Tue. Mar 11th, 2025

ପଦ୍ମବିଭୂଷଣ ଡଃ ଭି ଶାନ୍ତାଙ୍କର ନିଧନ,ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

By amfnews Jan 19, 2021 #Featured
192 Views

ଚେନ୍ନାଇ , ଜାନୁଆରୀ ୧୯ : ବରିଷ୍ଠ ଅଙ୍କୋଲୋଜିଷ୍ଟ ତଥା ଆଦ୍ୟାର କର୍କଟ ପ୍ରତିଷ୍ଠାନର ଅଧ୍ୟକ୍ଷା ଡକ୍ଟର ଭି ଶାନ୍ତା (୧୧ ମାର୍ଚ୍ଚ ୧୯୨୭ – ୧୯ ଜାନୁଆରୀ ୨୦୨୧)ଙ୍କର ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି। ସେ ୯୩ ବର୍ଷ ବୟସରେ ଥିଲେ। ସୋମବାର ରାତି ପ୍ରାୟ ସାଢେ ଗୋଟାଏ ବେଳେ ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ଡାକ୍ତର ଶାନ୍ତାଙ୍କୁ ତାଙ୍କର ନିଜ ହସ୍ପିଟାଲକୁ ନିଆଯାଇଥିଲା।

କର୍କଟ ପ୍ରତିଷ୍ଠାନର ସୂତ୍ରରୁ ପ୍ରକାଶ ଯେ, ସେ ମଙ୍ଗଳବାର ସକାଳ ୩.୫୫ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତଦେହକୁ, ସେ ଏବଂ ତାଙ୍କ ଗୁରୁ, ଡକ୍ଟର କୃଷ୍ଣମୂର୍ତ୍ତିଙ୍କ ସହ ପ୍ରତିଷ୍ଠା କରିଥିବା ପୁରୁଣା କର୍କଟ ପ୍ରତିଷ୍ଠାନ କ୍ୟାମ୍ପସକୁ ନିଆଯାଇଛି।ତାଙ୍କୁ ୨୦୦୫ ରେ ‘ରମନ୍ ମ୍ୟାଗାସେସେ ପୁରସ୍କାର’ ପ୍ରଦାନ କରାଯାଇଥିଲା।

ଏଥି ସହିତ, ଭାରତ ସରକାର ତାଙ୍କୁ ୨୦୧୬ ରେ ପଦ୍ମବିଭୂଷଣ ପ୍ରଦାନ କରିଥିଲେ। ‘ନୋବେଲ ପୁରସ୍କାର’ ପ୍ରାପ୍ତ ବୈଜ୍ଞାନିକ ଏସ୍ ଚନ୍ଦ୍ରଶେଖର ତାଙ୍କର ମାମୁଁ ତଥା ପ୍ରସିଦ୍ଧ ବୈଜ୍ଞାନିକ ଏବଂ ନୋବେଲ ବିଜେତା ସି.ଭି ରମଣ ତାଙ୍କ ଅଜାଙ୍କର ଭାଇ ଥିଲେ।

ଡକ୍ଟର ଶାନ୍ତାଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।ମୋଦୀ କହିଛନ୍ତି, ‘ଗୁଣାତ୍ମକ କର୍କଟ ଚିକିତ୍ସା ସୁନିଶ୍ଚିତ କରିବାରେ ତାଙ୍କର ଉଲ୍ଲେଖନୀୟ ଉଦ୍ୟମ ପାଇଁ ଡକ୍ଟର ଶାନ୍ତାଙ୍କୁ ସ୍ମରଣ କରାଯିବ। ଚେନ୍ନାଇର ଆଦ୍ୟାର କର୍କଟ ପ୍ରତିଷ୍ଠାନ ଗରିବ ଏବଂ ଦଳିତଙ୍କ ସେବା କରିବାରେ ଆଗରେ ରହିଛି। ମୋର ମନେ ଅଛି ୨୦୧୮ ରେ ମୁଁ ଅନୁଷ୍ଠାନ ଗସ୍ତ କରିଥିଲି। ଡକ୍ଟର ଭି ଶାନ୍ତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ଓଁ ଶାନ୍ତି।”

By amfnews

Related Post