Fri. Mar 6th, 2026

ପଶ୍ଚିମବଙ୍ଗ ଦୁର୍ଗାପୂଜା ଆୟୋଜକମାନଙ୍କୁ ୭୦ କୋଟି ଟଙ୍କା ଉପହାର ଦେବେ ଋଣଗ୍ରସ୍ତ ମମତା ବାନାର୍ଜୀ ସରକାର

245 Views

କୋଲ୍‌କାତା  : ରାଜ୍ୟ ରାଜକୋଷରୁ ଆୟୋଜକମାନଙ୍କୁ ୭୦ କୋଟି ଟଙ୍କାର ଦୁର୍ଗାପୂଜା ଉପହାର ଦେବାକୁ ଶୁକ୍ରବାର ଦିନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେବଳ କୋଲ୍‌କାତାରେ ୩୦୦୦ ଦୁର୍ଗାମେଢ଼ ହେଉଥିବା ବେଳେ ପଶ୍ଚିମବଙ୍ଗର ବାକି ଅଞ୍ଚଳରେ ୨୫, ୦୦୦ ଦୁର୍ଗାମେଢ଼ ହେଉଛି। ଏହି ୨୮, ୦୦୦ ଦୁର୍ଗାମେଢ଼ର ପ୍ରତି କମିଟିକୁ ୨୫, ୦୦୦ ଟଙ୍କା ଉପହାର ଦିଆଯିବ। ଗତବର୍ଷ ପ୍ରତି ପୂଜା କମିଟିକୁ ୧୦, ୦୦୦ ଟଙ୍କା ଲେଖାଏଁ ଉପହାର ଦିଆଯାଇଥିଲା। ଏହାଛଡ଼ା କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଦୁର୍ଗାପୂଜା କମିଟିଗୁଡ଼ିକୁ ଅତିରିକ୍ତ ୫୦୦୦ ଟଙ୍କା ଲେଖାଏଁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି।

ପୂଜାମେଢ଼ରେ ବ୍ୟବହାର ହୋଇଥିବା ବିଜୁଳି ବାବଦ ଶୁଳ୍କ ୨୫% ହ୍ରାସ କରାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସିଇଏସ୍‌ଇ ଏବଂ ଡବ୍ଲୁବିଏସ୍‌ଇଡିସିଏଲ୍‌ ଇଲେକ୍ଟ୍ରିସିଟି ସପ୍ଲାଇ ବୋର୍ଡକୁ କୁହାଯାଇଥିବା କଥା ମୁଖ୍ୟମନ୍ତ୍ରୀ ବାନାର୍ଜୀ ଘୋଷଣା କରିଛନ୍ତି।

ମମତା ବାନାର୍ଜୀ କହିଛନ୍ତି: ଆମେ ଗରିବ ଲୋକଙ୍କ ସରକାର, କିନ୍ତୁ ଦୁର୍ଗାପୂଜା କମିଟି ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବୁ। ଗତ ବର୍ଷ ଦିଆଯାଇଥିବା ୧୦ ହଜାର ପରିବର୍ତ୍ତେ ଏ ବର୍ଷ ୨୫, ୦୦୦ ଟଙ୍କା ଦିଆଯିବ। ମୁଁ ଜାଣେ ଦୁର୍ଗାପୂଜା କମିଟିର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନୁହେଁ। ବିଜୁଳି ଶୁଳ୍କ ବି ବଢ଼ିଯାଇଛି। ତେଣୁ ବିଜୁଳି ବିଲ୍‌ ଉପରେ ୨୫% ରିହାତି ମିଳିବ। କୋଲକାତା ମୁନିସିପାଲ୍‌ କର୍ପୋରେସନ୍‌ ଟିକସ ମଧ୍ୟ ଛାଡ଼ କରାଯାଇଛି। ଆର୍ଥିକ ବର୍ଷ ୨୦୧୮-୧୯ରେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୫୬,୧୮୬. ୧୬ କୋଟି ଟଙ୍କା ଋଣ ବୋଝ ରହିଛି।

By amfnews

Related Post