Thu. May 22nd, 2025

ପୁଣି ଥରେ ବୈଠକ ପାଇଁ ଟ୍ରମ୍ପଙ୍କୁ ଚିଠି ଲେଖିଲେ ଉତ୍ତରକୋରିଆର ଶାସକ କିମ୍‌ ଜୋଙ୍ଗ୍‌

By amfnews Sep 11, 2018
206 Views

ଓ୍ଵାସିଂଟନ ସେପ୍ଟେମ୍ବର ୧୧ :ବିଶ୍ୱରେ ପରମାଣୁ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏ ସମ୍ପର୍କିତ ଏକ ଚିଠି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପାଇଥିିବା ହ୍ଵାଇଟ୍‌ ହାଉସ ମୁଖପାତ୍ର ସରହ ସ୍ୟାଣ୍ଡର କହିଛନ୍ତି।
ସୂଚନାଯୋଗ୍ୟ ଯେ କିମ୍‌ ଜୋଙ୍ଗ ଉନ୍‌ ଓ ଡୋନାଲ୍ଡ ଟ୍ରମ୍ପ ୨୦୧୮ ମସିହା ଜୁନ୍‌ ୧୨ ତାରିଖରେ ସାଙ୍ଗାପୁର ଠାରେ ପରସ୍ପରକୁ ଭେଟିଥିଲେ।ତା ପରଠାରୁ ଉଭୟ ଦେଶର ନେତା ଉତ୍ତରକୋରିଆର ପରମାଣୁ କାର୍ଯ୍ୟକ୍ରମ ନେଇ ଆଲୋଚନା କରୁଛନ୍ତି।ବିଶ୍ୱ ଏକ ନିଶ୍ଚିତ ପରମାଣୁ ଯୁଦ୍ଧକୁ ଏଡାଇ ଯିବାରେ ସକ୍ଷମ ହୋଇଛି। ଏ ପରିପ୍ରେକ୍ଷୀରେ କିମ୍‌ଙ୍କ ଚିଠି ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ତେବେ ପୁଣି କେବେ ଏହି ଦୁଇନେତାଙ୍କ ମଧ୍ୟରେ ବୈଠକ ହେବ ସେ ନେଇ ତାରିଖ ସ୍ଥିର ହୋଇ ନାହିଁ। ଏହି ମାସରେ ନ୍ୟୁୟର୍କଠାରେ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକ ଏଥିପାଇଁ ସୁଯୋଗ ସୃଷ୍ଟି କରି ପାରେ। ମାତ୍ର କିମ୍‌ଙ୍କ ଏଥିରେ ଯୋଗଦନ ନେଇ ସନ୍ଦେହ ରହିଛି ବୋଲି ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍‌ ବୋଲ୍‌ଟନ କହିଛନ୍‌ି।
ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଦିନ ଟ୍ରମ୍ପ କହିଥିଲେ ଯେ କିମ୍‌ଙ୍କ ଏକ ବ୍ୟକ୍ତିଗତ ଚିଠି ସେ ପାଇବାକୁ ଯାଉଛନ୍ତି। କିମ୍‌ଙ୍କ ଠାରୁ ଆସିଥିବା ଏହି ଚିଠଟି ବେଶ୍‌ ପ୍ରଶଂସନୀୟ ଓ ସକରାତ୍ମକ ବୋଲି ସ୍ୟାଣ୍ଡର କହିଛନ୍ତି। ଚିଠିର ପ୍ରାଥମିକ ଉଦ୍ଦେଶ୍ୟ ସମଗ୍ର ଉତ୍ତରକୋରିଆ ଉପଦୀପକୁ ପରମାଣୁ ଅସ୍ତ୍ରମୁକ୍ତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲିି ସ୍ୟାଣ୍ଡର କହିଛନ୍ତି। ତେବେ ନିକଟରେ ଉତ୍ତରକୋରିଆର ୭୦ ତମ ବାର୍ଷିକ ଉତ୍ସବରେ କୌଣସି ଦୂରଗାମୀ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ରର ପ୍ରଦର୍ଶନ ନ ହେବା, କିମ୍‌- ଟମ୍ପଙ୍କ ପ୍ରଥମ ବୈଠକର ସକରାତ୍ମକ ଦିଗକୁ ସୂଚାଉଥିବାରୁ , ଆଗାମୀ ଦିନରେ ହ୍ଵାଇଟ୍‌ ହାଉସ ଉଭୟ ନେତାଙ୍କ ବୈଠକ ପାଇଁ ବ୍ୟବସ୍ଥା କରିବ ବୋଲି ଜଣାପଡ଼ିଛି।

By amfnews

Related Post