ଭାରତ ସରକାର ପୋର୍ଟେବଲ୍ ପେଟ୍ରୋଲ ପମ୍ପ୍ କନସେପ୍ଟକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ବହୁତ ଶୀଘ୍ର ଆପଣଙ୍କୁ ରାସ୍ତା କଡରେ ମିଲ୍କ ବୁଥ ଭଳି ଭ୍ରାମ୍ୟମାଣ ପେଟ୍ରୋଲ୍ ପମ୍ପ ମିଳିବ । ଯେଉଁଥିରୁ ଆପଣ ନିଜେ ଆପଣଙ୍କ ଗାଡିରେ ପେଟ୍ରୋଲ, ଡିଜେଲ କିମ୍ବା ସିଏନଜି ଭର୍ତି କରିପାରିବେ । ଏହା ଦୁନିଆର ୩୫ଟି ଦେଶରେ ପୂର୍ବରୁ ଉପଲବ୍ଧ ଥିବା ବେଳେ ଭାରତରେ ଏହାର ପ୍ରୟୋଗ ହେବାକୁ ଯାଉଛି ।
ପୋର୍ଟେବଲ୍ ପେଟ୍ରୋଲ ପମ୍ପକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ନିଆ ଯାଇପାରିବ । ଏଥିରେ କଂଟେନର ସହ ଫୁଏଲ୍ ଡିସ୍ପୋସିଙ୍ଗ ମେସିନ ରହିବ । ସମସ୍ତ ୟୁନିଟକୁ ଟ୍ରକରେ ରଖାଯିବ । ଏହାକୁ କୌଣସି ସ୍ଥାନରେ ଲଗାଇବା ଏବଂ ହଟାଇବା ପାଇଁ ପ୍ରାୟ ୨ଘଂଟାର ସମୟ ଲାଗିବ । ଏଥିପାଇଁ ବହୁତ କମ୍ ସ୍ଥାନ ଆବଶ୍ୟକ ରହିବ । ଏହାକୁ ମିଲ୍କ ବୁଥ ବା ଏଟିଏମ ଭଳି ବ୍ୟବହାର କରାଯିବ । ଆପଣ କିଛି ସ୍ୱିଚ୍ ଦବାଇ ପେଟ୍ରୋଲ, ଡିଜେଲ ବା ସିଏନଜିର ବିକଳ୍ପ ବାଛିବେ । ଏବଂ ପରିମାଣ ଅନୁସାରେ ଟଙ୍କା ପଇଠ କରି ଏହାର ଲାଭ ଉଠାଇପାରିବେ । ଏହି ପମ୍ପରେ କ୍ୟାସଲେସ୍ ପେମେଂଟ୍ ବ୍ୟବସ୍ଥା ରହିବ । ଆପଣ ଡେବିଟ, କ୍ରେଡିଟ କିମ୍ବା ଇ-ୱାଲେଟରେ ଟଙ୍କା ପଇଠ କରିପାରିବେ ।
ଏହି ମୋବାଇଲ ପେଟ୍ରୋଲ ପମ୍ପ ସେଲ୍ଫ ସର୍ଭିସ୍ ମୋଡ ଉପରେ କାର୍ଯ୍ୟ କରିଥାଏ । ଏଠାରେ ଆପଣଙ୍କୁ ପେଟ୍ରୋଲ ଦେବା ପାଇଁ କୌଣସି କର୍ମଚାରୀ ରହିବେ ନାହିଁ । ଆପଣ ନିଜେ ଗାଡିରେ ପେଟ୍ରୋଲ ଭର୍ତି କରିବେ ।
ସହରରେ ସହଜରେ ଚାରିଆଡେ ପେଟ୍ରୋଲ ପମ୍ପର ସୁବିଧା ଉପଲବ୍ଧ ଅଛି । କିନ୍ତୁ ଗ୍ରାମାଂଚଳରେ ପେଟ୍ରୋଲ ପାଇଁ ବହୁତ ଦୂର ଯିବାକୁ ପଡିଥାଏ । ଏହି ପୋର୍ଟବଲ ପେଟ୍ରୋଲ ପମ୍ପ ଅପହଁଚ ଅଂଚଳରେ ଇନ୍ଧନ ସମସ୍ୟାକୁ ଦୂର କରିପାରିବ ବୋଲି ଆଶା କରାଯାଉଛି ।