Sat. Dec 28th, 2024

ପୁଣି ଚର୍ଚ୍ଚାରେ ସୁରତର ହୀରା ବ୍ୟବସାୟୀ, ଦିପାବଳୀରେ ୬୦୦ କର୍ମଚାରୀଙ୍କୁ ଦେବେ କାର

By amfnews Oct 25, 2018 #Featured
323 Views

ସୁରତ, ଅକ୍ଟୋବର ୨୫: ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଦିପାବଳୀ ପୂର୍ବରୁ ସୁରତର ହୀରାର ରାଜା (ଡାଇମଣ୍ଡ କିଙ୍ଗ) ସାବଜୀ ଭାଇ ଢୋଲକିଆ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ହୀରା ବ୍ୟବସାୟୀ ସାବଜୀ ଭାଇ ଆଗାମୀ ଦିପାବଳୀରେ ନିଜର ୬୦୦ କର୍ମଚାରୀଙ୍କୁ ବୋନସ ହିସାବରେ କାର ଉପହାର ଦେବେ । ଏହି କମ୍ପାନୀର ଦିବ୍ୟାଙ୍ଗ ମହିଳା କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ କାରର ପ୍ରତିକାତ୍ମକ ଚାବି ହସ୍ତାନ୍ତର କରିବେ । ଏହି ସମୟରେ ମୋଦୀ ସୁରତ ହୀରା ବ୍ୟବସାୟୀ କର୍ମଚାରୀଙ୍କୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିବା କାର୍ଯ୍ୟସୂଚୀ ରହିଛି ।

ବିଗତ କିଛି ବର୍ଷ ହେବ ସାବଜୀ ଭାଇ ନିଜର କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ଉପହାର ଦେଇ ଆସୁଛନ୍ତି । ତାଙ୍କର ସ୍ୱତନ୍ତ୍ର ଉପହାରରେ କାର, ଘର ଓ ଗହଣା ଆଦି ସାମିଲ ରହିଥାଏ । ଏଥର ସାବଜୀ ଭାଇ କମ୍ପାନୀର ମୁଖ୍ୟ ପଦରେ କାର୍ଯ୍ୟରତ ୩ଜଣ କର୍ମଚାରୀଙ୍କୁ ମର୍ସିଡିଜ କାର ଉପହାର ଦେଇଥିଲେ । ହୀରା ବ୍ୟବସାୟୀ କର୍ମଚାରୀଙ୍କୁ ଜିଏସଏଲ ୩୫୦ଡି ମର୍ସିଡିଜ ଦେଇଥିଲେ, ଯାହାର ଅନରୋଡ ମୂଲ୍ୟ ଏକ କୋଟି ୩ ଲକ୍ଷ ଟଙ୍କା ।

ସାବଜୀଙ୍କ କହିବା ଅନୁସାରେ ତାଙ୍କ କର୍ମଚାରୀଙ୍କ ପରିଶ୍ରମ ଯୋଗୁଁ କମ୍ପାନୀ ଦେଶ ବିଦେଶରେ ଜଣାଶୁଣା ହୋଇପାରିଛି । ଅନ୍ୟପକ୍ଷରେ କର୍ମଚାରୀଙ୍କ ପାଇଁ କିଛି କଲେ ଖୁସି ଲାଗିଥାଏ ବୋଲି ସେ କହିଛନ୍ତି । ସାବଜୀ ଭାଇ ଢୋଲକିଆଙ୍କ ହରେକୃଷ୍ଣ ଡାଇମଣ୍ଡ ଏକ୍ସପୋର୍ଟ କମ୍ପାନୀରେ ପାଖାପାଖି ୮୦୦୦ କର୍ମଚାରୀ କାମ କରନ୍ତି । ତାଙ୍କ କମ୍ପାନୀ ବାର୍ଷିକ ୬ ହଜାର କୋଟି ଟଙ୍କା ବ୍ୟବସାୟ କରୁଛି । ଢୋଲକିଆ ପୂର୍ବରୁ ମଧ୍ୟ କମ୍ପାନୀର ୧୨,୦୦୦ କର୍ମଚାରୀଙ୍କୁ କାର, ଫ୍ଲାଟ ଏବଂ ଗହଣା ଉପହାର ଦେଇ ଚର୍ଚ୍ଚାକୁ ଆସଛନ୍ତି ।

By amfnews

Related Post