ ରହିଯାଉଛନ୍ତି । ନିର୍ବାଚନକୁ ଅବାଧ ଓ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ଆମ ଦେଶର ଲୋକ ପ୍ରତିନିଧି ଆଇନର ସଂଶୋଧନ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଅଧିକ କ୍ଷମତା ସଂପୂର୍ଣ୍ଣ କରାଯିବା ଏକାନ୍ତ ଆବଶ୍ୟକ ।

By amfnews

Related Post