Sun. Jun 8th, 2025

ପାଟଣାଗଡ଼ ବିଧାୟକ ଅଟକ, ଜେରା କରୁଛି ପୁଲିସ୍

By amfnews Jun 24, 2019 #Featured
144 Views

ବଲାଙ୍ଗିର : ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ ମାମଲାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପୁଲିସ୍‌ ଅଟକ ରଖିଥିବା ସୂଚନା ମିଳିଛି।

ଆଜି ସକାଳେ ବଲାଙ୍ଗିର ପୁଲିସ୍ ତାଙ୍କୁ ନୂଆପଡ଼ାରୁ ଆଣି ଜେରା କରୁଥିବା ଜଣାପଡ଼ିଛି। ତେବେ ପୁଲିସ୍ ତାଙ୍କୁ କେଉଁଠି ଜେରା କରୁଛି, ତାହା ଜଣାପଡ଼ିଛି। ପାଟଣାଗଡ଼ର ପୂର୍ତ୍ତ ବିଭାଗ ଜେଇ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ କରିବା ଘଟଣାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତା ୨୬ରେ ବିଧାନସଭା ଘେରାଉ କରିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଧମକ ଦେଇଥିବା ବେଳେ ତାଙ୍କୁ ଆଜି ପୁଲିସ୍ ଅଟକ ରଖିଥିବା ସୂଚନା ଆସିଛି। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜିଲ୍ଲାପାଳଙ୍କ ଅଫିସ୍‌ ବି ଘେରାଉ କରିଥିଲା। ସେହିପରି ତାଙ୍କୁ ଗିରଫ କରିବା ଦାବିରେ ଜିଲ୍ଲା ଡିପ୍ଲୋମା ଇଞ୍ଜିନିୟର ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା।

ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁରେ ଏକ ରାସ୍ତାକାମ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏ ଅଭିଯୋଗ ପାଇବା ପରେ ଜୁନ୍ ୫ ତାରିଖରେ ବିଧାୟକ ସରୋଜ ମେହେର ଉକ୍ତ ନିର୍ମାଣାଧୀନ ପିଚୁ ରାସ୍ତାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ରାସ୍ତାକାମ ତଦାରଖ କରିବା ପରେ ବିଧାୟକ ସଙ୍ଗେ ସଙ୍ଗେ ଆକ୍ସନ୍ ମୋଡ୍‌କୁ ଚାଲି ଯାଇଥିଲେ। ସର୍ବସମ୍ମୁଖରେ ସେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୫ ମିନିଟ୍‌ ମଧ୍ୟରେ ଶହେ ଥର ଉଠ୍‌ବସ୍‌ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଉଠ୍‌ବସ୍‌ ନ ହେଲେ ଲୋକେ ମାଡ଼ମାରିବେ ବୋଲି ସେ କହୁଥିବା ଭିଡିଓରେ ଶୁଣିବାକୁ ମିଳିଥିଲା।

ଏ ଘଟଣା ନେଇ ଜେଇ ଜୟକାନ୍ତ ଶବରଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଆଇପିସି ଓ ଏସ୍‌ସି ଏବଂ ଏସ୍‌ଟି ଆକ୍ଟରେ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।

ସେହିଭଳି ଘଟଣା ସଂପର୍କରେ ତଦନ୍ତ କରି ଉପଜିଲ୍ଲାପାଳ ତାଙ୍କ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଇଥିଲେ। ଘଟଣାର ସତ୍ୟାସତ୍ୟ ଥିବା କଥା ସେ ରିପୋର୍ଟରେ ଉଲ୍ଲେଖ କରିଥିବା ଜଣାପଡ଼ିଥିଲା। ବିଧାୟକ ବି ନିଜ ଭୁଲ୍ ସ୍ୱୀକାର କରିଥିଲେ। ତଥାପି ପୁଲିସ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।

By amfnews

Related Post