ଭୁବନେଶ୍ବର : ଏୟାର ଓଡ଼ିଶାର ଅଂଶଧନ ପୁଣି ବିକ୍ରି ହୋଇଛି। କମ୍ପାନିର ୬୦% ଅଂଶଧନ ଥିବା ଅହମ୍ମଦାବାଦର ଜିଏସ୍ଇସି ଆଭିଏସନ୍ ଏବଂ ମୋନାର୍କ ନେଟୱର୍ଥ କ୍ୟାପିଟାଲ ତା’ର ପ୍ରାୟ ୩୦% ଅଂଶଧନ ସାରଜାହସ୍ଥିତ ଏକ ତୈଳ କମ୍ପାନିକୁ ବିକ୍ରି କରିଦେଇଛି। ଏନେଇ ଉଭୟ ପକ୍ଷ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଥିବାବେଳେ ଖୁବ୍ ଶୀଘ୍ର ଏନେଇ ଘୋଷଣା ହେବ ବୋଲି ଏୟାର ଓଡ଼ିଶାର ପରିଚାଳନା ନିର୍ଦ୍ଦେଶକ ଶୈଶବ ଶାହ କହିଛନ୍ତି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସାରଜାହସ୍ଥିତ କମ୍ପାନି ଏବଂ ଜିଏସ୍ଇସି ମଧ୍ୟରେ ବଡ ଧରଣର ଡିଲ୍ ହୋଇଛି। କିନ୍ତୁ କେତେ ଟଙ୍କାରେ ଡିଲ୍ ହୋଇଛି, କ’ଣ କ’ଣ ସର୍ତ୍ତ ରହିଛି ତାହାକୁ କମ୍ପାନି ପକ୍ଷରୁ ଗୋପନ ରଖାଯାଇଛି।ଏୟାର ଓଡ଼ିଶା ‘ଉଡାନ୍’ ଯୋଜନାରେ ଦେଶର ୫୦ଟି ରୁଟ୍ରେ ବିମାନ ସେବା ଆରମ୍ଭ କରିବା ପାଇଁ ଅନୁମତି ପାଇଥିବାବେଳେ ଏବେ ଗୁଜୁରାଟ, ଓଡ଼ିଶା ଓ ଛତିଶଗଡ଼ରେ ବିମାନ ସେବା ଆରମ୍ଭ କରିଛି। କିନ୍ତୁ ବିଭିନ୍ନ ପରିଚାଳନାଗତ ତ୍ରୁଟି ଏବଂ ଏୟାରକ୍ରାଫ୍ଟ ଅଭାବରୁ ଅଧିକାଂଶ ସମୟରେ ଏହି ରୁଟ୍ରେ ବିମାନ ଉଡ଼ାଣ କରୁନାହିଁ। ଏହାକୁ ନେଇ ଡିଜିସିଏ ତାଗିଦ୍ କରିଥିଲେ ହେଁ ଏୟାର ଓଡ଼ିଶା ଉଡ଼ାଣ ନେଇ ଭିତ୍ତିଭୂମି ସୁଦୃଢ କରିପାରିନାହିଁ। ଚୁକ୍ତି ବାତିଲ୍ କରିବା ନେଇ ଡିଜିସିଏ ତାଗିଦ୍ କରିବା ପରେ ଏୟାର ଓଡ଼ିଶା ପକ୍ଷରୁ ସାରଜାହସ୍ଥିତ କମ୍ପାନିକୁ ଅଂଶଧନ ବିକ୍ରି କରିଛି।