Mon. Nov 25th, 2024

ପାକିସ୍ତାନୀ ସେନା ହାତରୁ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ନେଇ ତାଙ୍କୁ ଦୀର୍ଘ ୪୦ ଘଣ୍ଟା ଧରି ନିର୍ଯାତନା ଦେଇଥିଲା ପାକ୍‌ ଆଇଏସ୍‌ଆଇ

By amfnews May 16, 2019 #Featured
154 Views

ନୂଆଦିଲ୍ଲୀ: ଯୁଦ୍ଧବନ୍ଦୀ ଭାବେ ପାକିସ୍ତାନରେ ୫୮ ଘଣ୍ଟା ବିତାଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ନିଜ ହେପାଜତକୁ ନେଇ ଦୀର୍ଘ ୪୦ ଘଣ୍ଟା ଧରି ଅକଥନୀୟ ନିର୍ଯାତନା ଦେଇଥିଲା।

ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ନିଜର ଡି-ବ୍ରିଫିଙ୍ଗ୍‌ କାଳରେ ଏହା କହିଥିବା; ପ୍ରତିରକ୍ଷା ମନ୍ତ୍ରାଳୟର ଏକ ବିଶ୍ୱସ୍ତ ସୂତ୍ରକୁ ଆଧାର କରି ଜାତୀୟ ସ୍ତରର ସମ୍ବାଦପତ୍ର ‘ଦି ନିୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ରେ ଆଜି ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ଫେବ୍ରୁଆରି ୨୬ ତାରିଖରେ ପାକିସ୍ତାନୀ ବାୟୁସେନାର ଏପ୍‌-୧୬ ଲଢ଼ୁଆ ବିମାନକୁ କ୍ଷେପଣାସ୍ତ୍ର ମାଡ଼କରି ଖସାଇ ଦେବା ପରେ ନିଜର ମିଗ୍‌-୨୧ ବିସନ ବିମାନ ଅଖଜ ହୋଇପଡ଼ିଥିଲା। ଫଳରେ ଅଖଜ ମିଗ୍‌-୨୧ରୁ ପାରାଚ୍ୟୁଟ ସାହାଯ୍ୟରେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଖସି ପାକ୍‌ ଅଧିକୃତ କଶ୍ମୀରରେ ଓହ୍ଲାଇଥିଲେ। ଏହାପରେ ପାକିସ୍ତାନୀ ସେନା ତାଙ୍କୁ ଯୁଦ୍ଧବନ୍ଦୀ କରି ନେଇଥିଲା।

ପାକ୍‌ ସେନା ହାତରେ ବନ୍ଦୀହେବା ପରେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ନେଇ ଇସ୍‌ଲାମାବାଦର ଏକ ସେନା ମେସ୍‌ରେ ରଖାଯାଇଥିଲା। ହେଲେ ସେଠାରେ ସେ ମାତ୍ର ୪ରୁ ୫ ଘଣ୍ଟା ରହିଥିବା ବେଳେ ପାକିସ୍ତାନର ଇଣ୍ଟର ସର୍ଭିସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ତାଙ୍କୁ ନିଜ କବ୍‌ଜାକୁ ନେଇଯିବା ସହ ଇସ୍‌ଲାମାବାଦରୁ ରାଓ୍ଵଲପିଣ୍ଡି ନେଇ ଯାଇଥିଲା। ରାଓ୍ଵଲପିଣ୍ଡିକୁ ନେଇଯିବା ପରେ ଆଇଏସ୍‌ଆଇ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଗୋଟିଏ ଇଣ୍ଟ୍ରୋଗେସନ୍‌ ସେଲ୍‌ ମଧ୍ୟରେ ପୂରାଇ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଭାରତୀୟ ବାୟୁସେନା ସଂପର୍କରେ ବିଭିନ୍ନ ତଥ୍ୟ ହାସଲ କରିବାକୁ ଉଦ୍ୟମ କରିଥିଲା। ହେଲେ, ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଆଇଏସ୍‌ଆଇର ସବୁ ନିର୍ଯାତନାକୁ ସହିଯିବା ସହ କୌଣସି ପ୍ରକାରର ଗୁପ୍ତ ତଥ୍ୟକୁ ଓଗାଳି ନଥିଲେ।

By amfnews

Related Post