Thu. Mar 13th, 2025

ପଲିଟେକନିକ ଓ ଇଂଜିନିୟରିଂ ଶିକ୍ଷାରେ ସାମିଲ ହେବ ସର୍ବେକ୍ଷକ ତାଲିମ

By amfnews Jan 6, 2019 #Featured
184 Views

ଭୁବନେଶ୍ବର , ଜାନୁଆରୀ ୬ : ରାଜ୍ୟରେ ତାଲିମପ୍ରାପ୍ତ ଯୁବକ ଯୁବତୀଙ୍କୁ କର୍ମନିୟୋଜନ ଏବଂ ଆତ୍ମ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ପାଇଁ ସ୍ବୀକୃତି ପ୍ରାପ୍ତ ସର୍ବେକ୍ଷକ କୌଶଳ ତାଲିମ ଆରମ୍ଭ କରାଯିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଲାଇସେନ୍‌ସଡ ସର୍ଭେୟର ତାଲିମର ଆବଶ୍ୟକତା ଓ ସେମାନଙ୍କର ଚାହିଦା ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ କୌଶଳ ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂ।

ପ୍ରସ୍ତାବର ଆବଶ୍ୟକତାକୁ ବିଚାର କରି ଏହାକୁ ରାଜ୍ୟର ପଲିଟେକନିକ୍ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୨୦୧୯-୨୦ ଶିକ୍ଷାବର୍ଷରୁ ଏହି ତାଲିମ ଶିକ୍ଷା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହାଛଡ଼ା ଚଳିତ ଜାନୁଆରି ମାସ ଶେଷସୁଦ୍ଧା ଭୁବନେଶ୍ବର ସରକାରୀ ପଲିଟେକନିକ୍ କଲେଜରେ ଏକ ସ୍ବଳ୍ପ-ସୂତ୍ରୀ ମଡ୍ୟୁଲାର କୋର୍ସ ଆରମ୍ଭ କରିବା ପାଇଁ ବୈଠକରେ ସ୍ଥିର ହୋଇଛି।

ବିଭାଗୀୟ ସଚିବ ସିଂ ଜଣାଇଥିଲେ, ଲାଇସେନ୍‌ସଡ ସର୍ଭେୟର ତାଲିମ ପାଇଁ ତାଲିମ ବିଷୟବସ୍ତୁ ସ୍ଥିର କରାଯାଇଛି। ଏଥିରେ ପାରମ୍ପରିକ ସର୍ଭେ, ବୈଦ୍ୟୁତିକ ସର୍ଭେ ଏବଂ ଅତ୍ୟାଧୁନିକ ଡି.ଜି.ପି.ଏସ୍ ସର୍ଭେ କୌଶଳ ଆଦି ଶିକ୍ଷା ଦିଆଯିବ। ସମୁଦାୟ ପାଠ୍ୟକ୍ରମର ୬୦ ପ୍ରତିଶତ କ୍ଷେତ୍ରଭିତ୍ତିକ ପ୍ରାକ୍ଟିକାଲ ଶିକ୍ଷା ହେବ। ମଡ୍ୟୁଲାର କୋର୍ସରେ ତାଲିମ ଅବଧି ୩ ମାସ ହେବ ଏବଂ ସେଲଫ୍ ଫାଇନାନସିଂ ବ୍ୟବସ୍ଥା ଭିତ୍ତିକ ହେବ। ତାଲିମ ଗ୍ରହୀତା ସମୁଦାୟ ୮ ହଜାର ଟଙ୍କା ତାଲିମ ବାବଦରେ ଦାଖଲ କରିବେ। ପ୍ରଥମ ବ୍ୟାଚରେ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ। ସେମାନଙ୍କ ମଧ୍ୟରେ ୨୦ ଜଣଙ୍କୁ ସିଭିଲ ଇଞ୍ଜିନିୟରିଂ ଡିପ୍ଲୋମା ଏବଂ ବାକି ୨୦ ଜଣଙ୍କୁ ବି.ଏସ୍.ସି ଇଞ୍ଜିନିୟରିଂରୁ ନିଆଯିବ। ୨୦୧୯-୨୦ ଶିକ୍ଷାବର୍ଷରୁ ପଲିଟେକନିକ୍ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ପଞ୍ଚମ ଓ ଷଷ୍ଠ ସେମିଷ୍ଟରରେ ଏହି ତାଲିମକୁ ଅନ୍ତର୍ଭୁକ୍ତ କରାଯିବ। ଏଥିପାଇଁ ଇଣ୍ଟରନସିପ୍ ବ୍ୟବସ୍ଥା ମଧ୍ୟ ରହିବ ବୋଲି କହିଛନ୍ତି ବିଭାଗୀୟ ସଚିବ।

ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଓର୍‌ସାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ମଲ୍ଲିକ, ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ବଲବନ୍ତ ସିଂ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ସଚିବ ସଂଗ୍ରାମ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

By amfnews

Related Post