Tue. Dec 24th, 2024

ପୁଲିସ ପରିଚୟ ଦେଇ ମହିଳାଙ୍କୁ ଠକେଇ: ଥାନାରେ ମାମଲା

By amfnews Jan 6, 2019 #Featured
97 Views

ରାଉରକେଲା, ୬ା୧ : ରାଉରକେଲା ସହରରେ ଅଭିନବ ଉପାୟରେ ୨ ଜଣ ଠକ ଜଣେ ମହିଳାଙ୍କ ଠାରୁ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଠକି ନେଇଛନ୍ତିି । ଉଭୟ ଦୁର୍ବୁତ୍ତ ନିଜକୁ ପୁଲିସ ପରିଚୟ ଦେଇ ସମ୍ପୃକ୍ତ ମହିଳାଙ୍କ ଠାରୁ ଏଭଳି ଲୁଟ୍ କରିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଠକାମୀର ଶିକାର ହୋଇଥିବା ମହିଳା ଜଣକ ହେଲେ ରାଜକୁମାରୀ ମିତ୍ତଲ (୫୦) । ରାଜକୁମାରୀ ବିଶ୍ରା ଡାହାର ରୋଡ଼ରେ ରହନ୍ତି । ଶ୍ରୀମତୀ ମିତ୍ତଲ ପ୍ରାତଃଭ୍ରମଣ ସାରି ଗତକାଲି ଘରକୁ ଫେରୁଥିଲେ । ସେତେବେଳେ କଚେରୀ ରୋଡ଼ ନିକଟରେ ୨ ଯୁବକ ଏକ ବାଇକ୍ ଧରି ଛିଡା ହୋଇଥିଲେ ।

ସେମାନଙ୍କ ମଧ୍ୟରୁ ଜଣେ ଯୁବକ ରାଜକୁମାରୀଙ୍କ ପାଖକୁ ଯାଇ ‘ସାର ଡାକୁଛନ୍ତି ଚାଲ’ ବୋଲି କହିଥିଲା । ନିଜକୁ ପୁଲିସ ପରିଚୟ ଦେବାରୁ ରାଜକୁମାରୀ ଭୟଭୀତ ହୋଇ ଯିବାକୁ ବାଧ୍ୟ ହୋଇଥିଲେ । ଗତକାଲି ଡକାୟତମାନେ ରାତିରେ ଜଣେ ମହିଳାଙ୍କୁ ହତ୍ୟା କରି ସବୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ସୁନା ଅଳଙ୍କାର ପିନ୍ଧିବା ଉପରେ ପୁଲିସ କଟକଣା ଲଗାଇଛି । ଆଗରେ ପୁଲିସ ଚେକିଂ କରୁଛି । ଧରାପଡ଼ିଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ତେଣୁ ଯାହା ପିନ୍ଧିଛ ଆମକୁ ଦେଇଦିଅ । ଆମେ ଏଠାରେ ଡ୍ୟୁଟି କରୁଛି ବୋଲି ସେମାନେ କହିଥିଲେ । ରାଜକୁମାରୀ କୌଣସି ସନ୍ଦେହ ନ କରି ଦେହରେ ପିନ୍ଧିଥିବା ଅଲଙ୍କାର ଓହ୍ଲାଇ ନକଲି ପୁଲିସ ହାତକୁ ବଢ଼ାଇ ଦେଇଥିଲେ ।

କିଛି ସମୟ ଭିତରେ ଠକ ଦଳ କାଗଜରେ ଭର୍ତ୍ତି ହୋଇଥିବା ତମ୍ବା ତାର ଧରେଇ ଦେଇ ଏସବୁ ଭିତରେ ଲୁଚାଇ ରଖିଦିଅ ବୋଲି ମହିଳାଙ୍କୁ କହିଥିଲେ । ରାଜକୁମାରୀ ଏଥିରେ ସାମାନ୍ୟ ବିଚଳିତ ହୋଇ ପଡ଼ିଥିଲେ । ଏହାର ସୁଯୋଗ ନେଇ ୨ ଠକ ସେଠାରୁ ଚମ୍ପଟ୍ ମାରିଥିଲେ । ପରେ ରାଜକୁମାରୀ କାଗଜ ପୁଡ଼ିଆ ଖୋଲିଲା ପରେ ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ । ଏ ସମ୍ପର୍କରେ ସେ ଉଦିତନଗର ଥାନାରେ ଖବର ଦେଇଥିଲେ । ପୁଲିସ ତୁରନ୍ତ ବିଭିନ୍ନ ଜାଗାରେ ଠକ ଦ୍ୱୟଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲା ।

ମହିଳାଙ୍କ ଅଭିଯୋଗ ଅନୁସାରେ ପୁଲିସ ଏକ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ମାସରେ ଡେଲି ମାର୍କେଟ ଅଞ୍ଚଳର ହରିୟାଣା ଭବନ ନିକଟରୁ ମଧ୍ୟ ଅନୁରୂପ ଠକେଇ ହୋଇଥିଲା । ଗୋଟିଏ ର‌୍ୟାକେଟ୍ ନିରୀହ ମହିଳାଙ୍କୁ ଟାର୍ଗେଟ୍ କରି ପୁଲିସ ପରିଚୟ ଦେଇ ଏଭଳି ଲୁଟ୍ କରୁଥିବା ଅନୁମାନ କରାଯାଉଛି । ତେଣୁ ସହରରେ ବସବାସ କରୁଥିବା ମହିଳାମାନେ ଏଭଳି କଥାରେ ଭଳି ନଯାଇ ତୁରନ୍ତ ଘଟଣା ସମ୍ପର୍କରେ ଥାନା ସହ ଯୋଗାଯୋଗ କରିବାକୁ ପୁଲିସ୍ ପକ୍ଷରୁ କୁହାଯାଇଛି ।

By amfnews

Related Post