Sun. Jan 12th, 2025

ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କର ପରଲୋକ

By amfnews Apr 20, 2019 #Featured
240 Views

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ  ବେଦ ପ୍ରକାଶ ଅଗ୍ରୱାଲଙ୍କର ଭୋର ସମୟରେ ଆଜି ପରଲୋକ ଘଟିଛି।  ଗତକିଛି ଦିନ ଧରି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୮୨ ବର୍ଷ ହୋଇଥିଲା।

ବେଦ ପ୍ରକାଶ ଅଗ୍ରୱାଲ ମାତ୍ର ୨୦ ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ। ସେ ପ୍ରଥମେ କେନ୍ଦ୍ରାପଡ଼ା ପୌର ପରିଷଦର କାଉନସିଲର୍ ଭାବେ ନିର୍ବାଚିତ ହୋଇଥିଲେ। ତାପରେ ମାତ୍ର ୩୩ ବର୍ଷ ବୟସରେ କେନ୍ଦ୍ରାପଡ଼ା ପୌର ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।ବେଦପ୍ରକାଶ ପ୍ରଥମେ ୧୯୭୪ ମସିହାରେ ଉତ୍କଳ କଂଗ୍ରେସ ଟିକେଟ୍‌ରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୭ରେ ଜନତା ପାର୍ଟି ଟିକେଟ୍‌ରେ ସେ ପୁଣି ଥରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରେ ସେ ଜନତା ଦଳରୁ ଏହି ଆସନରେ ବିଜୟୀ ହୋଇଥିଲେ।

ଜନନାୟକ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଥିବା  ବେଦ ପ୍ରକାଶ ଅଗ୍ରୱାଲ ପରେ ବିଜେପିରେ ଯୋଗ ଦେଇଥିଲେ।୨୦୦୦ ମସିହାରେ ସେ ବିଜେପି ଟିକେଟ୍‌ରେ କେନ୍ଦ୍ରାପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡି-ବିଜେପି ମେଣ୍ଟ ସରକାର ଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥିଲେ। lବେଦ ପ୍ରକାଶ ଅଗ୍ରୱାଲ ରାଜ୍ୟ ସରକାରରେ ବିଭିନ୍ନ ସମୟରେ ଅର୍ଥ, ଖାଦ୍ୟ  ଯୋଗାଣ ଏବଂ ଖାଉଟି ବ୍ୟାପାର, ବାଣିଜ୍ୟ ଓ ପରିବହନ ,  ଗ୍ରାମ୍ୟ ଉନ୍ନୟନ, ବାଣିଜ୍ୟ ଓ ପରିବହନ ଆଦି ବିଭାଗର ମନ୍ତ୍ରୀ  ଥିଲେ।

ସେ କେନ୍ଦ୍ରାପଡ଼ାରୁ ୪ଥର ବିଧାୟକ ବି ହୋଇଥିଲେ  । ସେ ୨୦୦୯ ଏବଂ ୨୦୧୪ରେ ପାଟକୁରାରୁ  ବିଧାୟକଭାବେ ନିର୍ବାଚିତ ହୋଇଥିଲେ। ସେ ଚଳିତ ଥର ବି  ପାଟକୁରା  ବିଧାନସଭାଲାଗି ବିଜେଡି  ଟିକେଟରେ ନିର୍ବାଚନ ଲଢ଼ୁଥିଲେ । ଏଠାରୁ ବିଜେପିର ପ୍ରାର୍ଥୀଭାବେ ବରିଷ୍ଠ ନେତା ବିଜୟ ମହାପାତ୍ର ନିର୍ବାଚନ ଲଢ଼ୁଥିଲେ।

ତାଙ୍କର ବିୟୋଗରେ ପାଟକୁରାରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବଡ଼ ପୁଅଙ୍କ ସୂଚନା ଅନୁଯାୟୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପାର୍ଥିବ ଶରୀରକୁ କେନ୍ଦ୍ରାପଡ଼ାର ପାଟକୁରାକୁ ନିଆଯିବ ଏବଂ ତାପରେ ପୁରୀଠାରେ ଅନ୍ତିମ ସଂସ୍କାର କରାଯିବ।

By amfnews

Related Post