Fri. Jan 24th, 2025

ପ୍ରତ୍ୟେକ ଗରିବ ଓ ପ୍ରବାସୀ ଶ୍ରମିକଙ୍କ ରେଳ ଯାତ୍ରା ଖର୍ଚ୍ଚ କଂଗ୍ରେସ ବହନ କରିବ: ସୋନିଆ ଗାନ୍ଧୀ

By amfnews May 4, 2020 #Featured
136 Views

ନୂଆଦିଲ୍ଲୀ: ପ୍ରତ୍ୟେକ ଗରିବ ପ୍ରବାସୀ ଶ୍ରମିକଙ୍କ ରେଳ ଯାତ୍ରା ବାବଦ ଖର୍ଚ୍ଚ କଂଗ୍ରେସ ବହନ କରିବ କରିବ ବୋଲି ସୋମବାର ସକାଳେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଲିଖିତ ବିବୃତିରେ କହିଛନ୍ତି।

ସେଥିରେ ଉଲ୍ଲେଖ କରାଯାଇଛି ଯେ ପ୍ରତ୍ୟେକ ଗରିବ ଓ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ରେଳ ଯାତ୍ରା ବାବଦ ଖର୍ଚ୍ଚ ପ୍ରତି ପ୍ରଦେଶ କଂଗ୍ରେସ କମିଟି ବହନ କରିବା ସହ ଏ ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କଂଗ୍ରେସ ନି‌ଷ୍ପତ୍ତି ଗ୍ରହଣ କରିଛି। ଏହା ହେଉଛି ଶ୍ରମଜୀବୀଙ୍କୁ ସହାୟତା ଓ ମାନବ ସେବା ସଙ୍କଳ୍ପରେ କଂଗ୍ରେସ ସାମାନ୍ୟ ଅବଦାନ।

କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସୋନିଆ କହିଛନ୍ତି ଯେ କଂଗ୍ରେସର ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ସରକାର ଓ ରେଳ ମନ୍ତ୍ରାଳୟ ପ୍ରବାସୀ ଶ୍ରମିକଙ୍କ ମାଗଣା ଘରବାହୁଡ଼ା କଥାକୁ ‌ଉପେକ୍ଷା କରି ଦେଇଛନ୍ତି। ଏଇ ସଂକଟଜନକ ପରିସ୍ଥିତିରେ କେନ୍ଦ୍ର ସରକାର ଓ ରେଳବାଇ ପ୍ରବାସୀ ଶ୍ରମିକଙ୍କ ଠାରୁ ଟିକେଟ ବାବଦରେ ଅର୍ଥ ନେବା ଚିନ୍ତାର କାରଣ।

ସେ ଆହୁରି କହିଛନ୍ତି ଯେ ଆମ ସରକାରଙ୍କର ଦାୟିତ୍ବ କ’ଣ? ଆଜି ମଧ୍ୟ ଲକ୍ଷ ଲକ୍ଷ ଶ୍ରମଜୀବୀ ଓ ପ୍ରବାସୀ ଶ୍ରମଜୀବୀ ଦେଶର ବିଭିନ୍ନ ଅଞ୍ଚଳରେ ଦୁର୍ଦ୍ଦଶା ଭୋଗୁଛନ୍ତି। ସେମାନେ ତାଙ୍କ ଘର ଓ ପରିବାର ପାଖକୁ ଫେରି ଆସିବାକୁ ଇଚ୍ଛା କରୁଛନ୍ତି। କିନ୍ତୁ, ସେମାନଙ୍କ ପାଖରେ ଯଥେଷ୍ଟ ଅର୍ଥ ନାହିଁ କି, ମାଗଣ ଯାତ୍ରା ପାଇଁ ସୁବିଧା ମଧ୍ୟ ନାହିଁ।

ଆମ କର୍ମଜୀବୀ ଓ ଶ୍ରମଜୀବୀ ମାନେ ଆମ ଦେଶର ଅର୍ଥନୀତିର ମେରୁଦଣ୍ଡ ଗଠନ କରନ୍ତି। ସେମାନେ ହେଉଛନ୍ତି ଆମ ଦେଶ ଅଭିବୃଦ୍ଧିର ଦୂତ। ସେମାନଙ୍କର କଠିନ ଶ୍ରମ ଓ ଆତ୍ମବଳି ଆମ ଦେଶର ମୂଳଦୁଆ।

ସେ ଆହୁରି କହିଲେ ଯେ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା ପୂର୍ବରୁ ମାତ୍ର ଚାରି ଘଣ୍ଟା ସମୟ ଦେଇଥିବା କାରଣରୁ ଶ୍ରମିକ ଓ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ଘରକୁ ଯିବାକୁ ସୁଯୋଗ ପାଇପାରିଲେ ନାହିଁ।

By amfnews

Related Post