252 Views
ବାଲିପାଟଣା, ଫେବୃଆରୀ ୧୭ : ବେଆଇନ ଜମି ଦଖଲଠାରୁ ଆରମ୍ଭ କରି ବ୍ୟାଙ୍କ ବାଲାନ୍ସ ପର୍ଯ୍ୟନ୍ତ ବିଭିନ୍ନ ଅଭିଯୋଗରେ ଛନ୍ଦି ହୋଇଥିବା ସୁରବାବାଙ୍କ ପାଇଁ ପୁଣି ଅଡୁଆ ବଢିଛି । ଗତ ବର୍ଷ ଝାରପଡା ଜେଲରୁ ଝିଂଟିରେ ଥିବା ଆଶ୍ରମ ଫେରିଥିବା ସୁରବାବାଙ୍କ ପାଇଁ ନୂତନ ସମସ୍ୟା ସୃଷ୍ଟି ହୋଇଛି । ଜଣେ ଯୁବତୀ ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ବାବା ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ପୂର୍ବରୁ ସୁରଙ୍କ ବିରୋଧରେ ଯୌନ କେଳେଙ୍କାରୀ ନେଇ ଅଭିଯୋଗ ଆସିଛି । ଆଜି ପୁଣି ଗଂଜାମ ଜିଲ୍ଲା ବେଲଗୁଣ୍ଠାର ଜଣେ ଯୁବତୀ ସୁରଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି । ବାବା ତାଙ୍କୁ ଗତ ଜାନୁଆରୀ ୨୪ରେ ଆଶ୍ରମରେ ନିର୍ଯ୍ୟାତନା ଦେଇଥିବା ଯୁବତୀ କହିଛନ୍ତି । ଏହାସହ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁ ଏବଂ ବନ୍ଧୁଙ୍କ ମାଙ୍କ ବିରୋଧରେ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଆଇପିସି ଧାରା ୩୪୧, ୩୨୩, ୩୫୪, ୫୦୬, ୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ କି, ସୁରଙ୍କୁ ବିଭିନ୍ନ ଅଭିଯୋଗରେ ୨୦୧୫ ଅଗଷ୍ଟରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ତାଙ୍କ ବିରୋଧରେ ଯୌନ ନିର୍ଯ୍ୟାକନା, ସରକାରୀ ଜମି ଜବରଦଖଲ, ଆଶ୍ରମରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର କରିବା ଅଭିଯୋଗ ହୋଇଥିଲା । ହାଇକୋର୍ଟରେ ଜାମିନ ନ ମିଳିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ପରେ ତାଙ୍କୁ ଜାମିନ ମିଳିଥିଲା ।