Tue. Mar 10th, 2026

ପୀରଜାହାନିଆ ବେଳାଭୂମିରେ ଅଘଟଣ : ସମୁଦ୍ରରେ ବୁଡ଼ି ୩ ଛାତ୍ର ମୃତ

254 Views

ଅସ୍ତରଙ୍ଗ , ଜାନୁଆରୀ ୨୧ : ପୁରୀ ଜିଲ୍ଲା ଅସ୍ତରଙ୍ଗର ପୀରଜାହାନିଆ ବେଳାଭୂମିରେ ଆଜି ଅଘଟଣ ଘଟିଛି। ବଣଭୋଜି କରିବାକୁ ଆସିଥିବ‌ା ଭୁବନେଶ୍ବରର ଏକ ଘରୋଇ ଇଂଜିନିୟରିଂ କ‌ଲେଜର କିଛି ଛାତ୍ର ସମୁଦ୍ରରେ ଗାଧୋଉଥିବା ବେଳେ ୫ ଜଣ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ୨ଜଣ ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକମାନେ ହେଲେ ଭୁବନେଶ୍ବରର ଅମୀତ ମହାନ୍ତି, ଅବିନାଶ ପ୍ରଧାନ ଓ ଶୁଭମ ସୌମ୍ୟା। ଅନ୍ୟ ଦୁଇ ଜଣ ଛାତ୍ର ଶୁଭମ କୁମାର ଓ ୟାସ୍ ଚକିୟାରଙ୍କ ଅବସ୍ଥା ସଂକଟାପନ୍ନ ରହିଛି। କ୍ୟାପିଟାଲ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି।

ଆଜି ଭୁବନେଶ୍ୱର ସିଲିକନ୍ ଇନ୍‌ଷ୍ଟୁିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜିର କମ୍ପ୍ୟୁଟର ବିଜ୍ଞାନର ପ୍ରାୟ ୩୦ଜଣ ଛାତ୍ରଛାତ୍ରୀ ଏକ ବସ‌୍‌ରେ ପୀରଜାହାନିଆ ବେଳାଭୂମିକୁ ବଣଭୋଜି କରିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୭ଜଣ ଛାତ୍ର ବେଳାଭୂମିକୁ ସ୍ନାନ କରିବାକୁ ଯାଇଥିଲେ। ପ୍ରାୟ ୩୦ ମିନିଟ୍ ସେମାନେ ସମୁଦ୍ରରେ ଗାଧୋଇଥିଲେ। ତେବେ ସମୁଦ୍ରର ଅନ୍ତଃସ୍ରୋତ ଯୋଗୁଁ ଗାଧୋଉଥିବା ଛାତ୍ରମାନେ ସମୁଦ୍ର ଭିତରକୁ ଟାଣି ହୋଇଯାଇଥିଲେ। ପ୍ରଥମେ ଦୁଇ ଜଣ ବୁଡ଼ିଯାଇଥିଲେ। ବୁଡି ଯାଉଥିବା ଛାତ୍ରଙ୍କୁ ଉଦ୍ଧାର କରିବାକୁ ଅନ୍ୟ ତିନି ଭିତରକୁ ଯାଉଥିଲେ। ଗଭୀର ସମୁଦ୍ର ଭିତରେ ସମସ୍ତ ୫ଜଣ ଛାତ୍ର ବୁଡିଯାଇଥିଲେ। ଦୀର୍ଘ ସମୟ ପରେ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ପରେ ଅନ୍ୟ ଦୁଇଜଣ ଛାତ୍ର ସମୁଦ୍ର କୂଳରେ ଲାଗିଥିଲେ। ସେମାନଙ୍କୁ ମଧ୍ୟ ମେଡିକାଲକୁ ଅଣାଯାଇଥିଲା। ସେଠାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କ୍ୟାପିଟାଲ୍‌ ହସ୍‌ପିଟାଲରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

By amfnews

Related Post