Fri. Dec 27th, 2024

ପାକିସ୍ତାନ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ଚାପୁଡ଼ା ମାରିଲେ ବିଦେଶ ମନ୍ତ୍ରୀ କ୍ୟୁରେଶି

By amfnews Aug 19, 2020 #Featured
110 Views

ଇସଲାମାବାଦ, ଅଗଷ୍ଟ ୧୯ : ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସି ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏଥର ସେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରମୁଖ ସଚିବ ଆଜମ ଖାନଙ୍କୁ ଚାପୁଡ଼ା ମାରିଛନ୍ତି । ପାକିସ୍ତାନ ନ୍ୟୁଜ ଚ୍ୟାନେଲ ବୋଲ ନ୍ୟୁଜ ଅନୁସାରେ, କ୍ୟୁରେଶି ଓ ଆଜମ ଖାନଙ୍କ ମଧ୍ୟରେ କିଛି ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ ହୋଇଥିଲା । ଏହା ପରେ କ୍ୟୁରେଶି ଖାନଙ୍କୁ ଚାପୁଡ଼ା ମାରିଥିଲେ । କୁହାଯାଉଛି ଯେ, କ୍ୟୁରେଶି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ ଏବଂ ଏହାକୁ ନେଇ ସେ ଆଜମ ଖାନଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଏଥିରେ କ୍ୟୁରେସି ବିରକ୍ତି ପ୍ରକାଶ କରି ଆଜମଙ୍କୁ ଚାପୁଡ଼ା ମାରିଥିଲେ ।

ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଦେଶମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେଶି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିବାକୁ ଚାହୁଁଥିଲେ । ଯେତେବେଳେ ଇମ୍ରାନ ଖାନଙ୍କ ପ୍ରମୁଖ ସଚିବ ଆଜମ ଖାନ ତାଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବାହାରେ ଅଟକାଇ ଦେଇଥିଲେ, ସେ ଏଥିରେ ରାଗି ଯାଇଥିଲେ । ଆଜମ ଖାନ ମନ୍ତ୍ରୀଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ ଜରୁରୀ ବୈଠକରେ ବ୍ୟସ୍ତ ଅଛନ୍ତି । ଏଥି ପାଇଁ ଆପଣ ପରେ ଦେଖା କରିପାରିବେ । କିନ୍ତୁ କ୍ୟୁରେଶି ଏହି ସମୟରେ ହିଁ ଭେଟିବାକୁ ଚାହୁଁଥିଲେ । କିଛି ସମୟ ଯାଏଁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଲା । ଏହା ପରେ କ୍ୟୁରେଶି ସଚିବଙ୍କୁ ଚାପୁଡ଼ା ମାରିଥିଲେ ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଘଟଣା ପ୍ରଧାନମନ୍ତ୍ରୀଙ୍କ ସଚିବାଳୟରେ ଘଟିଛି । କ୍ୟୁରେଶି ଏସଂପର୍କରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କଠାରେ ଅଭିଯୋଗ କରିଛନ୍ତି । କ୍ୟୁରେଶିଙ୍କୁ ଇମ୍ରାନ ଖାନ ନିଜର କାର୍ଯ୍ୟକାଳ ୨ ବର୍ଷ ପୂର୍ତ୍ତି ଅବସରରେ ଡାକିଥିଲେ । କିନ୍ତୁ ସେ ସଚିବଙ୍କ ଦ୍ୱାରା ଅଟକ ରହିଥିଲେ । ଏହି ଘଟଣାକୁ ନେଇ ଅଧିକାରୀମାନେ ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଦେଖାଯାଇଛନ୍ତି । ସୂଚନାଯୋଗ୍ୟ, କୁରେଶିଙ୍କ କାର୍ଯ୍ୟକଳାପ ଯୋଗୁଁ ସେ ବେଳେ ବେଳେ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି ।

By amfnews

Related Post