244 Views
ନୂଆଦିଲ୍ଲୀ, ନଭେମ୍ବର ୨୧: ଆମେରିକା ପାକିସ୍ତାନକୁ ଦେଉଥିବା ୧୬୬ କୋଟି ଡଲାରର ସେନା ସହାୟତା ରାଶି ଉପରେ ରୋକ ଲଗାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତି ନିଆଯାଇଛି । ପେଂଟାଗନ ତରଫରୁ ଏହି ସୂଚନା ଦିଆଯାଇଛି । ଏଠାରେ ଆମେରିକା ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ରହିଛି ।
ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରବକ୍ତା ରାବ ମନିଙ୍ଗ ଗତକାଲି ଇମେଲ ଜରିଆରେ ପଠାଯାଇଥିବା କିଛି ପ୍ରଶ୍ନର ଉତର ଦେଇଛନ୍ତି । ମେଲ ଯୋଗେ ଏହି ଅର୍ଥରାଶି ଉପରେ ରୋକ ଲଗାଯାଇଥିବା ନେଇ ସେ କହିଛନ୍ତି ।
ଓବାମା ସରକାର ଆଫଗାନିସ୍ତାନ, ପାକିସ୍ତାନ ଏବଂ ଅନ୍ୟ ମଧ୍ୟ ଏସିଆ ଦେଶରେ ଉପସହାୟକ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାମ କରି ସାରିଥିବା ଡେଭିଡ ସିଡନୀଙ୍କ କହିବାନୁଯାୟୀ, ପାକିସ୍ତାନ ଆମେରିକ ସହ ଛଳନା କରିଛି । ଆତଙ୍କବାଦୀଙ୍କ ବିରୋଧରେ ଏହି ଦେଶ କିଛି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଏପରି କି ନିଜ ପଡୋଶୀ ଦେଶରେ ହିଂସା ପ୍ରସାର କରୁଥିବା ସମୁଦାୟକୁ ପାକ ସମର୍ଥନ କରୁଛି । ଯାହା ଟ୍ରମ୍ପ ଏବଂ ଆମେରିକାବାସୀଙ୍କୁ ନିରାଶ କରିଛି ।
ପୂର୍ବରୁ ଟ୍ରମ୍ପ ଏନେଇ ଟ୍ୱିଟରରେ ସଙ୍କେତ ଦେଇଥିଲେ । ଯେଉଁଥିରେ ଓସମା ବିନ ଲାଦେନ ବିଷୟରେ ଉଲ୍ଲେଖ ରହିଥିଲା । ଏହା ସହ ପାକକୁ ଆଉ ଅଧିକ ଅର୍ଥ ଦେବାକୁ ଆମେରିକା ଚାହୁଁ ନଥିବା ଟ୍ରମ୍ପ ପ୍ରକାଶ କରିଥିଲେ ।