Sun. Mar 8th, 2026

ପଥରରେ ଛେଚି ସାଙ୍ଗକୁ ହତ୍ୟା

364 Views

ପାଳଲହଡା, ନଭେମ୍ବର ୨୮: ୧୪୯ ନମ୍ବର ଜାତୀୟ ରାଜପଥର ଡିମିରିଆର- ଝିମିରିପାଲି ମଧ୍ୟରେ ଥିବା ଏକ ଢାବାରେ ମଦ୍ୟପାନକୁ ନେଇ ଗତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ଯୁକ୍ତିତର୍କକୁ ନେଇ ମଦନିଶାରେ ଜଣେ ଯୁବକ ନିଜ ସାଙ୍ଗର ମୁଣ୍ଡକୁ ପଥରରେ ଛେଚି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସ ସୂତ୍ରରୁ ପ୍ରକାଶ, ଡିମିରିଆ ଗ୍ରାମର ପୀତବାସ ପେଣ୍ଠୋଇ (୩୦), ଶ୍ୟାମସୁନ୍ଦର ନାଏକ ଏବ˚ ତେଲକୋଇ ବ୍ଲକ ସରୁଆଳି ଗ୍ରାମର ପ୍ରସନ୍ନ ପାତ୍ର ଦୁଇ ସପ୍ତାହ ପୂର୍ବରୁ ରେଙ୍ଗାଳି ଡ୍ୟାମ ନିକଟ ସାଧୁବାହାଳି ଗାଁ’କୁ କାମ କରିବାକୁ ଯାଇଥିଲେ ।

ଗତକାଲି ତିନିଜଣ ବସ୍‌ରେ ଅନୁଗୁଳରୁ ଆସି ଡିମିରିଆ- ଝିମିରିପାଲି ମଧ୍ୟରେ ୧୪୯ ନମ୍ବର ରାଜପଥ ପାଖ ଏକ ଢାବାରେ ଖାଇବା ସହ ମଦ୍ୟପାନ କରିଥିଲେ । ପ‌େର ପ୍ରସନ୍ନ ଓ ପୀତବାସ ମଧୢରେ ଗଣ୍ତଗୋଳ ହୋଇଥିଲା। ଶ୍ୟାମସୁନ୍ଦର ଦୁହିଁଙ୍କୁ ବିରତ କରି ପୀତବାସକୁ ଧରି ନିଜ ଗ୍ରାମ ଡିମିରିଆ ଆଡକୁ ଯାଇଥିଲା। ତେବେ ବାଟରେ ପୀତବାସ ‘ମୁଁ ପ୍ରସନ୍ନକୁ ପିଟିବି’ ବୋଲି କହି ଢାବାଆଡକୁ ପୁଣି ଫେରି ଆସିଥିଲା । ଶ୍ୟାମସୁନ୍ଦର ପୀତବାସର ଘରକୁ ଯାଇ ତା ମାଆ ସତ୍ୟଭାମାକୁ ଏ ଖବର ଦେଇଥିଲା ।

ସତ୍ୟଭାମା ଆସି ଡିମିରିଆ ରାସ୍ତାରେ ପୀତବାସକୁ ମୁମୂର୍ଷୁ ଅବସ୍ଥାରେ ପଡିଥିବା ଓ ତା ମୁଣ୍ତକୁ କେହି ପଥରରେ ଛେଚି ଦେଇଥିବା ଦେଖିଥିଲେ। ଖବର ପାଇ ପାଳଲହଡା ପୁଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଥିଲେ। ଅବସ୍ଥା ସ˚କଟାପନ୍ନ ହେବାରୁ ତାକୁ ଅନୁଗୁଳ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ପୀତବାସର ମୃତ୍ୟୁ ହୋଇଥିଲା। ଘଟଣା ପରେ ଅଭିଯୁକ୍ତ ପ୍ରସନ୍ନ ଫେରାର ହୋଇଯାଇଥିଲା। ପାଳଲହଡା ଥାନାରେ ପୁଲିସ ତା’ ନାମରେ ହତ୍ୟା ମାମଲା ରୁଜୁ କରି ତାକୁ ଠାବ କରିବାକୁ ଉଦ୍ୟମ ଜାରିରଖିଛି। ପାଳଲହଡା ଥାନା ଆଇଆଇସି ପ୍ରଶାନ୍ତ ପାତ୍ର ଓ ସବ ଇନସପେକଟର ରାମଚନ୍ଦ୍ର ଶତପଥୀ ଘଟଣାର ତଦନ୍ତ କରୁଛନ୍ତି ।

By amfnews

Related Post