ଭୁବନେଶ୍ବର : ମୁକ୍ତାକୁ ନେଇ ଲୋକମାନଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ଆକର୍ଷଣ ରହିଛି। ଶାମୁକାର ପେଟ ଭିତରେ ବାଲି ଗରଡ଼ା ପ୍ରବେଶ ପରେ ପ୍ରାକୃତିକ ଉପାୟରେ ‘ମୁକ୍ତା’ ପ୍ରସ୍ତୁତ ହୋଇଥାଏ। ହେଲେ ପରୀକ୍ଷାଗାରରେ ମଧ୍ୟ ଶାମୁକା ପାଳନ କରାଯାଇ ମୁକ୍ତା ପ୍ରସ୍ତୁତି ସମ୍ଭବ ହୋଇପାରୁଛି। ପରୀକ୍ଷାଗାରରେ ପ୍ରସ୍ତୁତ ହେଉଥିବା ମୁକ୍ତାର ବିଶେଷତ୍ବ ହେଉଛି ଏହାକୁ ଯେଉଁ ଆକୃତିରେ ଚାହିଁବେ ସେହି ରୂପରେ ମିଳିପାରିବ। ମାତ୍ର ସାମୁଦ୍ରିକ ମୁକ୍ତା କ୍ଷେତ୍ରରେ ତାହା ସମ୍ଭବ ହୋଇ ନ ଥାଏ। କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ପ୍ରତିଷ୍ଠାନ ବା ସିଫାର ପରୀକ୍ଷାଗାରରେ ଏଭଳି ମୁକ୍ତା ପ୍ରସ୍ତୁତ ହେଉଛି। ଯାହାକି ସାମୁଦ୍ରିକ ମୁକ୍ତାଠାରୁ କୌଣସି ଗୁଣରେ କମ୍ ନୁହେଁ। ଏଥିପାଇଁ ଲୋକମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି। ରାଜ୍ୟର କିଛି ଉଦ୍ୟୋଗୀ ତାଲିମ ନେଇ ନିଜେ ମୁକ୍ତା ସୃଷ୍ଟି କରିବା ଆରମ୍ଭ କରିଛନ୍ତି।
ଭାରତୀୟ ଉପମହାଦେଶରେ ଉପଲବ୍ଧ ହେଉଥିବା ମଧୁର ଜଳ ଶାମୁକା ମଧ୍ୟରୁ ଲାମେଲିଡେନ୍ସ ମାର୍ଜିନାଲିସ୍, ଲାମେଲିଡେନ୍ସ କୋରିଆନ୍ସ ଓ ପେରେସିଆ କୋରୁଗାଟା ଜାତୀୟ ଶାମୁକାକୁ ମୁକ୍ତା ଉତ୍ପାଦନ ପାଇଁ ବ୍ୟବହାର କରାଯାଇଥାଏ। ଏଥିପାଇଁ ଶାମୁକାର ଲମ୍ବ ୮-୧୦ ସେ.ମି ଓ ଓଜନ ପ୍ରାୟ ୫୦ଗ୍ରାମ ହେବା ଆବଶ୍ୟକ। ଏଭଳି ଶାମୁକାକୁ ସଂଗ୍ରହ କରାଯିବା ପରେ ତାହାକୁ ଆର୍ଦ୍ର ଖୁଆଡ଼ରେ ଥିବା ଟାଙ୍କିରେ ଦୁଇ ତିନି ଦିନ ପର୍ଯ୍ୟନ୍ତ ରଖାଯାଏ। ପରେ ଶାମୁକାକୁ ସାବଧାନତାର ସହିତ ଧରି ଚିମୁଟା ମାଧ୍ୟମରେ ଦୁଇ ଖୋଳପାକୁ ୦.୮-୧.୦ ସେ.ମି ଓସାରର ଖୋଲାଯାଇ ଆଗପାଖରେ ଥିବା ଝିଲ୍ଲୀ ବା ପରଦାର ମଝି ଅଂଶକୁ ଛିଣ୍ଡାଇ ଦିଆଯାଇଥାଏ। ପରେ ଆକୃତିଧାରୀ ନ୍ୟୁକ୍ଲିୟସ୍ ବା ନାଭିକେନ୍ଦ୍ରକୁ ପତଳା ଚିମୁଟା ଜରିଆରେ ଶାମୁକାର ଝିଲ୍ଲୀ ଭିତରେ ରଖି ଦିଆଯାଇଥାଏ। ଯଦି ଏଠାରେ ସତକର୍ତା ଅବଲମ୍ବନ କରା ନ ଯାଏ ତେବେ ବାହ୍ୟ ବସ୍ତୁଟିକୁ ଶାମୁକା ଅଗ୍ରାହ୍ୟ କରିଦେବାର ମଧ୍ୟ ଆଶଙ୍କା ରହିଛି।
ଅସ୍ତ୍ରୋପଚାର ପରେ ଶାମୁକାକୁ ପରବର୍ତୀ ଖୁଆଡ଼ରେ ରଖାଯାଏ। ଏହି ସମୟରେ ଶାମୁକାରେ ଯେଭଳି କୌଣସି ସଂକ୍ରମଣ ନ ବ୍ୟାପେ ସେଥିପାଇଁ ଆଣ୍ଟିବାୟୋଟିକ୍ ବ୍ୟବହାର କରାଯାଇଥାଏ। ବାହ୍ୟ ବସ୍ତୁଟି ଶାମୁକା ପେଟରେ ପ୍ରବେଶ କରିବା ପରେ ନାଇଲନ୍ ବ୍ୟାଗ୍ ଭିତରେ ଶାମୁକାକୁ ୭-୧୦ଦିନ ପର୍ଯ୍ୟନ୍ତ ରଖାଯାଏ। ପ୍ରତ୍ୟେକ ଦିନ ପରୀକ୍ଷା ନିରୀକ୍ଷା କରାଯିବା ସହିତ ଯଦି କୌଣସି ଶାମୁକା ଏହି ସମୟ ଭିତରେ ମରି ଯାଇଥିବା ନଜରକୁ ଆସିଥାଏ ତୁରନ୍ତ ଏହାକୁ କାଢ଼ି ଦିଆଯାଇଥାଏ। ପରବର୍ତୀ ସମୟରେ ସଂପୃକ୍ତ ଶାମୁକାକୁ ପାଳନ ପୋଖରୀକୁ ସ୍ଥାନାନ୍ତରିତ କରାଯାଇଥାଏ। ପୋଖରୀର ତଳ ଭାଗରେ ମାଟି ଓ କାଦୁଆ ପରିବେଶ ରହିବା ଜରୁରୀ। ପୋଖରୀ ମଧ୍ୟକୁ ପାଣି ଆସିବା ଓ ନିଷ୍କାସନର ସୁବିଧା ରହିବା ଅତ୍ୟନ୍ତ ଜରୁରୀ। ଯେଉଁ ବ୍ୟକ୍ତିମାନଙ୍କର ଏଭଳି ପାଳନ ପୋଖରୀ ନାହିଁ ସେମାନେ ଏଫ୍ଆରପି ଟାଙ୍କି କିମ୍ବା ଆକ୍ବାରିୟମ୍ରେ ବାୟୁ ସଂଚାଳନ ଓ ଖାଦ୍ୟ ଯୋଗାଇବା ଭଳି କ୍ଷେତ୍ରରେ ଏହି ଶାମୁକାକୁ ରଖି ପାରିବେ।
‘ସିଫା’ର ବୈଜ୍ଞାନିକ ଶ୍ବେତା ପ୍ରଧାନଙ୍କ କହିବାନୁଯାୟୀ, ଶାମୁକା ପେଟରେ ନ୍ୟୁକ୍ଲିୟସ୍ ରହିବା ପରେ ପ୍ରତ୍ୟେକ ନାଇଲନ୍ ବ୍ୟାଗ୍କୁ ଗଭୀର ପାଣି ଭିତରେ ଝୁଲାଇ ରଖାଯାଏ। ଏହି ହିସାବରେ ପ୍ରତି ହେକ୍ଟର ପିଛା ୫୦ହଜାର-୭୫ହଜାର ଶାମୁକା ପାଳନ କରାଯାଇ ପାରିବ। ଅସ୍ତ୍ରୋପଚାର ପରେ ଶାମୁକାକୁ ୮-୧୨ ମାସ ପର୍ଯ୍ୟନ୍ତ ପାଳନ କରାଯାଏ। ପରେ ଯେଉଁ ଆକୃତିର ନ୍ୟୁକ୍ଲିୟସ୍ ଶାମୁକା ପେଟ ଭିତରେ ରହିଥାଏ ତାହା ମିଳିପାରି ଥାଏ। ନ୍ୟୁକ୍ଲିୟସ୍ ମୁଖ୍ୟତଃ ୩ ପ୍ରକାରର ହୋଇଥାଏ। ରାଇସ ପର୍ଲ, ରାଉଣ୍ଡ ପର୍ଲ ଓ ଡିଜାଇନର ପର୍ଲ। ମୁକ୍ତାକୁ କୃତ୍ରିମ, ପ୍ରାକୃତିକ ଓ ପାଳନ କରି ପ୍ରସ୍ତୁତ କରାଯାଇ ପାରୁଛି। ପ୍ଲାଷ୍ଟିକ୍ରେ କୋଟିଂ ଦିଆଯାଇ କୃତ୍ରିମ ମୁକ୍ତା ସୃଷ୍ଟି କରାଯାଉଛି। ତେବେ ପ୍ରାକୃତିକ ଉପାୟରେ ସୃଷ୍ଟି ହେଉଥିବା ମୁକ୍ତାର କୌଣସି ଆକୃତି ନ ଥାଏ। ଏଥିରେ ମଧ୍ୟ ମୁକ୍ତା ସୃଷ୍ଟି ହେବା ପାଇଁ ୧ବର୍ଷ ସମୟ ଲାଗିଥାଏ। ପରବର୍ତୀ ସମୟରେ ଏହାକୁ କୌଣସି ଏକ ଆକୃତିର ରୂପ ଦେବାକୁ ପଡ଼ିଥାଏ। ମାତ୍ର ମୁକ୍ତା ପାଳନରେ ଯେଉଁ ଆକୃତିର ନ୍ୟୁକ୍ଲିୟସ୍ ଶାମୁକା ପେଟରେ ପ୍ରବେଶ କରିଥାଏ ସେହି ରୂପରେ ପରବର୍ତୀ ସମୟରେ ଏହା ମୁକ୍ତାଭାବେ ବାହାରିଥାଏ। ମୁକ୍ତାର ଗ୍ରେଡ୍, ଆକାର ଓ ଗୁଣବତ୍ତା ଉପରେ ଏହାର ବଜାର ମୂଲ୍ୟ ନିର୍ଭର କରିଥାଏ। ଏଭଳି ମୁକ୍ତା ପାଳନ ପାଇଁ ‘ସିଫା’ ପକ୍ଷରୁ ସ୍ବତନ୍ତ୍ରଭାବେ ୫ଦିନିଆ ତାଲିମ୍ ପ୍ରଦାନ କରାଯାଉଛି। ଯେଉଁମାନେ ମୁକ୍ତା ପାଳନ ପାଇଁ ଆଗ୍ରହୀ ସେମାନେ ଏଠାରେ ପ୍ରଶିକ୍ଷଣ ନେଇପାରିବେ। ‘ସିଫା’ର ୱେବସାଇଟ୍ରେ ମଧ୍ୟ ପ୍ରଶିକ୍ଷଣ ସଂପର୍କରେ ବିବରଣୀ ପ୍ରକାଶ ପାଇଥାଏ। ରାଜ୍ୟରେ ଏବେ ବାଲେଶ୍ବର, ଭଦ୍ରକ ଓ ଗଞ୍ଜାମର କିଛି ଅଞ୍ଚଳରେ ଏଭଳି ମୁକ୍ତା ପାଳନ କରାଯାଉଥିବା ସେ କହିଛନ୍ତି।