Tue. Mar 10th, 2026

ପୂର୍ବତନ ବାୟୁସେନା କର୍ମଚାରୀଙ୍କ ଆତ୍ମହତ୍ୟା: ଚିଦାମ୍ବରମ ଓ ମାନ୍ଦାବସ୍ଥାକୁ ଦାୟୀ କଲେ

276 Views

ନୂଆଦିଲ୍ଲୀ  :  ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଥିଯୋଗୁ ବହୁ ଲୋକ ଚାକିରି ହରାଉଥିବା ବେଳେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଓ  ଆଇଏନଏକ୍ସ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ତିହାର ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରକଙ୍କୁ ସେ ନିଜ ଆତ୍ମହତ୍ୟା ଲାଗି ଦାୟୀ କରିଛନ୍ତି।

ଏ ସମ୍ପର୍କରେ ସେ ନିଜ ୪ ପୃଷ୍ଠା ସମ୍ବଳିତ ସୁଇସାଇଡାଲ ନୋଟରେ ଉଲ୍ଲେଖ କରିଛନ୍ତି। ପୁଲିସ୍‌ ପହଞ୍ଚି ଉକ୍ତ ସୁଇସାଇଡାଲ ନୋଟକୁ ଜବତ କରି ଘଟଣାର ଛାନଭିନ ଆରମ୍ଭ କରିଛି। ମୃତକ ଜଣେ ପୂର୍ବତନ ବାୟୁସେନା କର୍ମଚାରୀ ଓ ତାଙ୍କ ନାମ ବିଜନ ଦାସ(୫୫) ।  ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ଲାଗି ବିଜନ ବରିଷ୍ଠ କଂଗ୍ରେସ ନେତା ଚିଦାମ୍ବରମଙ୍କ ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ଦାୟୀ କରିଛନ୍ତି।

ତାଙ୍କ ମୃତ୍ୟୁ ପରେ ସଙ୍ଗୀତ ପ୍ରତି ରୁଚି ରଖିଥିବା ତାଙ୍କ ପୁଅକୁ ସାହାଯ୍ୟ କରିବାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି। ଏଥିସହ ପ୍ରୟାଗରାଜରେ ହିଁ ତାଙ୍କ ଅନ୍ତିମ ସଂସ୍କାର କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି।

ବିଜନ ସେପ୍ଟେମ୍ବର ୬ ତାରିଖରେ କୌଣସି କାମରେ ଆସାମରୁ ପ୍ରୟାଗରାଜରେ ପହଞ୍ଚିଥିଲେ। ସେଠାରେ ସେ ଏକ ହୋଟେଲରେ ରହିଥିଲେ। ଗତକାଲି ସେ କବାଟ ନ  ହୋଟେଲ କର୍ମଚାରୀ ଝରକା ବାଟେ ସେ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦହ ଓ ସୁଇସାଇଡାଲ ନୋଟ ଜବତ କରିଛି।

ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା  ଦ୍ୱାରା ବିଜନ କିପରି ପ୍ରଭାବିତ ହେଲେ ଓ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ଉଠାଇଲେ  ସେ ସମ୍ପର୍କରେ ପୁଲିସ୍‌ ତଦନ୍ତ ଆରମ୍ଭ କରି ଦେଇଛି। ତାଙ୍କ ପରିବାର ଲୋକେ ପହଞ୍ଚିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି।

By amfnews

Related Post