Sat. Mar 7th, 2026

ପୁଅକୁ ହାଣି ହତ୍ୟାକଲା ମା’

221 Views

ରାଉରକେଲା : ନିଜ ଜନ୍ମ କଲା ପୁଅକୁ ଫାଉଡ଼ା (କୋଦାଳ)ରେ ହାଣି ହତ୍ୟା କରିଛି ମା’। ଏହି ଲୋମହର୍ଷଣକାରୀ ଘଟଣା ଘଟିଛି ସୁନ୍ଦରଗଡ଼ର ହେମଗିର ଥାନା ଅନ୍ତର୍ଗତ ଟପରିଆ ଗାଁରେ। ମଦ୍ୟପ ପୁଅର ଗାଳିଗୁଲଜ ଏବଂ ଅଶ୍ଳୀଳ ଆଚରଣରେ ବ୍ୟଥିତ ହୋଇ ମା’ ଏଭଳି କଠୋର ପଦକ୍ଷେପ ନେଇଥିବା ପୁଲିସ ଆଗରେ କହିଛି। ପୁଲିସ ହତ୍ୟାକାରୀ ମା’କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଟପରିଆ ଗ୍ରାମର କୁଶମନ ବଢେକ୍‌ (୩୫) ମଦ ପିଇ ପ୍ରତିଦିନ ତା’ ମା’ ଗୁରୁବାରୀ ବଢେକ୍‌ (୫୫)ଙ୍କୁ ଗାଳିଗୁଲଜ ଓ ଅଶ୍ଳୀଳ ଆଚରଣ ଦେଖାଇବାରୁ ସେ ଘର ଛାଡ଼ି ନିଜ ଭଉଣୀ ଘରେ ରହି ଆସୁଥିଲେ। ତେବେ ନୂଆଁଖାଇ ପାଳନ କରିବାରୁ ଗୁରୁବାରୀ ନିଜ ଘରକୁ ଆସିଥିଲେ। ବିଭିନ୍ନ ବାହାନା ଦେଖାଇ କୁଶମନ ମା’ ସହିତ ବହୁତ ଝଗଡ଼ା କରିଥିଲା। ଗତକାଲି ରାତିରେ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା। କାର୍ଯ୍ୟକ୍ରମ ଦେଖିବାକୁ ବୋହୂ ଓ ନାତୁଣୀ ଯାଇଥିବା ବେଳେ ପୁଅ କୁଶମନ ଘରେ ଏକ ଖଟିଆରେ ଶୋଇଥିଲା। ପୁଅର ବ୍ୟବହାରରେ ଅତିଷ୍ଠ ହୋଇ ପଡ଼ିଥିବା ମା’ ସେହି ସୁଯୋଗରେ ତାକୁ ମାରି ପକାଇବାଲାଗି ଯୋଜନା କରିଥିଲା। ଘରେ ଥିବା ଏକ କୋଦାଳକୁ ଆଣି ଖଟିଆରେ ଶୋଇଥିବା ପୁଅର ବେକରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ କୁଶମନର ମୃତ୍ୟୁ ଘଟିଥିଲା। ପୁଅକୁ ମାରିବା ପରେ ଗୁରୁବାରୀ ବାହାରକୁ ଯାଇ ଗାଁ ଲୋକଙ୍କୁ ପୁଅକୁ ମାରି ଦେଇଥିବା କଥା କହିଥିଲା। ଖବର ପାଇ ହେମଗିର ପୁଲିସ ସାଇଣ୍ଟିଫିକ୍‌ ଦଳ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।।

By amfnews

Related Post