Mon. Nov 25th, 2024

ପ୍ରଥମ ଅତିରିକ୍ତ ବଜେଟ୍ ଚିଠା ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ବୈଠକର ଅନୁମୋଦନ

By amfnews Aug 23, 2018 #Featured
175 Views

ଭୁବନେଶ୍ୱର, ଅଗଷ୍ଟ :

କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା, ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା, ଘୋଷିତ ନୂତନ ଯୋଜନା ଏବଂ ଆଗାମୀ ଦିନରେ ଘୋଷଣା ହେବାକୁ ଥିବା ପ୍ରସ୍ତାବିତ ଯୋଜନାର କାର୍ଯ୍ୟକାରୀତା ପାଇଁ ଆବଶ୍ୟକୀୟ ଅର୍ଥ ପ୍ରଥମ ଅତିରିକ୍ତ ବଜେଟ୍ ରେ ବ୍ୟବସ୍ଥା କରାଯାଇଛି । ଏହାର ପରିମାଣ ଗତ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଠାରୁ ପାଖାପାଖି ୩୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହି ବଜେଟ୍ ପାଖାପାଖି ୧୨,୭୬୮ କୋଟି ଟଙ୍କାର ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଗୁରୁବାର ପୂର୍ବାହ୍ନରେ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଥମ ଅତିରିକ୍ତ ବଜେଟ୍‌ର ଚିଠା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ବୈଠକ ପରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା କହିଛନ୍ତି ଯେ ଗତ ଅତିରିକ୍ତ ବଜେଟ୍‌ର ପରିମାଣ ୧୦ ହଜାର କୋଟି ଟଙ୍କା ରହିଥିଲା । ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ର ପ୍ରଥମ ଅତିରିକ୍ତ ବଜେଟ୍ ର ପରିମାଣ ସମ୍ପର୍କରେ କୌଣସି ସୂଚନା ଦେଇ ନଥିଲେ । ମୌସୁମୀ ଅଧିବେଶନର ବୈଠକ ପାଇଁ ସମନ ଜାରୀ କରାଯାଇଥିବାରୁ ସେ ସମ୍ପର୍କରେ ସୂଚନା ଦିଆଯାଇପାରିନାହିଁ ବୋଲି ବିଧି ରହିଛି ବୋଲି ସେ କହିଥିଲେ । ତେବେ ଭିତିଭୂମିର ବିକାଶ, ଜଳସେଚନ, ରାସ୍ତା, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଉକ୍ତ ଅତିରିକ୍ତ ବଜେଟ୍‌ରେ ପ୍ରାଥମିକତା ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଥିଲେ । ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଇ ଅର୍ଥ ବ୍ୟବସ୍ଥା କରାଯାଇଛି । ମନ୍ତ୍ରୀ ଶ୍ରୀ ବେହେରା ଆହୁରି କହିଥିଲେ ଯେ ବିଭାଗ ଗୁଡିକ ବଜେଟ୍ ବ୍ୟୟ ସମ୍ପର୍କିତ ବିନିଯୋଗ ପ୍ରମାଣ ପତ୍ର ଦେବା ପାଇଁ ବିଭାଗୀୟ ମନ୍ତ୍ରୀ ମାନଙ୍କ କୁହାଯାଇଛି ।

ଆସନ୍ତା ୪ ତାରିଖରେ ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ପ୍ରଥମ ଅତିରିକ୍ତ ଗୃହର ପ୍ରଥମ ଦିବସରେ ଆଗତ କରିବା ପାଇଁ ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ କାର୍ଯ୍ୟସୂଚୀରେ ସ୍ଥାନିତ ହୋଇଛି । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ , ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ . କରୁଣାନିଧି ଏବଂ ପୂର୍ବତନ ମନ୍ତ୍ରୀ ଯଦୁନାଥ ଦାସମହାପାତ୍ରଙ୍କ ନିକଟରେ ପରଲୋକ ଘଟିଥିବାରୁ ସେମାନଙ୍କ ସମ୍ମାନାର୍ଥେ ଗୃହକୁ ଦିନକ ପାଇଁ ବନ୍ଦ ହେବାର ସମ୍ଭାବନା ରହିଥିବାରୁ ୪ ତାରିଖ ପରିବର୍ତେ ୫ ତାରିଖରେ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇପାରେ ।

By amfnews

Related Post