ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଆଜି ବସ୍ ଧର୍ମଘଟ ହୋଇଛି । ବସ୍ ମାଲିକ ଓ କର୍ମଚାରଙ୍କ ମଧ୍ୟରେ ଲାଗିଥିବା ବିବାଦ ଯୋଗୁଁ ପାରଳାଖେମୁଣ୍ଡିରେ ପ୍ରାୟ ୮୦ଟି ବସ୍ ଚଳାଚଳ ବନ୍ଦ ରହିଛି । ବସ୍ କର୍ମଚାରୀ ସଂଘ ଏହି ଆନ୍ଦୋଳନର ଡାକରା ଦେଇଛି । ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।
ପାରଳାଖେମୁଣ୍ଡିରେ ଗତକାଲି ଶ୍ରୀଗଣେଶ ବସ୍ର କଣ୍ଡକ୍ଟରକୁ ଅନ୍ୟ ଜଣେ ବସ୍ର ମାଲିକ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ସଂପୃକ୍ତ ବସ୍ ମାଲିକ ଜଣକ କଣ୍ଡକ୍ଟର୍କୁ ମାଡ଼ ମାରିଥିଲେ । ଏହା ପରେ କଣ୍ଡକ୍ଟର୍ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ । ଯାହାର ପ୍ରତିବାଦରେ ଆଜି ବସ୍ ଚଳାଚଳ ବନ୍ଦ ରଖାଯାଇଛି । ବସ୍ ମାଲିକ କଣ୍ଡକ୍ଟରଙ୍କୁ କ୍ଷମା ମାଗିବା ସହିତ କୌଣସି ମାଲିକ କର୍ମଚାରୀଙ୍କ ଉପରେ ହାତ ଉଠାଇବେ ନାହିଁ ବୋଲି ଲିଖିତ ଆକାରରେ ଦେବାକୁ ସଂଘ ଦାବି କରିଛି । ଯେପର୍ୟ୍ୟନ୍ତ ଦାବି ପୂରଣ ନ ହୋଇଛି ବସ୍ ଚଳାଚଳ ବନ୍ଦ ରହିବ ବୋଲି କର୍ମଚାରୀ ସଂଘ ସଭାପତି ପି. କ୍ରୀଷ୍ଣାରାଓ ସୂଚନା ଦେଇଛନ୍ତି ।