Mon. Jun 9th, 2025

ପମ୍ପିଓଙ୍କୁ କହିଲେ ଜୟଶଙ୍କର: କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗ, କେବଳ ପାକିସ୍ତାନ ସହ ଆଲୋଚନା ହେବ

By amfnews Aug 2, 2019 #Featured
113 Views

ନୂଆଦିଲ୍ଲୀ  : କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଦେଇଥିବା ଦ୍ୱିତୀୟ ପ୍ରସ୍ତାବ ସମ୍ପର୍କରେ ଶୁକ୍ରବାର ଦିନ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଜବାବ ଦେଇ କହିଛନ୍ତି ଯେ କଶ୍ମୀର ସଂକ୍ରାନ୍ତରେ ଯେକୌଣସି ଆଲୋଚନା ଦ୍ୱିପାକ୍ଷିକ ଭାବେ ଆଲୋଚନା କରାଯିବ ଏବଂ ତାହା କେବଳ ପାକିସ୍ତାନ ସହିତ। ଥାଇଲାଣ୍ଡ୍‌ ଠାରେ ଚାଲିଥିବା ଆସିଆନ୍‌ ଶିଖର ବୈଠକରେ ଏସ୍‌ ଜୟଶଙ୍କର ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍‌ ପମ୍ପିଓଙ୍କୁ ଭେଟିଛନ୍ତି।

ଟୁଇଟ୍‌ କରି ଜୟଶଙ୍କର କହିଛନ୍ତି, ଆଜି ସକାଳେ ସ୍ପଷ୍ଟ ଭାବେ ଆମେରିକୀୟ ପ୍ରତିପକ୍ଷ ମାଇକ୍‌ ପମ୍ପିଓଙ୍କୁ ଜଣାଇ ଦେଇଛି ଯେ ଆବଶ୍ୟକ ପଡ଼ିଲେ କଶ୍ମୀର ସଂକ୍ରାନ୍ତ ଯେ କୌଣସି ଆଲୋଚନା ଦ୍ୱିପାକ୍ଷିକ ଭାବେ କେବଳ ପାକିସ୍ତାନ ସହ ହିଁ କରାଯିବ। କଶ୍ମୀର ମାମଲାରେ ମଧ୍ୟସ୍ଥତା କରିବାକୁ ଗୁରୁବାର ଦିନ ପୁଣି ଥରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌ କହିବା ପରେ ଭାରତ ଏ ଭଳି ଉତ୍ତର ଦେଇଛି। ଟ୍ରମ୍ପ୍‌ କହିଥିଲେ ‘ସେମାନେ’ (ଭାରତ ଏବଂ ପାକିସ୍ତାନ କିଂବା କେବଳ ଭାରତ ଏ କଥା ସ୍ପଷ୍ଟ ନ କରି) କହିବେ ସେ ନିଶ୍ଚୟ ହସ୍ତକ୍ଷେପ କରିବେ।

By amfnews

Related Post