Mon. Dec 23rd, 2024

ପିପିଲିର ପିଡ଼ିତା ବେବିନାଙ୍କୁ ନ୍ୟାୟ ଦେବ କିଏ?

By amfnews Jan 9, 2019 #Featured
390 Views

ପ୍ରଶାନ୍ତ ପଟ୍ଟନାୟକ

୨୦୧୧ ମସିହା ନଭେମ୍ବର ୨୯ତାରିଖ ରାତି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଏକ ଧାନ ବିଲରୁ ଅର୍ଦ୍ଧନଗ୍ନ ଓ ସଙ୍ଗ୍ୟାହୀନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ୧୯ବର୍ଷିଆ ହରିଜନ ଯୁବତୀ ବେବିନା ବେହେରାଙ୍କୁ । ଅର୍ଜୁନଗୋଦା ଗ୍ରାମର ବାବୁଲି ବେହେରାଙ୍କ ଝିଅ ବେବିନାଙ୍କ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨୦୧୧ ମସିହା ନଭେମ୍ବର ୨୯ତାରିଖ ରାତିରେ ଏହି ଜଘନ୍ୟ ଧର୍ଷଣ ଓ ହତ୍ୟା ଉଦ୍ୟମ ହୋଇଥିଲେ ମଧ୍ୟ ଏସମ୍ପର୍କରେ ସ୍ଥାନୀୟ ପୋଲିସ ଏଫାୟାର ଗ୍ରହଣ କରି ତଦନ୍ତ କରିବାଲାଗି ପଦକ୍ଷେପ ନେଇନଥିଲେ । ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇବା ସଙ୍ଗେସଙ୍ଗେ ରାଜ୍ୟର ବହୁ ରାଜନୈତିକ ଦଳ, ମହିଳା ସଂଗଠନ, ଓ ସ୍ୱାଚ୍ଛାସେବୀ ଅନୁଷ୍ଠାନ ଧର୍ଷଣକାରି ମାନଙ୍କ ବିରୁଦ୍ଧରେ ସ୍ୱରଉତ୍ତଳନ କରି ରାଜରାସ୍ତାକୁ ଓହ୍ଲାଇଥିଲେ ।

ଏଭଳି ପରିସ୍ଥିତିରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ହସ୍ତକ୍ଷେପ କରିବାରୁ ୨୦୧୨ ମସିହା ଜାନୁୟାରୀ ୦୯ତାରିଖ ଦିନ ପୋଲିସ ଏଫାୟାର ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲେ । ଇତିମଧ୍ୟରେ ମୁମୁର୍ଷୁ ଅବସ୍ଥାରେ ଥିବା ବେବିନାଙ୍କୁ ଉପଯୁକ୍ତ ଚିକିତ୍ସା ଦେବା ପରିବର୍ତ୍ତେ ଡ଼ାକ୍ତର ତାଙ୍କୁ ସାପ କାମୁଡ଼ା ଇଞ୍ଜେକ୍ସନ ଦେଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଅଧିକ ଜଟିଳ କରିଦେଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ରାଜନୈତୀକ ଝଡ଼ ପ୍ରଚଣ୍ଡରୂପ ଧାରଣ କରିବାରୁ ଏବଂ ଅପରାଧିମାନଙ୍କୁ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି ଘଣ୍ଟଘୋଡ଼ାଇବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ତିବ୍ର ଆକାର ନେବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମହାରଥିଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଥିଲେ । ଏହି ସମ୍ବେଦନଶୀଳ ମାମଲାକୁ ତୁରନ୍ତ ତଦନ୍ତ କରିବା ଦିଗରେ ବିଳମ୍ବ ହୋଇଥିବାରୁ ଜ÷ନେକ ଆଇ.ପି.ଏସ ଅଫିସରଙ୍କୁ ବଦଳି କରାଯାଇଥିଲା ଏବଂ ସ୍ଥାନୀୟ ପୋଲିସ ଅଫିସରଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା । ରାଜ୍ୟର ଉଚ୍ଚ ଅଦାଲତଙ୍କ ନିର୍ଦ୍ଧେଶ ପରେହିଁ ପିଡ଼ିତାଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଦେବାର ବ୍ୟବସ୍ଥା ହୋଇଥିଲା ।

ଇତିମଧ୍ୟରେ ଓଡ଼ିଶା ଗୁଇନ୍ଦା ପୋଲିସ ଧର୍ଷଣ ଓ ହତ୍ୟା ଉଦ୍ୟମକାରି ମାନଙ୍କ ଫୋଟଗ୍ରାଫ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରଚାରିତ କରିବା ପରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ମାତ୍ର ଦୀର୍ଘ ପାଞ୍ଚମାସରୁ ଉର୍ଦ୍ଧ ସମୟ ମୃତ୍ୟୁ ସହ ସଂଗ୍ରାମ କରୁଥିବା ପିଡ଼ିତା ୨୦୧୨ ମସିହା ଜୁନ୍ ୨୧ତାରିଖ ଦିନ ଇହଧାମ ତ୍ୟାଗ କରିଥିଲା । ନିରିହା ହରିଜନ ଝିଅଟି ସେପ୍ଟିସେମିୟା (ଗ୍ଦରକ୍ଟ୍ରଗ୍ଧସମବରଜ୍ଞସବ ) ଏବଂ ନିଃଶ୍ୱାସ ପ୍ରଃଶ୍ୱାସ ଜନିତ ଯନ୍ତ୍ରଣା ଯୋଗୁଁ ହୃଦ୍ ଘାତରେ (ବମଙ୍କଗ୍ଧର କ୍ସରଗ୍ଦକ୍ଟ୍ରସକ୍ସବଗ୍ଧକ୍ଟକ୍ସଚ୍ଚ ୟସଗ୍ଦଗ୍ଧକ୍ସରଗ୍ଦଗ୍ଦ ବଚ୍ଚଦ୍ଭୟକ୍ସକ୍ଟଜ୍ଞରଥଇଜଊଝଧ, ବଦ୍ଭୟ ମବକ୍ସୟସବମ ବକ୍ସକ୍ସରଗ୍ଦଗ୍ଧ.) ମୃତ୍ୟୁବରଣ କରିଥିଲେ । କେତେକ ସ୍ୱାଚ୍ଛାସେବି ଅନୁଷ୍ଠାନ ଓ ରାଜନେତା ବେବିନାଙ୍କ ଶବକୁ ଏକ ଶୋଭାଯାତ୍ରାରେ ନେବାଲାଗି ପ୍ରସ୍ତୁତ ହେଉଥିବା ସମୟରେ ଏଭଳି ଏକ ଶୋଭାଯାତ୍ରା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଠି କରିପାରେ ସନ୍ଦେହ କରି ପୋଲିସ ତାଙ୍କ ଶବକୁ ପୋଲିସ ହେପାଜତରେ ତାଙ୍କ ପିତାଙ୍କୁ ହସ୍ତାନ୍ତର କରାଯିବା ସହ ଦାହ କରିଥିଲେ । ତଦନାନ୍ତିନ ପୁରୀ ଜିଲ୍ଲାପାଳ ଶ୍ରୀ ଗିରିସ୍.ଏସ.ଏନ ଦଶଲକ୍ଷ ଟଙ୍କାର ଏକ ଚେକ୍ ବେବିନାଙ୍କ ପିତା ବାବୁଲି ବେହେରାଙ୍କୁ ଦେଇଥିଲେ । ବାବୁଲି କୁଣ୍ଠାର ସହିତ ଏହି ଚେକ୍ ଟି ଗ୍ରହଣ କରିବାସହ ବେବିନାଙ୍କ ଧର୍ଷଣ ଓ ହତ୍ୟା ଘଟଣାରେ ସରକାର ନେଇଥିବା ପଦକ୍ଷେପରେ ସେ ଆଦୌ ସନ୍ତୁଷ୍ଠ ନୁହନ୍ତି ବୋଲି ଗଣମାଧ୍ୟ ନିକଟରେ ମତବ୍ୟକ୍ତ କରିଥିଲେ । ଏହି ଜଘନ୍ୟକାଣ୍ଡ ସମ୍ପର୍କରେ ସର୍ବମୋଟ ଆଠଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ବିରୁଦ୍ଧରେ ହତ୍ୟାକାଣ୍ଡ ଅଭିଯୋଗରେ ଭାରତୀୟ ପିଙ୍ଗୋଳ କୋର୍ଟର ୩୦୭ ଓ ୩୦୨ଦଫାରେ ଅଭିଯୋଗପତ୍ର ଦାଖଲ କରାଯାଇଥିଲା ।

ଓଡ଼ିଶା ଉଚ୍ଚନ୍ୟାୟଳାୟର ଅବସର ପ୍ରାପ୍ତ ବିଚାରପତି ପ୍ରଦ୍ୟୁମ୍ନ କୁମାର ମହାନ୍ତିଙ୍କ ଅଧକ୍ଷତାରେ ଗଠିତ ତଦନ୍ତ କମିଶନଙ୍କ ସଚ୍ଚିବ ୧୯୧୬ ମସିହା ମାର୍ଚ୍ଚ ୩୦ତାରିଖ ଦିନ ରାଜ୍ୟର ଗୃହ ସଚ୍ଚିବଙ୍କ ନିକଟରେ କମିଶନଙ୍କ ରିପୋର୍ଟଟି ଦାଖଲ କରିଥିଲେ । ମାତ୍ର ସେହି ରିପୋର୍ଟଟି ଅଦ୍ୟାବଧି ଲୋକଲୋଚନକୁ ଆସିନାହିଁ । ଜଦିଓ ମାତ୍ର ୩୦ଦିନ ମଧ୍ୟରେ କମିଶନ ତାଙ୍କୁ ରିପୋର୍ଟ ଦାଖଲ କରିବେ ବୋଲି ଘୋଷଣା କରାଯାଇଥିଲା ଏବଂ ଭବିଷ୍ୟତରେ ଏଭଳି ଘୃନ୍ୟ ଅପରାଧ ନଘଟିବା ପାଇଁ କମିଶନଙ୍କ ଅନୁମୋଦନ ପାଇଁ କୁହାଯାଇଥିଲା । ରିପୋର୍ଟ ଦାଖଲ ପରେ ପ୍ରାୟ ଦୁଇବର୍ଷ ଅତିକ୍ରାନ୍ତ ହେବାକୁ ବସିଥିଲେ ମଧ୍ୟ ଏସମ୍ପର୍କରେ ସରକାରି କଳର ନିଷ୍କ୍ରିୟତା ସମସ୍ତଙ୍କୁ ସ୍ତବ୍ଧ କରିବା ସ୍ୱାଭାବିକ ।

ଜଦିଓ ଏହି ଦୁର୍ଭାଗ୍ୟ ଜନକ ଘଟଣା ସମ୍ପର୍କରେ ଅନେକ ମହିଳା ସଂଗଠନ , ରାଜନୈତିକ ଦଳ, ଗଣମାଧ୍ୟମ ଓ ସ୍ୱଚ୍ଛାସେବି ଅନୁଷ୍ଠାନ ସ୍ୱରଉତ୍ତଳନ କରିଥିଲେ ମାତ୍ର ଶହେରୁ କମ୍ ସଙ୍ଖ୍ୟକ ବ୍ୟକ୍ତି ସମ୍ପର୍କରେ କମିଶନଙ୍କ ନିକଟରେ ସତ୍ୟପାଠ କରିଥିଲେ । କମିଶନ ସେମାନଙ୍କ ସମେତ ଆଉ ୧୧ଜଣ ବ୍ୟକ୍ତିଙ୍କୁ କମିଶନଙ୍କ ନିକଟରେ ସେମାନଙ୍କ ବକ୍ତ୍ୟବ ରଖିବାଲାଗି ନୋଟିସ୍ ପଠାଇଥିଲେ । ତଦନାନ୍ତିନ ପିପିଲିର ବିଧାୟକ ଓ କୃଷି ମନ୍ତ୍ରୀ ପ୍ରଦୀପ ମହାରଥି ତାଙ୍କ ବକ୍ତବ୍ୟ ରଖିବାଲାଗି କମିଶନ ଅଫ ଇନକ୍ୱାରି ଆକ୍ଟ ର ୮ମ-ଖ ଧାରା ଅନୁଜାୟୀ ନୋଟିସ ଦିଆଜାଇଥିଲେ ମଧ୍ୟ ଶ୍ରୀ ମହାରଥି କମିଶନଙ୍କ ନିକଟରେ ଉପସ୍ଥିତ ହୋଇନଥିଲେ । ସର୍ବମୋଟ ୫୫ଜଣ ସାକ୍ଷିଙ୍କ ବକ୍ତ୍ୟବକୁ ଆଧାର କରି କମିଶନ ତାଙ୍କ ରିପୋର୍ଟ ପ୍ରସ୍ତୁତ କରିଥିଲେ । ନିଜକୁ ସମାଜର ସଚେତନ ନାଗରିକ ବୋଲି ଦାବିକରି ଯେଉଁ ସଂଗଠନ ଗୁଡ଼ିକ ଅପରାଧି ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ ଲାଗି ଦାବି କରୁଥିଲେ ସେମାନଙ୍କ ମଧ୍ୟରୁ ଜଣେ ହେଲେ କମିଶନ ନିକଟରେ ନିଜର ବକ୍ତ୍ୟବ ରଖିନଥିଲେ । ଅପରପକ୍ଷେ ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମରେ ସ୍ୱର ଉତ୍ତତଳନ କରିଥିବା ଯୋଗୁଁ ଏହା ଦ୍ୱାରା ପିପିଲି ଅଞ୍ଚଳର ଜନସାଧାରଣଙ୍କ ସମ୍ମାନହାନୀ ଘଟିଛି ବୋଲି ଦାବିକରି କେତେକ ବ୍ୟକ୍ତି ଏହି ସାମ୍ବାଦିକ ସମେତ ଅନ୍ୟ କେତେକଙ୍କ ନାମରେ ମଧ୍ୟ ମାନହାନୀ ମକଦ୍ଦମା କରିଥିଲେ । ଶ୍ରୀ ମହାରଥିଙ୍କ ଧର୍ମପତ୍ନି ମଧ୍ୟ କେତେକ ଗଣମାଧ୍ୟମ ବିରୁଦ୍ଧରେ ପୁରୀର ଅଦାଲତରେ ମାନହାନୀ ମକଦ୍ଦମା ଦାୟର କରିଥିଲେ ମଧ୍ୟ କମିଶନଙ୍କ ନିକଟରେ ନିଜର ମତାମତ ରଖିବାଲାଗି ଆଗେଇ ଆସିନଥିଲେ ।

ଇତିମଧ୍ୟରେ ପିପିଲି ଗଣଧର୍ଷଣ ଓ ହତ୍ୟା ମକଦ୍ଦମାର ରାୟ ପ୍ରକାଶ ପାଇଛି ଏବଂ ମୁଖ୍ୟ ଅଭିଯୁକ୍ତ ଦୋୟ ପ୍ରଶାନ୍ତ ପ୍ରଧାନ ଓ ସୁଶାନ୍ତ ପ୍ରଧାନ ଉପଯୁକ୍ତ ସାକ୍ଷି ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ନିମ୍ନ ଅଦାଲତଙ୍କ ଦ୍ୱାରା ଖଲାସ ହୋଇଯାଇଛନ୍ତି । ଏହି ରାୟ ପ୍ରକାଶ ପାଇବା ପରେ ରାଜ୍ୟର ରାଜନୈତିକ ମହଲରେ ସୃଷ୍ଟି କରିଥିବା ପ୍ରଚଣ୍ଡଝଡ଼ରେ ପ୍ରଭାବଶାଳି କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥି କ୍ଷମତାଚ୍ୟୁତ ହୋଇଛନ୍ତି । ବର୍ତ୍ତମାନ ବିଭିନ୍ନ ରାଜନୈତିକ ଦଳ ଓ ଗଣସଂଗଠନ ବେବିନାଙ୍କୁ ନ୍ୟାୟ ଦେବାପାଇଁ ଦାବି କରୁଛନ୍ତି । ସେମାନଙ୍କ ମଧ୍ୟରେ ବିଜେପି ଓ କଂଗ୍ରେସ ଦଳ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏପରିକି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବେବିନା ନ୍ୟାୟ ପାଇବାରୁ ବଞ୍ଚିତା ହୋଇଥିବାରୁ ଖୋଲାଖୋଲି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି । ମହାନ୍ତି କମିଶନ ଦୀର୍ଘ ଦୁଇବର୍ଷ ତଳୁ ଏହି ମାମଲା ସମ୍ପର୍କରେ ରିପୋର୍ଟ ଦାଖଲ କରିସାରିଥିଲେ ମଧ୍ୟ ରାଜ୍ୟ କଂଗ୍ରେସ ଦଳର ନେତାମାନେ ପୁନ୍ୟଶ୍ଚ କମିଶନ ବସାଇବା ପାଇଁ ଦାବି କରିଛନ୍ତି । ଏହା ବ୍ୟତିତ ଏହି ସମ୍ବେଦନଶୀଳ ଗଣଧର୍ଷଣ ଓ ହତ୍ୟାଘଟଣା ସିବିଆଇ ତଦନ୍ତ କରି ଅପରାଧିମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବାପାଇଁ ତାଙ୍କ ପରିବାର ମଧ୍ୟ ଦାବି କରିଛନ୍ତି ।

ସବୁଠାରୁ ଦୁଃଖଦ ବିଷୟ ହେଲା ବେବିନାଙ୍କ ଚରମ ସାହସ ଓ ସ୍ୱାର୍ଥ ତ୍ୟାଗର ଗୌରବମୟ ପୃଷ୍ଠ ଭୂମିକୁ ମନେପକାଇ ବେବିନାଙ୍କୁ ଉପଯୁକ୍ତ ସମ୍ମାନ ଦେବାପାଇଁ କୌଣସି ମହଲରୁ ଦାବି ହେଉନାହିଁ ବା ସ୍ୱୟଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବେବିନାଙ୍କ ଭଳି ଜଣେ ଦୁଃଶାହାସି ଓଡ଼ିଆ ହରିଜନ ଝିଅର ସ୍ୱାର୍ଥତ୍ୟାଗକୁ ଚିରସ୍ମରଣିୟ କରିବାଲାଗି କୌଣସି ପଦକ୍ଷେପ ନେଇନାହେନ୍ତି । ରାଜନିିତୀର ପଶାପାଲିରେ ବେବିନାର ଗଣଧର୍ଷଣ ଓ ହତ୍ୟା ଘଟଣାକୁ ବ୍ୟବହାର କରି ବିଜୟ ହାସଲ କରିବା ପାଇଁ ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତା ଅବ୍ୟାହତ ରହିଛି ।

୨୦୧୨ମସିହା ଡିସେମ୍ବର ୧୬ତାରିଖ ଦିନ ଦିଲ୍ଲି ଠାରେ ୨୩ବର୍ଷିୟା ନିର୍ଭୟାଙ୍କୁ ନୃଶଂସ ଓ ବିଭତ୍ସ ଭାବରେ ଗଣଧର୍ଷଣ କରି ହତ୍ୟା କରାଯାଥିବା ଘଟଣା ସମଗ୍ର ଦେଶରେ ପ୍ରଚଣ୍ଡ ପ୍ରତିବାଦ ଏବଂ ସମବେଦନାର ଝଡ଼ ସୃଷ୍ଠି କରିଥିଲା । ରାତ୍ରୀର ବୀଳମ୍ବିତ ପ୍ରହରରେ ନିର୍ଭୟାଙ୍କୁ ଅସହାୟ ଭାବରେ ବସ୍ ଭିତରେ ଗଣଧର୍ଷଣ କରି ବିଭତ୍ସ ଭାବରେ ହତ୍ୟା କରାଯାଇଥିଲା । ନିଜକୁ ବଞ୍ଚାଇବାଲାଗି ସବୁପ୍ରକାର ଚେଷ୍ଟା କରି ଅସହାୟା ନିର୍ଭୟା ଏହି ନର ରାକ୍ଷସମାନଙ୍କର ଶିକାର ହୋଇଥିଲେ । ନିଜକୁ ବଞ୍ଚାଇବାଲାଗି ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ନିର୍ଭୟା ଯେଉଁ ଶାହାସ ପଦର୍ଶନ କରିଥିଲେ ସେଥିପାଇଁ କେନ୍ଦ୍ର ସରକାର ତାଙ୍କ ତ୍ୟାଗକୁ ଅମରକରି ରଖିବାଲାଗି ପ୍ରତିବର୍ଷ ଦେଶର ଜଣେ ଶାହାସି ଯୁବତୀଙ୍କୁ ‘ନିର୍ଭୟା’ ପୁରଷ୍କାର ସମ୍ମାନିତ କରିବାର ବ୍ୟବସ୍ଥା କରିଛନ୍ତି ।

ମାତ୍ର ବେବିନାଙ୍କ ଘଟଣା ନିର୍ଭୟାଙ୍କ ଶାହାସିକତାର ଉର୍ଦ୍ଧରେ କାରଣ ବାନ୍ଧବି ପ୍ରଭାତି ବେହେରାଙ୍କ ସହ ବେବିନା ଯାତ୍ରା ଦେଖି ଫେରୁଥିବା ସମୟରେ କେତେକ ଦୁର୍ବୁତ ପ୍ରଭାତିଙ୍କ ପ୍ରତି ଅସଦଆଚରଣ କରିଥିଲେ । ପ୍ରଭାତି ତାହାର ଦୃଢ଼ ପ୍ରତିବାଦ କରିବା ସହ ସେମାନଙ୍କ ନାରକୀୟ ବ୍ୟବହାର ସମ୍ପର୍କରେ ପରିବାର ଓ ପୋଲିସ ନିକଟରେ ପ୍ରକାଶ କରିବାର ଧମକ ଦେବାରୁ ତାକୁ କିରୋସିନି ଢ଼ାଳି ନିଆଁ ଲଗାଇ ହତ୍ୟା କରାଯାଇଥିଲା । ଏଭଳି ଏକ ନାରକୀୟ ଘଟଣା ସମ୍ପର୍କରେ ପ୍ରକାଶ ନକରିବାଲାଗି ବେବିନାଙ୍କୁ ଧମକଚମକ ଦିଆଯାଇଥିଲା । ମାତ୍ର ବେବିନା ଏଭଳି ଏକ ଘଟଣାର ପ୍ରତିବାଦ କରିବାସହ ଏସମ୍ପର୍କରେ ସର୍ବସାଧାରଣରେ ଏବଂ ପୋଲିସ ନିକଟରେ ପ୍ରକାଶ କରିଦେବେବୋଲି କହିଥିଲେ । ମୁହଁ ବନ୍ଦ ରଖିବାଲାଗି ବେବିନାଙ୍କୁ ଅନେକ ପ୍ରଲୋଭନ ଦେଖାଯିବା ସହ ଧମକଚମକ ମଧ୍ୟ ଦିଆଯାଇଥିଲା । ମାତ୍ର ବେବିନା ନିଜ ଜିଦ୍ ରେ ଅଟଳ ରହିଥିଲେ । ସେ ବଞ୍ଚି ରହିଲେ ଅପରାଧିମାନେ ଆଇନର ଶକ୍ତପଞ୍ଝା ଭିତରୁ ମୁକୁଳିପାରିବେ ନାହିଁ ବୋଲି ଆଶଙ୍କା କରି ସବୁଦିନ ପାଇଁ ତାକୁ ରାସ୍ତାରୁ ହଟାଇ ଦେବାଲାଗି ଧର୍ଷଣ ଓ ହତ୍ୟା ନିମନ୍ତେ ଉଦ୍ୟମ କରାଯାଇଥିଲା ।

ବେବିନା ନିଜର ଆତ୍ମରକ୍ଷାଲାଗି ନୁହେଁ ନିଜ ବାନ୍ଧବିର ସୁରକ୍ଷା ସହ ସତ୍ୟକୁ ଆଲୋକକୁ ଆଣିବାଲାଗି ସଂକଳ୍ପବଦ୍ଧ ଥିବାରୁ ସୋଚନୀୟ ଭାବରେ ଧର୍ଷଣ ଓ ଜନ୍ତ୍ରଣାର ଶିକାର ହୋଇ ମୃତ୍ୟୁ ବରଣ କରିଥିଲା । ଦୁଃଖର କଥା ଯେ ବେବିନା ଭଳି ଜଣେ ୧୯ବର୍ଷିୟା ଗରିବ ହରିଜନ ଝିଅର ଶାହାସିକତାକୁ ଚିରସ୍ମରଣିୟ କରି ଆମ ରାଜ୍ୟ ଓ ଦେଶର ଝିଅ ମାନଙ୍କୁ ଶାହାସ ଓ ସ୍ୱାର୍ଥତ୍ୟାଗ ନିମନ୍ତେ ପ୍ରେରଣା ଦେବା ପାଇଁ ଗଣମାଧ୍ୟମ, ରାଜନେତା, ସ୍ୱଚ୍ଛାସେବି ଅନୁଷ୍ଠାନ, ମହିଳା ସଂଗଠନ ଏବଂ ମହିଳା ମାନଙ୍କ ସଶକ୍ତି କରଣ ନିମନ୍ତେ ସଂକଳ୍ପବଦ୍ଧ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଦ୍ୟାବଧି କୌଣସି ପଦକ୍ଷପ ନେଇନାହେନ୍ତି । ଫଳରେ ବେବିନା ମୃତ୍ୟୁପରେବି ନ୍ୟାୟ ପାଇବାରୁ ବଞ୍ଚିତା ହୋଇ ରହିଛି ।

By amfnews

Related Post