Sat. Nov 23rd, 2024

ପେସା ଆଇନକୁ ନେଇ ଶିଳ୍ପପତି ଓ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଚକ୍ରାନ୍ତକୁ ବରଦାସ୍ତ କରାଯିବ ନାହିଁ – ଜର୍ଜ

rklsanchar@gmail.com' By J.N. Pradhan Jun 27, 2018 #Featured
268 Views

ରାଉରକେଲା, ୨୭/୬: ସାମ୍ପ୍ରତିକ ପରିସ୍ଥିତିରେ ପେସା ଆଇନ୍ ୧୯୯୬ ଏବଂ ସୁନ୍ଦରଗଡ ଜିଲାରେ ପଥରଗଡାକୁ ନେଇ ଅନେକ ବିଭ୍ରାନ୍ତମୂଳକ ବାତାବରଣ ସୃଷ୍ଟି କରିବା ପାଇଁ ସୁଚିନ୍ତିତ ଷଡଯନ୍ତ୍ର କରାଯାଉଛି ଯାହାକି ଜିଲା ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ବୀରମିତ୍ରପୁର ବିଧାୟକ ତଥା ଆଦିବାସୀ ମୂଳବାସୀ ବଞ୍ଚାଅ ମଞ୍ଚ ଏବଂ ଆଦିବାସୀ ଏବଂ ମୂଳନିବାସୀ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଜର୍ଜ ତିର୍କୀ ଆଜି ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଶ୍ରୀ ତିର୍କୀ କହିଛନ୍ତି ଯେ, ପେସା ଆଇନ୍ ୧୯୯୬ରେ ହେବାର ଏକବର୍ଷ ମଧ୍ୟରେ ପଞ୍ଚମ ଅନୁସୂଚୀର ୧୦ଟା ରାଜ୍ୟରେ ଲାଗୁ ହେବା କଥା । ଏହା ଏକ କେନ୍ଦ୍ରୀୟ ଆଇନ । କିନ୍ତୁ ଏଯାବତ ମାତ୍ର ୪ଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ହିମାଞ୍ଚଳ ପ୍ରଦେଶରେ ଲାଗୁ କରାଯାଇଛି ଏବଂ ଓଡିଶା ସମେତ ୬ଟି ରାଜ୍ୟରେ ଏଥିପାଇଁ ବର୍ତ୍ତମାନ ସୁଦ୍ଧା ରୁଲ ଫରମେସନ ହୋଇପାରି ନାହିଁ । ଓଡିଶା ସରକାର ଓଡିଶା ଗ୍ରାମ ପଞ୍ଚାୟତ ଆିନକୁ ୧୯୯୭ରେ ସଂଶୋଧନ କରି ନାହିରେ ତେଲ ଦେଇ ଚୁପ ରହିଗଲେ ଏବଂ ଏହାର ଗୁରୁତ୍ୱପୂର୍ଣ୍ଣ ଦିଗକୁ ସମ୍ପୂର୍ଣ୍ଣ ଭୁଲିଗଲେ ।

ସବୁଠାରୁ ଦୁର୍ଭାଗ୍ୟଜନକ ବିଷୟ ଯେ, ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଦୀର୍ଘ ୨୧ ବର୍ଷ ହେଲା ନୀରବଦ୍ରଷ୍ଟା ହେବା ଦ୍ୱାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ୧୩ଟି ଜିଲା ସେମାନଙ୍କ ନ୍ୟାୟୋଚିତ ଅଧିକାରରୁ ବଞ୍ôଚତ ହେବା କେତେଦୂର ସମୀଚିନ ତାହା ବିଚାରଯୋଗ୍ୟ । ଗ୍ରାମସଭା ଗଠନ କରାଯାଇ ଏକ ବର୍ଷ ମଧ୍ୟରେ ଓଡିଶା ସରକାରଙ୍କୁ ଦାବି ଜଣାଇବା ହିଁ ଏହି ଗ୍ରାମସଭା ଏବଂ ପଥରଗଡାର ଏକମାତ୍ର ଉଦ୍ଦେଶ୍ୟ ଏବଂ ଏଠାରେ ସମାନ୍ତରାଳ ଶାସନର ପ୍ରଶ୍ନ ଉଠୁନାହିଁ । ଏହା ସମ୍ପୂର୍ଣ୍ଣ ଆଇନ୍ ଏବଂ ସମ୍ବିଧାନ ସମ୍ମତ । କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଅନେକ ସୁବିଧାବାଦୀ ଗୋଷ୍ଠୀ, ଶିଳ୍ପପତି ଏବଂ ସରକାର ଏକ ପ୍ରକାର ଭୟଭୀତ ହୋଇ ଏହାକୁ ଭିନ୍ନ ମୋଡ ଦେବାକୁ ଅପଚେଷ୍ଟା କରୁଛନ୍ତି, ଯାହାକୁ ଆମେ ନିନ୍ଦା କରୁଛୁ ।

ଖୁଟକାଟୀ ବିକାଶ ମଞ୍ଚ ନାମରେ ଜନୈକ ସଙ୍ଗଠକ ଶିଳ୍ପପତିଙ୍କ ଇଙ୍ଗିତରେ ଗଠନ କରାଯାଇ ଆଦିବାସୀମାନଙ୍କୁ ପ୍ରତାଡିତ କରିବା ଷଡଯନ୍ତ୍ରକୁ କଦାପି ବରଦାସ୍ତ କରାଯିବ ନାହିଁ ଏବଂ ଏହା ସୁନ୍ଦରଗଡ ଜିଲା ଆଦିବାସୀ ମୂଳବାସୀ ବୁଝି ସାରିଲେଣି । ତେଲିଘଣା ସ୍ଥିତ ଶିବା ସିମେଣ୍ଟ ହେଉ ବା ବୁଡାକଟାରେ ହୋଇଥିବା ଜମି ବିବାଦ ଏବଂ ଜଣଙ୍କର ମୃତ୍ୟୁ ଏହାର ଜ୍ୱଳନ୍ତ ଉଦାହରଣ । ସବୁଠାରୁ ଦୁର୍ଭାଗ୍ୟଜନକ ହେଲା, ସଙ୍ଗଠନକୁ ସରକାରୀ ବଳର ପ୍ରଚ୍ଛନ୍ନ ସହାୟତା ରହିଛି । ଡିଭାଇଡ୍ ଆଣ୍ଡ ରୁଲ ପୁଲିସ୍ ଜରିଆରେ ଏମାନେ ଆଦିବାସୀଙ୍କୁ ଭାଗ ଭାଗ କରି ଶିଳ୍ପ ସଂସ୍ଥାଙ୍କ ରକ୍ଷା କବଚ ସାଜିବା ଅପଚେଷ୍ଟାକୁ ଆଦିବାସୀ ସମାଜ କଦାପି ବରଦାସ୍ତ କରିବେ ନାହିଁ ।

ସୁନ୍ଦରଗଡ ଏକ ଆଦିବାସୀ ଅଧ୍ୟୁଷିତ ଜିଲା ଯାହା ସମ୍ବିଧାନ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ଅବସ୍ଥିତ । ସାଧାରଣ ଅଞ୍ଚଳ ଠାରୁ ଏହାର ଶାସନ ପଦ୍ଧତି ସମ୍ପୂର୍ଣ୍ଣ ଭିନ୍ନ । ଏହି ଅଞ୍ଚଳର ମାଲିକ ରାଜ୍ୟ ସରକାର ବା କେନ୍ଦ୍ର ସରକାର ନୁହେଁ । ସମ୍ବିଧାନ ମୁତାବକ ଏ ଅଞ୍ଚଳର ମାଲିକ ରାଜ୍ୟପାଳ ଏବଂ ସେ ମହାମହିମ ରାଷ୍ଟ୍ରପତିଙ୍କ ଠାରେ ଉତ୍ତରଦାୟୀ । ଦ୍ୱିତୀୟରେ ସମ୍ବିଧାନ ଧାରା ୨୪୪ (୧) ଏବଂ ଋଢିବାଦୀ ପରମ୍ପରା ହିସାବରେ ୨ଟି ଗୋଷ୍ଠୀ ଜିଲାରେ ସମାନ୍ତରାଳ ଶାସନର ଦ୍ୱାହି ଦେଇ ଲୋକ ଲୋଚନକୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା କରୁଥିବାରୁ ଆମେ ଆଦୌ ସମର୍ଥନ କରୁନାହୁଁ ।

ବର୍ତ୍ତମାନ ହେଉଥିବା ଯାବତୀୟ ଗଣ୍ଡଗୋଳ ପଛରେ କିଏ ଅଛି ଏହା ତଦନ୍ତ ଅନିବାର୍ଯ୍ୟ । ତୃତୀୟରେ ହାତୀବାରି ଧାନା ଅନ୍ତର୍ଗତ ବନେଇଲତା ଗ୍ରାମରେ ପୁଲିସ୍ କର୍ମୀଙ୍କୁ ଦୀର୍ଘ ସମୟ ଅଟକ ରଖିବା ଘଟଣା ହେଉ, ଜଡାକୁଦର ପଞ୍ଚାୟତରେ ଗଣ୍ଡଗୋଳ ହେଉ ବା ବାଲିଘାଟରୁ ଟିକସ ଆଦାୟ କରିବା ଘଟଣାରେ କାହାର ସମ୍ପୃକ୍ତି ଅଛି ତାହା ତଦନ୍ତ ହେବା ଦରକାର । ଏହି ଗୋଷ୍ଠୀ ଆଦିବାସୀଙ୍କୁ ବିଭ୍ରାନ୍ତ କରି ନିଜସ୍ୱାର୍ଥ ସାଧନ ପାଇଁ ଚଳେଇଥିବା ଚକ୍ରାନ୍ତ ମଧ୍ୟ ଆଉ କାହାକୁ ଅଛପା ନାହିଁ ।

ମୋଟାମୋଟି ଭାବେ ବିହାବନ୍ଧ ରାସ୍ତାର ଉନ୍ନତିକରଣ ହେଉ, ଷ୍ଟାଡିୟମ ନିର୍ମାକୁ ବିରୋଧ କରିବା ହେଉ, ବୁଡାକଟାର ଗଣ୍ଡଗୋଳ ହେଉ, ଆମ୍ବଘାଟର ପାଣି ପମ୍ପକୁ ବିରୋଧ କରିବା ହେଉ ବା ବରପାଲିରେ ସଙ୍ଗଠିତ ହୋଇଥିବା ଗଣ୍ଡଗୋଳ ହେଉ ସେଥିରେ ପେସାର କୌଣସି ସମ୍ପୃକ୍ତି ନାହିଁ । କିନ୍ତୁ ପେସା-ପେସା କହି ବାରମ୍ବାର ଗଣମାଧ୍ୟମରେ ଭୁଲ୍ ତଥ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ସତ୍ୟ ଯେ, ସମ୍ବିଧାନ ଏବଂ ଆଇନର ଖିଲାପ କଲେ ତାହା ନିଶ୍ଚିତ ଭାବେ ବିରୋଧ କରାଯିବ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିପ୍ରିୟାନ କିରୋ, ହାଲୁ ମୁଣ୍ଡାରୀ, ଲେଥା ତିର୍କୀ, ଅନୀଲ ଏକ୍କା, ଆଲବର୍ଟ କିଣ୍ଡୋ, ହାରାନ ବାଗେ, ଦିଲିପ ଲେହରୀ, ବାନ୍ଦେ ଏକ୍କା ଓ ଚକ୍ରଧର ମାହାତୋ ପ୍ରମୁଖ ଉପସ୍ଥିତ ଥିଲେ ।

Related Post