Wed. Nov 27th, 2024

ପୁଲୱାମା ଆକ୍ରମଣ ପରେ ଆଉ ଏକ ଘଟଣା ପାଇଁ ଯୋଜନା କରୁଥିଲା ମସୁଦ ଆଝାର: ଏନଆଇଏ

By amfnews Aug 26, 2020 #Featured
87 Views

ଜମ୍ମୁ . ଅଗଷ୍ଟ ୨୬ : ଗତ ବର୍ଷ ଜମ୍ମୁ କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚାର୍ଜସିଟ ଦାଖଲ କରିଛି । ଏଥିରେ ଏନଆଇଏ କହିଛି, ଆତଙ୍କବାଦୀମାନେ ଏହି ଆକ୍ରମଣ ପରେ ଆଉ ଏକ ବଡ଼ ଧରଣର ଘଟଣା ଘଟାଇବାକୁ ଯୋଜନା କରିଥିଲେ । ଆକ୍ରମଣର ମାଷ୍ଟରମାଇଣ୍ଡ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାରଙ୍କ ସମେତ ସମସ୍ତ ଆତଙ୍କବାଦୀମାନେ ମଧ୍ୟ ପ୍ରସ୍ତୁତ ଥିଲେ । ଆକ୍ରମଣ ପାଇଁ ବ୍ୟାପକ ବ୍ୟବସ୍ଥା କରିସାରିଥିଲେ । କିନ୍ତୁ ଏହାରି ମଧ୍ୟରେ ଭାରତୀୟ ବାୟୁସେନାର ଯବାନମାନେ ଆକାଶ ମାର୍ଗରୁ ବାଲାକୋଟରେ ଆକ୍ରମଣ କରିଥିଲେ । ଫଳରେ ଆତଙ୍କାବଦୀଙ୍କ ଯୋଜନା ବିଫଳ ହୋଇଯାଇଥିଲା । ଜୈଶ-ଏ-ମହମ୍ମଦର ଏହି ଠିକଣା ଉପରେ ଆକ୍ରମଣ ପରେ ଭାରତ ଆକ୍ରାମକ ଦେଖାଯାଇଥିଲା ଏବଂ ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ସ୍ତରରେ ଚାପ ବଢ଼ିଯାଇଥିଲା । ଏହି କାରଣରୁ ଜୈଶ-ଏ-ମହମ୍ମଦ ଅନ୍ୟ ଆକ୍ରମଣକୁ ଅଟକାଇ ଦେଇଥିଲା ।

ସୂତ୍ର ଅନୁସାରେ ମସୁଦ ଆଝାର ଏୟାର ଷ୍ଟ୍ରାଇକ ତୁରନ୍ତ ପରେ ଦ୍ୱିତୀୟ ଆକ୍ରମଣକୁ ରୋକିବାକୁ ନିର୍ଦ୍ଦେଶ ଦେଇଥିଲା । ମସୁଦ ଆଝାର ଭଣଜା ଉମର ଫାରୁଖ ସେହି ସମୟରେ ଦ୍ୱିତୀୟ ଆକ୍ରମଣ ଲାଗି ପ୍ରସ୍ତୁତ ଥିଲା । ପୁଲୱାମା ଆକ୍ରମଣର ଦେଢ଼ ମାସ ପରେ ଏକ ଏନକାଉଣ୍ଟରରେ ଉମର ଫାରୁଖ ଏନକାଉଣ୍ଟରରେ ନିହତ ହୋଇଥିଲା ।

ଚାର୍ଜସିଟରେ ମସୁଦ ଆଝାରଙ୍କ ବ୍ୟତୀତ ତାର ଭାଇ ଅବଦୁଲ ରାଉଫ ଅସଗରଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଏହା ବ୍ୟତୀତ ଚାର୍ଜସିଟରେ ନିହତ ହୋଇଥିବା ଆତଙ୍କବାଦୀ ମହମ୍ମଦ ଉମର ଫାରୁଖ ଆତ୍ମଘାତୀ ଆକ୍ରମଣକାରୀ ଆଦିଲ ଅହମଦ ଡର ଏବଂ ପାକିସ୍ତାନରୁ ସକ୍ରିୟ ଅନ୍ୟ ଆତଙ୍କବାଦୀ କମାଣ୍ଡର ନାମ ସାମିଲ କରିଛି । ଏନଆଇଏ ଅଧିକାରୀ କହିଛନ୍ତି, ସଂସ୍ଥା ଚାର୍ଜସିଟରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ସହିତ ମଜବୁତ କେସ ପ୍ରସ୍ତୁତ କରିଛି ।

By amfnews

Related Post