Sat. Mar 7th, 2026

ପିଆର୍‌ଏମ୍‌ରେ ଉତ୍ତେଜନା, ୫ ଶହ ଟଙ୍କା ପାଇଁ ଆଖିବୁଜିଲା ନବଜାତକ!

336 Views

ବାରିପଦା: ପ୍ରସବ କରାଇଦେବା ପାଇଁ ମହିଳାଙ୍କ ସମ୍ପର୍କୀୟଙ୍କୁ ୫ ଶହ ଟଙ୍କା ଲାଞ୍ଚ ମାଗିଲେ ସ୍ୱାସ୍ଥ୍ୟକର୍ମୀ ଦିଦି। ଟଙ୍କା ଦେବା ବିଳମ୍ବ ହେବାରୁ ଚିକିତ୍ସାରେ ଅବହେଳା ହେଲା। ଫଳରେ ମୃତ ଶିଶୁ ଜନ୍ମ ହେଲା। ଯାହାକୁ ନେଇ ଡାକ୍ତରଖାନ‌ାରେ ଉତ୍ତେଜନା ପ୍ରକାଶ ପାଇଛି। ଏମିତି କି ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ପରିବାର ଲୋକ ଧାରଣା ଦେଇଥିବା ବେଳେ ସଂପୃକ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରସୂତୀ ବିଭାଗ ଦାୟିତ୍ୱରୁ ଅପସାରଣ କରିନିଆଯାଇଛି। ..ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲ‌ା ପିଆର୍‌ଏମ୍‌ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ। ସୂଚନା ଅନୁଯାୟୀ; ଆଜି ସକାଳ ପ୍ରାୟ ୬ଟା ‌ବେଳେ କୁଳିଅଣା ଥାନା ଅନ୍ତର୍ଗତ ବେନାଗ ଗ୍ରାମର ନରସିଂହ ସୋରେନଙ୍କ ପତ୍ନୀ ଜୟନ୍ତୀ ସୋରେନ ପ୍ରସବ ଯନ୍ତ୍ରଣା କାରଣରୁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲ୍‌ରେ ଭର୍ତି ହୋଇଥିଲେ। ଡାକ୍ତର ନଥିବା ବେଳେ ଜଣେ ସ୍ୱାସ୍ଥ୍ୟକର୍ମୀ ଦିଦି ମହିଳାଙ୍କ ସମ୍ପର୍କୀୟଙ୍କୁ ପ୍ରସବ କରାଇଦେବାକୁ କହି ୫ ଶହ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ଚିକିତ୍ସା ବିଳମ୍ବ ହେବ ବୋଲି ସ୍ୱାସ୍ଥ୍ୟକର୍ମୀ ଦିଦି କହିଥିଲେ। ତେବେ ପରିସ୍ଥିତିରେ ପଡ଼ି ଜୟନ୍ତୀଙ୍କ ସମ୍ପର୍କୀୟ ସ୍ୱାସ୍ଥ୍ୟକର୍ମୀ ଦିଦିଙ୍କୁ ୫ ଶହ ଟଙ୍କା ପ୍ରଦାନ କରିଥିଲେ। ମାତ୍ର କିଛି ସମୟ ପରେ ଜୟନ୍ତୀ ମୃତ ଶିଶୁ ଜନ୍ମ ଦେଇଥିବା ଜଣାପଡ଼ିଥିଲା। ଠିକଣା ସମୟରେ ଚିକିତ୍ସା ନ କରିବାରୁ ଏପରି ଘଟିଲା ବୋଲି ଜୟନ୍ତୀଙ୍କ ସମ୍ପର୍କୀୟ ଗୀତାଞ୍ଜଳି ଓ ଅନ୍ୟମାନେ ଅଭିଯୋଗ କରିଥିଲେ। ଫଳରେ ଦାୟିତ୍ୱରେ ଅବହେଳା କରିଥିବା ସଂପୃକ୍ତ ସ୍ୱାସ୍ଥ୍ୟକର୍ମୀ ଦିଦିଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ଦାବି ନେଇ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ପ୍ରସୂତୀଙ୍କ ସମ୍ପର୍କୀୟମାନେ ଧାରଣା ଦେଇଥିଲେ। ଅନ୍ୟପଟେ ମୃତ ଶିଶୁର ଓଜନ ମାତ୍ର ଦେଢ଼ କେଜି ଥିବା ବେଳେ ବ୍ୟବଚ୍ଛେଦ ପରେ ଶିଶୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।

By amfnews

Related Post