Sun. Mar 8th, 2026

ପୁଲିସ ଭୟରେ ଚୋରି କରିଥିବା ଚେନ୍‌କୁ ଗିଳି ଦେଲା ଲୁଟେରା

172 Views

ବିକାନେର  :   ରାଜସ୍ଥାନର ବିକାନେର ଜିଲ୍ଲାରେ ଗଙ୍ଗାସହର ପୁଲିସ ଚେନ୍‌ ଲୁଟ ମାମଲାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଦୁଇ ଅଭିଯୁକ୍ତ ଗଙ୍ଗାସହରରେ ଜଣେ ମହିଳାଙ୍କ ଗଳାରୁ ଚେନ୍‌ ଛିଣ୍ଡାଇ ଫେରାର ହୋଇଯାଇଥିଲେ। ପୁଲିସ ତଦନ୍ତ କରି ଏହି ଦୁଇ ଚେନ୍‌ ଲୁଟେରାଙ୍କୁୁ ଧରିଥିଲା। ପୁଲିସ ଭୟରେ ଚେନ୍‌ ଲୁଟେରା ଚେନ୍‌କୁ ଗିଳି ପକାଇ ଥିଲା। ଏବେ ପୁଲିସ ଯୁବକ ପେଟରୁ ଚେନ୍‌ ବାହାର କରିବା ପାଇଁ ଚିକିତ୍ସ୍କଙ୍କ ସାହାଯ୍ୟ ନେଇଛି।

ସୂଚନାଯୋଗ୍ୟ, ଗଙ୍ଗାସହରରେ ନୂଆ ଲାଇନ୍‌ ନିବାସୀ ମହିଳା ଜୟଶ୍ରୀ ଡାଗା ମଙ୍ଗଳବାର ଦିପହରରେ ମୁଖ୍ୟ ବଜାରରୁ କିଛି କିଣାକିଣି କରି ଘରକୁ ଫେରୁଥିଲେ। ଏହି ସମୟରେ ବାଇକ୍‌ରେ ଆସି ଦୁଇଜଣ ଯୁବକ ମହିଳାଙ୍କ ବେକ୍‌ରୁ ଚେନ୍‌ ଛିଣ୍ଡାଇ ନେଇ ଯାଇଥିଲେ। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଗଙ୍ଗାସହର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା।

ସିସିଟିଭି ଫୁଟେଜରୁ ପୁଲିସ ଲୁଟେରାଙ୍କ ପରିଚୟ ପାଇଥିଲା। ଜଣଙ୍କ ନାମ ରାକେଶ ସୋନି ଓ ଅନ୍ୟ ଜଣକଙ୍କ ନାମ ମେହନଗର ନିବାସୀ ବିକ୍ରମ ଭାର୍ଗବ ବୋଲି ଜଣାପଡ଼ିଛି। ଏହାପରେ ପୁଲିସ ରାକେଶ ସୋନି ଘରେ ପହଞ୍ଚିଥିଲା। ପୁଲିସ ଭୟରେ ରାକେଶ ଚୋରି କରିଥିବା ଚେନ୍‌କୁ ଗିଳି ପକାଇଥିଲା। ଏହାପରେ ପୁଲିସ ଉକ୍ତ ଯୁବକକୁ ହସ୍‌ପିଟାଲ୍‌ ନେଇ ଏକ୍ସ-ରେ କରାଇଥିଲା। ଏକ୍ସ-ରେ ପରେ ଚୋର ପେଟରେ ଚେନ୍‌ ଥିବା ଜଣାପଡ଼ିଥିଲା।

By amfnews

Related Post