Mon. Dec 23rd, 2024

ପାରଦର୍ଶୀ ଓ ସଚ୍ଚୋଟ ବିବେକୀ ବ୍ୟକ୍ତି ସବୁଠାରୁ ଶକ୍ତିଶାଳୀ ଅଟନ୍ତି : ସିଇଓ

By amfnews Nov 1, 2018 #Featured
218 Views

ରାଉରକେଲା, ୩୧ା୧୦  : “କେବଳ ଅର୍ଥ ଅଥବା ବସ୍ତୁ ମଧ୍ୟରେ ଦୁର୍ନୀତି ସୀମିତ ନଥାଏ । ବ୍ୟକ୍ତିଗତ, କାର୍ଯ୍ୟାଳୟ ଜନିତ ବା ସାମାଜିକ ବ୍ୟାପାର ହେଉ, ଏଭଳି ପ୍ରତି କ୍ଷେତ୍ରରେ ସଚ୍ଚୋଟପଣିଆ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ପାରଦର୍ଶୀ ଓ ସଚ୍ଚୋଟ ବିବେକୀ ବ୍ୟକ୍ତି ସବୁଠାରୁ ଶକ୍ତିଶାଳୀ ଅଟନ୍ତି”, ବୋଲି ମାନବ ସମ୍ବଳ ବିକାଶ କେନ୍ଦ୍ରଠାରେ ସତର୍କତା ସଚେତନତା ସପ୍ତାହ ପାଳନର ଉଦଘାଟନୀ ଉତ୍ସବରେ ଉଦ୍ବୋଧନ ଦେଇ ରାଉରକେଲା ଇସ୍ପାତ କାରଖାନାର ସିଇଓ ଅଶ୍ୱିନୀ କୁମାର ଉଲ୍ଳେଖ କରିଛନ୍ତି ।

ଚଳିତ ବର୍ଷର ବିଷୟବସ୍ତୁ ‘ଦୁର୍ନୀତି ନିବାରଣ, ଏକ ନୂତନ ଭାରତର ନିର୍ମାଣ’ ସନ୍ଦର୍ଭରେ ଉଲ୍ଲେଖ କରି ସିଇଓ କହିଥିଲେ ଯେ, ଦୁର୍ନୀତି ଏକ ବ୍ୟାଧି ଅଟେ, ଯାହାକୁ ସମସ୍ତ ସ୍ତରରେ ମୁକାବିଲା କରିବାକୁ ହେବ । “ନୂତନ ଭାରତର ନିର୍ମାଣର ମୂଳାଧାର ବହନ କରୁଥିବା ଯୁବପିଢିଙ୍କୁ ଏହି ଦିଗରେ ସଚେତନ କରାଇବା ଏଥିନିମନ୍ତେ ବିଶେଷ ଦୃଷ୍ଟିନିବିଦ୍ଧ କରିବାକୁ ହେବ”, ବୋଲି ସେ ଉଲ୍ଳେଖ କରିଥିଲେ ।

ସିଇଓ ଆହୁରି ମଧ୍ୟ କହିଥିଲେ ଯେ, ନୀତିନିୟମ ଓ ପ୍ରଣାଳୀ ଗୁଡିକ ବାଧା ସୃଷ୍ଟି ନିମନ୍ତେ ନୁହେଁ, ବରଂ ପାରଦର୍ଶିତା ଆଣିବା ନିମନ୍ତେ ଉପଲବ୍ଧ ରହିଛି । “ସଠିକ ବିସ୍ତୃତି ଏବଂ ଯୁକ୍ତିଯୁକ୍ତତା ସଠିକ ନିଷ୍ପତ୍ତି ଗ୍ରହଣରେ ସହାୟକ ହୋଇଥାଏ ଯାହାଦ୍ୱାରା ପ୍ରତିଷ୍ଠାନର ଉନ୍ନତି ହୋଇଥାଏ । ଏହି ଅବସରରେ କାର୍ମିକ ଓ ପ୍ରଶାସନ ବିଭାଗର ଇଡି ଶ୍ରୀ ପି କେ ପ୍ରଧାନ, ପ୍ରକଳ୍ପ ବିଭାଗର ଇଡି ଶ୍ରୀ ରାଜୀବ ଅଗ୍ରୱାଲ ଏବଂ ସତର୍କତା ବିଭାଗର ଡିଜିଏମ ତଥା ଏସିଭିଓ ଶ୍ରୀ ଏ ସି ରାଠି ମଞ୍ଚାସୀନ ଥିଲେ । ଅଶ୍ୱିନୀ କୁମାର ଅନ୍ୟ ଅତିଥିଙ୍କ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପଟ୍ଟଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଉତ୍ସବର ଉଦଘାଟନ କରିଥିଲେ ।

ନିଜର ବକ୍ତବ୍ୟରେ ଶ୍ରୀ ପ୍ରଧାନ ଆରଏସପିର ପ୍ରତ୍ୟେକ ପ୍ରୟାସରେ ପାରଦର୍ଶିତା ଆଣିବା ନିମନ୍ତେ କାରଖାନା ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । “ଏକ ପାରଦର୍ଶି ସଂସ୍କୃତି ଦୁର୍ନୀତି ମୂଳୋତ୍ପାଟନରେ ସହାୟକ ହେବା ସଙ୍ଗେ ସଙ୍ଗେ ନୂତନ ଭାରତ ନିର୍ମାଣରେ ସହାୟକ ହେବ”, ବୋଲି ସେ ଉଲ୍ଲେଖ କରିଥିଲେ । ନିଜର ଅଭିଭାଷଣରେ ଶ୍ରୀ ଅଗ୍ରୱାଲ ଯୁବମାନସରେ ସଠିକ ମୂଲ୍ୟବୋଧ ରୋପଣ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, “ଦୁର୍ନୀତିମୁକ୍ତ ରାଷ୍ଟ୍ର ଆମର ପରବର୍ତ୍ତୀ ପିଢୀ ପାଇଁ ଆମର ଶ୍ରେଷ୍ଠ ଉପହାର ହେବ”ା ପ୍ରାରମ୍ଭରେ ସତର୍କତା ବିଭାଗର ଏଜିଏମ ଭି କେ ଯାଦବ ଭାରତର ମାନ୍ୟବର ରାଷ୍ଟ୍ରପତି ଓ ସିନିୟର ମ୍ୟାନେଜର ରବିନ କୁମାର ଉପରାଷ୍ଟ୍ରପତିଙ୍କ ବାର୍ତ୍ତା ପାଠ କରିଥିଲେ ।

ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ଆନନ୍ଦ କୁମାର କେନ୍ଦ୍ର ସତର୍କତା କମିଶନରଙ୍କ ବାର୍ତ୍ତା ପାଠ କରିଥିଲେ । ସତର୍କତା ବିଭାଗର ଏଜିଏମ ଏସ୍. କୁମାର ଉପସ୍ଥିତ ସମସ୍ତଙ୍କୁ ଓଡିଆ ଓ ହିନ୍ଦୀରେ ସତର୍କତା ଶପଥ ପାଠ କରାଇଥିଲେ । ଶ୍ରୀ ରାଠି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସତର୍କତା ବିଭାଗର ଏଜିଏମ ବି. କେ. ଯାଦବ ଧନ୍ୟବାଦ ଜ୍ଞାପନ କରିଥିଲେ । ସିପି-୨ ବିଭାଗର ଜୁନିୟର ମ୍ୟାନେଜର ସୁଶ୍ରୀ ଅଙ୍କିତା ବିଲୁଙ୍ଗ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

By amfnews

Related Post