Fri. Mar 6th, 2026

ପିଆଇଏ ବିମାନର ଧ୍ବଂସାବଶେଷରୁ ନଗଦ ୩୦ ନିୟୁତ ଟଙ୍କା ପାଇଲେ ତଦନ୍ତକାରୀ

364 Views

କରାଚି: ଦୁର୍ଘଟଣାଗ୍ରସ୍ତ ପାକିସ୍ତାନ ଇଣ୍ଟର୍‌ନ୍ୟାସ୍‌ନାଲ୍ ଏୟାର୍‌ଲାଇନ୍‌ସ୍‌ର ଧ୍ବଂସାବଶେଷରୁ ତଦନ୍ତକାରୀ ଓ ଉଦ୍ଧାରକାରୀ କର୍ମଚାରୀମାନେ ନଗଦ ୩୦ ନିୟୁତ ଟଙ୍କା ପାଇଛନ୍ତି। ଏହି ବିମାନ ଦୁର୍ଘଟଣାରେ ୯ ଜଣ ପିଲା ଓ ୯୭ ଜଣ ଲୋକଙ୍କ ସମେତ ସମୁଦାୟ ୯୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ‌ହେଉଛି ପାକିସ୍ତାନ ବିମାନ ଚଳାଚଳ ଇତିହାସ‌ରେ ସବୁଠୁ ଭୟାବହ ବିମାନ ଦୁର୍ଘଟଣା।

ଗୁରୁବାର ଦିନ ଜଣେ ସରକାରୀ ଅଧିକାରୀ କହିଛନ୍ତି କି, ତଦନ୍ତକାରୀ ଓ ଉଦ୍ଧାରକାରୀ କର୍ମଚାରୀମାନେ ବିମାନର ଧ୍ବଂସାବଶେଷ ମଧ୍ୟରୁ ବିଭିନ୍ନ ଦେଶର ଓ ବିଭିନ୍ନ ଅଙ୍କର ପ୍ରାୟ ୩୦ ନିୟୁତ ଟଙ୍କା ପାଇଛନ୍ତି।

ଏତେ ପରିମାଣର ନଗଦ ଟଙ୍କା କିଭଳି ବିମାନବନ୍ଦର ସିକ୍ୟୁରିଟି ଓ ଲଗେଜ୍ ସ୍କାନର୍ ଅତିକ୍ରମ କରି ବିମାନ ମଧ୍ୟକୁ ଗଲା, ତାହାର ତଦନ୍ତ ପାଇଁ ଆଦେଶ ଦିଆ ଯାଇଛି।

ଧ୍ବଂସାବଶେଷରୁ ମିଳିଥିବା ଦୁଇଟି ବ୍ୟାଗ୍‌ରେ ଏହି ଟଙ୍କା ଥିଲା। ସରକାରୀ ଅଧିକାରୀଜଣକ କହିଛନ୍ତି ଯେ ଶବ ଚିହ୍ନଟ ପ୍ରକ୍ରିୟା ଚାଲିଛି। ଲଗେଜ୍‌ ସବୁ ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ।

ଗୁରୁବାର ଦିନ ଜଣେ ପାକିସ୍ତାନୀ ସରକାରୀ ଅଧିକାରୀ କହିଛନ୍ତି ଯେ ୪୭ଟି ଶବ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି ଏବଂ ୪୩ଟି ଶବ ଅନ୍ତିମ ସଂସ୍କାର ପାଇଁ ହସ୍ତାନ୍ତର କରାଯାଇଛି।

 

By amfnews

Related Post